ଭଦ୍ରକ:ଇଡି ଚଢାଉ ପରେ ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ । ରାଜନୈତିକ ଆକ୍ରୋଶ ରଖି ଚଢାଉ କରାଯାଇଥିବା ସେ କହିଛନ୍ତି। ପ୍ରଫୁଲ୍ଲ ସାମଲଙ୍କ କହିବା କଥା, 'ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଆକ୍ରୋଶ ରଖି ଇଡି ଚଢାଉ କରିଛି।' ଗତକାଲି(ଗୁରବାର) ଭଦ୍ରକର 4ଟି ସ୍ଥାନ ସମେତ ଭୁବନେଶ୍ବରରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୀର୍ଘ 15 ଘଣ୍ଟା ପରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ନୂଆ ବଜାରସ୍ଥିତ ବାସ ଭବନରୁ ବାହାରିଥିଲେ ଇଡି ଅଧିକାରୀ । ବରପଦା ଇଞ୍ଜିନିୟରିଂ କଲେଜ ବିଷୟରେ ସେମାନେ ପଚରାଉଚରା କରିଥିଲେ ବୋଲି କହିଛନ୍ତି ପ୍ରଫୁଲ ସାମଲ ।
ପ୍ରଫୁଲ୍ଲ ସାମଲ କହିଛନ୍ତି, 'ମୋ ସହିତ ରାଜନୈତିକ ଶତ୍ରୁତା ରଖିବା ସହ ଆଗାମୀ ନିର୍ବାଚନରେ ହରାଇବା ପାଇଁ ମୋ ବିରୋଧରେ ଷଡଯନ୍ତ୍ର କରି ଘରେ ଇଡି ଚଢ଼ାଉ କରାଯାଇଛି । ଇଡିରେ ଥିବା ରାଜ୍ୟ ଅଧିକାରୀ ତପନ ବାବୁ ଆସିଥିଲେ ଏବଂ ତାଙ୍କର ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମୋତେ ବରପଦା ଇଞ୍ଜିନିୟରିଂ କଲେଜ ବିଷୟରେ କିଛି ପ୍ରଶ୍ନ ପଚାରିଲେ । ଯାହାର ଉତ୍ତର ମଧ୍ଯ ମୁଁ ଦେଇଥିଲି । ଇଡି ଅଧିକାରୀମାନେ କୌଣସି ପ୍ରକାର ଅସୁବିଧା ମୋ ସହିତ କରିନଥିଲେ । ' ଅନ୍ୟପକ୍ଷରେ କୌଣସି ଷଡଯନ୍ତ୍ର ତାଙ୍କୁ ପ୍ରତିହତ କରିପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଧାୟକ ପ୍ରଫୁଲ୍ଲ ସାମଲ। ତେବେ କିଛି ଗଣମାଧ୍ୟମରେ ସେ ଅସୁସ୍ଥ ଥିବା କଥା ପ୍ରଚାରିତ ହେବା ସମ୍ପୂର୍ଣ୍ଣ ଭାବେ ମନଗଢ଼ା କଥା ବୋଲି ମଧ୍ୟ ସେ କହିଛନ୍ତି। ଏହିପରି ଖବର ପ୍ରକାଶ କରିବା ଅତ୍ୟନ୍ତ ଦୁର୍ଭାଗ୍ଯଜନକ ବୋଲି କହି ଏହାର ତୀବ୍ର ନିନ୍ଦା କରିଛନ୍ତି ବିଧାୟକ ପ୍ରଫୁଲ୍ଲ ସାମଲ।