ରାୟଗଡ଼ା: ପାଖେଇ ଆସିଲାଣି ନିର୍ବାଚନ । ଆସନ୍ତା ମେ' 13 ତାରିଖରେ ଓଡ଼ିଶାରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଏବେ ରାଜ୍ୟରେ ଜୋରଦାର ଚାଲିଛି ପ୍ରଚାର ପର୍ବ । ସଭା ସମିତି, ଶୋଭାଯାତ୍ରା ସହ ସ୍ଲୋଗାନରେ କମ୍ପୁଛି ମଇଦାନ । ରାଜ୍ୟରେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ନିର୍ବାଚନରେ ବିଜୟୀ ପାଇଁ ପ୍ରାର୍ଥୀଠୁ କର୍ମୀ ସମସ୍ତେ ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି । ଏହାରି ମଧ୍ୟରେ ରାୟଗଡା ଜିଲ୍ଲାର ବିଭିନ୍ନ ପ୍ରସଙ୍ଗକୁ ନେଇ ଉପଯୁକ୍ତ ପ୍ରାର୍ଥୀ ସପକ୍ଷରେ ଜନମତ ରହିବ ବୋଲି କହିଛନ୍ତି ମତଦାତା ।
ଗାଁଠାରୁ ସହର ସବୁଆଡେ ବର୍ତ୍ତମାନ ନିର୍ବାଚନର ମାହୋଲ । ସେ ଭିତରେ ମାଳ ମାଳ ଯୋଜନା ନେଇ ପ୍ରାର୍ଥୀ, ନେତା ଏବଂ କର୍ମୀମାନେ ଗାଁ ମୁହାଁ ହୋଇ ଭୋଟ ଭିକ୍ଷା କରୁଛନ୍ତି । ଗାଁ ଗାଁରେ ଅନେକ ସମସ୍ୟା ରହିଛି । ବିଶେଷକରି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ଜଳସେଚନ ଭଳି ଅନେକ କିଛି ସମସ୍ୟା ରହିଛି । କଂଗ୍ରେସ ତାର ୫ ଗ୍ୟାରେଣ୍ଟି ନେଇ ମୈଦାନକୁ ଓଲ୍ଲାଇଥିବା ବେଳେ ବିଜେପି ଡବଲ ଇଞ୍ଜିନ ସହ ମୋଦି ଗ୍ୟାରେଣ୍ଟି ଆଉ ବିଜେଡି 5T ନବୀନ ଗ୍ୟାରେଣ୍ଟି ସହ ପ୍ରଚାରରେ ଲାଗି ପଡ଼ିଛି । ରାୟଗଡା ଜିଲ୍ଲାର ତିନୋଟି ନିର୍ବାଚନ ମଣ୍ଡଳୀ ଗୁଣୁପୁର, ବିଷମକଟକ, ରାୟଗଡାରେ କିଏ ଜିତିବ କିଏ ହାରିବ କାହାର କେତେ ରହିଛି ଦମ୍ ସେନେଇ ଅଙ୍କ କଷା ଆରମ୍ଭ ହୋଇଗଲାଣି । ଯଦି ଗୁଣୁପୁର ନିର୍ବାଚନ ମଣ୍ଡଳୀ ଦେଖିବା, ଆଗରୁ ଏହା କଂଗ୍ରେସର ଗଡ ଥିଲା କିନ୍ତୁ ଏହି ଗଡକୁ ମାତ୍ ଦେଇ ବିଜେଡି ଏଠି ଲଗାତାର ହ୍ୟାଟ୍ରିକ ବିଜୟ ହାସଲ କରୁଛି ।