ପୁରୀ:ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ । ପ୍ରତିବର୍ଷ ସ୍ନାନଯାତ୍ରା ପରେ ମହାପ୍ରଭୁ ଜ୍ବରରେ ପଡି ଅଣସର ଘରେ ବିରାଜମାନ କରନ୍ତି । ଅଣସର ଘରେ ଅନେକ ଗୁପ୍ତ ନୀତି ଅନୁଷ୍ଠିତ ହୋଇଥାଏ । ଦୀର୍ଘ ୧୫ ଦିନ ପରେ ଅଣସର ଶେଷ ପରେ ମହାପ୍ରଭୁ ଯେଉଁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କୁହନ୍ତି । ଏହି ଦୁର୍ଲ୍ଲଭ ଦର୍ଶନ ପାଇଁ ଭକ୍ତଟିଏ ବର୍ଷା ସାରା ଅନେଇ ବସିଥାଏ । ଅଣସର ପିଣ୍ଡିରୁ ବାହାରିବା ପରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୁଏ ନେତ୍ରୋତ୍ସବ ବା ନବଯୌବନ ଦର୍ଶନ ।
ନବଯୌବନ ବେଶ କ'ଣ ? ନବଯୌବନ ବେଶ ଶ୍ରୀଜିଉମାନେ ଆଷାଢ଼ ଅମାବାସ୍ୟା ତଥା ଉଭା ଅମାବାସ୍ୟା ତିଥିରେ ଧାରଣ କରୁଥିବା ବିଶେଷ ବେଶ ଅଟେ । ସ୍ନାନ ପୂର୍ଣ୍ଣିମାର ସ୍ନାନ ପରେ ଠାକୁରମାନେ ଅଣସର ଘରେ ଯାଇ ରହନ୍ତି । ପନ୍ଦର ଦିନ ଭକ୍ତମାନେ ଦାରୁଦିଅଁଙ୍କ ଦର୍ଶନ ଲାଭରୁ ବଞ୍ଚିତ ହୁଅନ୍ତି । ଅଣସର ଶେଷରେ ପୁଣି ସେ ଯେଉଁଦିନ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ତାହାକୁ ନବଯୌବନ ଦର୍ଶନ କହନ୍ତି । ଖଡ଼ି ଲାଗି ଓ ବନକଲାଗି ପରେ ମହାପ୍ରଭୁଙ୍କ ପ୍ରତିମା ନୂଆ ପରି ଉଜ୍ଜ୍ୱଳ ଦିଶୁଥିବାରୁ ଏହାକୁ ନବଯୌବନ କୁହାଯାଇଥାଏ । ଏହି ସମୟରେ ମହାପ୍ରଭୁ ରତ୍ନ ସିଂହାସନକୁ ଆଉ ବିଜେ କରନ୍ତି ନାହିଁ । ନବଯୌବନ ଓ ନେତ୍ରୋତ୍ସବ ପରେ ଆଷାଢ଼ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ବିଜେ କରନ୍ତି । ନବଯୌବନ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ବର୍ଷବ୍ୟାପୀ ପ୍ରତୀକ୍ଷା କରି ରହିଥାଆନ୍ତି ।