ବଲାଙ୍ଗୀର: ଆଜି ଅଯୋଧ୍ୟା ରେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ମହାପ୍ରଭୁଙ୍କ ହୋଇଛି ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହାକୁ ନେଇ ଦେଶ ବିଦେଶ ରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ଦେଶ ର କୋଣ ଅନୁକୋଣରେ ଥିବା ଲୋକ ମାନେ ରାମ ଭକ୍ତିରେ ହୋଇଛନ୍ତି ଲୀନ । ଏହି କ୍ରମ ରେ ରାଜ୍ୟର ବଲାଙ୍ଗୀର ଜିଲ୍ଲାରେ ସୃଷ୍ଟି ହୋଇଛି ରାମମୟ ପରିବେଶ । ଯେଉଁଥିରେ ଗାଁ ଠୁ ଆରମ୍ଭ କରି ସହର ଗଲିକନ୍ଦି ସବୁଠି ରାମ ନାମ ପ୍ରକମ୍ପିତ ହେଉଛି । ତେବେ ସବୁଠି ପୂଜା ଯଜ୍ଞ ଓ ଭଜନର ଆୟୋଜନ ହେଉଛି । ସେହିପରି ଗାଁ ମାନଙ୍କରେ ସମସ୍ତ ଗ୍ରାମ ବାସୀ ଗୋଟିଏ ସ୍ଥାନରେ ଏକାଠି ହୋଇ ପୂଜା କୀର୍ତ୍ତନ କରୁଛନ୍ତି । ସମାନ ଭାବରେ ସହରରେ ମଧ୍ୟ ପ୍ରତ୍ୟେକ ପଡା ଓ ଗଳିରେ ରାମ ଭକ୍ତଙ୍କ ଦ୍ବାରା ପୂଜା ପାଠ କରାଯିବା ସହ ଅନ୍ନ ଭୋଗ ବଣ୍ଟନ କରାଯାଉଛି ।
ସେହିଭଳି ବଲାଙ୍ଗୀର ଶ୍ରୀରାମ ଚରିତ ମାନସ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଆଜି ସକାଳୁ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଭକ୍ତମାନେ ଦୀପ ଜାଳି ଶ୍ରୀରାମ ଙ୍କ ଆରାଧନା କରୁଛନ୍ତି । ସେପଟେ ବଲାଙ୍ଗୀରର କିଛି କଳାକାର ତାଙ୍କ ନିପୁଣ କଲା ମାଧ୍ୟମରେ ରାମଭକ୍ତି ପ୍ରକାଶ କରିଛନ୍ତି । ଯେଉଁଥିରେ ବଲାଙ୍ଗୀର ଗାନ୍ଧୀନଗର ପଡାର ଯୁବ କଳାକାର ସଚ୍ଚିଦାନନ୍ଦ ନାୟକ ଏକ ଲକ୍ଷ 53 ହଜାର 364 ଅରୁଆ ଚାଉଳରେ ଶ୍ରୀ ରାମଙ୍କ ଫୋଟୋ ଚିତ୍ର ତିଆରି କରିଛନ୍ତି । ତେବେ ଲୋକଙ୍କର ପାଞ୍ଚ ଶହ ବର୍ଷ ପୁରୁଣା ସ୍ବପ୍ନ ଏବେ ପୂରଣ ହୋଇଥିବାରୁ ସେ ଏହି କଳାକୃତି ପ୍ରସ୍ତୁତ କରିଥିବା କଥା ସେ କହିଛନ୍ତି ।