ଖୋର୍ଦ୍ଧା: ଭାରତର ସାମ୍ପ୍ରତିକ ନିର୍ବାଚନ ପଦ୍ଧତିରେ ସଂସ୍କାରର ଆଣିବାକୁ ଦାବି । ଖୋର୍ଦ୍ଧା ଜିଲ୍ଲା ନିଡର୍ସ୍ ଅଫ ଦି ଟାଇମ ପକ୍ଷରୁ ସହରରେ ଶୋଭାଯାତ୍ରା କରାଯାଇ ସହର ପରିକ୍ରମା କରାଯାଇଥିଲା । ପରେ ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଭୋଟଦାନ ବାଧ୍ୟତାମୂଳକ କରିବା ପାଇଁ ସଙ୍ଘ ପକ୍ଷରୁ ଦାବି କରାଯାଇଛି । ଏହି ଶୋଭାଯାତ୍ରାରେ ସଂଗଠନ ସଭାପତି ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ଆଇନଜୀବୀ ନରେନ୍ଦ୍ର ପୃଷ୍ଟି ଓ ରାଜ୍ୟ ସଂଯୋଜକ ବାଲାଜୀ ପାତ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ ।
ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ କମ କରିବା ସଙ୍ଗେ ସଙ୍ଗେ ଦେଶରୁ ଦୁର୍ନୀତି ହଟାଇବା । ନିର୍ବାଚନ ପଦ୍ଧତିରେ ସଂସ୍କାର ଅଣାଯିବାକୁ ସଂଗଠନ ତରଫରୁ ମୁଖ୍ୟତଃ ୪ଗୋଟି ପ୍ରସ୍ତାବ ଉପସ୍ଥାପନ କରାଯାଇଛି । ବାଧ୍ୟତାମୂଳକ ଭୋଟ ଦାନ ବ୍ୟବସ୍ଥା, ପ୍ରାର୍ଥୀମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଶିକ୍ଷାଗତ ଯୋଗ୍ୟତା, ଅନ୍ଲାଇନ୍ ମାଧ୍ୟମରେ ପ୍ରାର୍ଥୀପତ୍ର ଦାଖଲ ଓ 'ହ୍ବାଇ ଆଇ ଷ୍ଟାଣ୍ଡ' ଭଳି ନିର୍ବାଚନ ସଭାର ଆୟୋଜନ ପାଇଁ ଦାବି କରିଛି ସଙ୍ଗଠନ । ଆମ ଗଣତନ୍ତ୍ରର ବୟସ ଯେତିକି ବଢୁଛି ଗଣତନ୍ତ୍ର ସେତିକି ଦୁର୍ନିତିଯୁକ୍ତ ହୋଇଯାଉଥିବା ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି । ଦେଶରେ ଭୋଟଦାନ ପାଇଁ କୌଣସି କଠୋର ନିର୍ଦ୍ଦେଶ ନଥିବାରୁ ଭୋଟଦାନ ବ୍ୟବସ୍ଥା ସ୍ଵଚ୍ଛ, ଅବାଧ ଓ ନିରପେକ୍ଷ ହୋଇପାରୁନାହିଁ । ଫଳରେ ପ୍ରାର୍ଥୀମାନେ ନିର୍ବାଚନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି ଏବଂ ପରବର୍ତ୍ତୀ ସମୟରେ ଦୁର୍ନୀତି କରି ଅସତ ଉପାୟରେ ଟଙ୍କା ରୋଜଗାର କରିବାକୁ ବାଧ୍ୟ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ।