ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ସୁଜିତ କୁମାର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ସୁଜିତ ।
ସତ ହେଲା ଚର୍ଚ୍ଚା:
ଇସ୍ତଫା ଦିନରୁ ଯାହା ଚର୍ଚ୍ଚା ହେଉଥିଲା, ତାହା ହିଁ ସତ୍ୟ ହେଲା । ମମତା ମହନ୍ତଙ୍କ ଠାରୁ ଯେଉଁ ଧାରା ଆରମ୍ଭ ହୋଇଥିଲା, ସେହି ଧାରରେ ସାମିଲ ହେଲେ ସୁଜିତ କୁମାର । ବିଜୁ ଜନତା ଦଳ ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ପଦ୍ମ ଧରିଥିବା ସୁଜିତ କୁମାରଙ୍କୁ ଆଜି ‘ବିଜେପି’ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ବିଧିବଦ୍ଧ ପ୍ରାର୍ଥୀ ଘୋଷଣା କରିଥିଲା । ବିଜେପି ଆନ୍ଧ୍ର, ହରିୟାଣା ଓ ଓଡିଶାର 3 ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବା ପରେ ସୁଜିତଙ୍କୁ ନେଇ ଜାରି ରହିଥିବା ସସପେନ୍ସରେ ପୂର୍ଣ୍ଣଚ୍ଛେଦ ପଡିଥିଲା ।
ପ୍ରାର୍ଥୀପତ୍ର ଦାଖଲ ପରେ କଣ କହିଲେ ସୁଜିତ ?
ପ୍ରାର୍ଥୀପତ୍ର ଦାଖଲ ସମୟରେ ସୁଜିତ କୁମାର କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜେପି ନଡ୍ଡା, ପାର୍ଲାମେଣ୍ଟାରୀ ବୋର୍ଡ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ମୁକେଶ ମହାଲିଙ୍ଗ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ବିଶେଷ କରି ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ ମୋତେ ପ୍ରାର୍ଥୀ କରିଥିବାରୁ ମୁଁ ଧନ୍ୟବାଦ ଦେଉଛି । ବିଗତ ସାଢେ ୪ ବର୍ଷରେ ପାର୍ଲାମେଣ୍ଟରେ ମୁଁ ଓଡ଼ିଶା ବିଶେଷ କରି କେବିକେ ଅଞ୍ଚଳ ଓ କଳାହାଣ୍ଡି ଜିଲ୍ଲା ପାଇଁ ଯାହା ସବୁ ମୋର ପ୍ରୟାସ ରହିଛି ତାହା ପବ୍ଲିକ ଡୋମେନରେ ରହିଛି । ସେହି ପ୍ରୟାସ ଜାରି ରହିବ । କଳାହାଣ୍ଡି ବିଶେଷ କରି କେବିକେ ଅଞ୍ଚଳ କିଭଳି ଭାବେ ସମୃଦ୍ଧ ହୋଇପାରିବ ସେନେଇ ପ୍ରୟାସ ଜାରି ରହିବ ।"
- ସୁଜିତଙ୍କ ବିଜୟ ସୁନିଶ୍ଚିତ !
ରାଜ୍ୟରେ ବିଜେପି କ୍ଷମତାରେ ରହିଛି । ତେଣୁ ସଂଖ୍ୟାଦୃଷ୍ଟିରୁ ସୁଜିତ ରାଜ୍ୟସଭାକୁ ନିର୍ବାଚିତ ହେବାରେ କୌଣସି ସମସ୍ୟା ନାହିଁ । ମମତା ମହନ୍ତଙ୍କ ପରି ସେ ମଧ୍ୟ ପାର୍ଟି ବଦଳାଇ ବିଜେପି ଟ୍ୟାଗରେ ଏବେ ରାଜ୍ୟସଭାରେ ଏଣ୍ଟ୍ରି କରିବା ପ୍ରାୟତଃ ସ୍ପଷ୍ଟ । ପୂର୍ବରୁ ବିଜେପି ଦୁଇ ସାଂସଦ, ଅଶ୍ବିନୀ ବୈଷ୍ଣବ ଓ ମମତା ମହନ୍ତଙ୍କୁ ରାଜ୍ୟସଭା ପଠାଇଥିବା ବେଳେ ଏବେ ସୁଜିତଙ୍କ ସହ ଏହି ସଂଖ୍ୟା ତିନିକୁ ବୃଦ୍ଧି ପାଇବାକୁ ଯାଉଛି ।