ରାଇରଙ୍ଗପୁର : ଏକ ଏକରରୁ ଉର୍ଦ୍ଧ୍ବ ଜମିରେ ଚାଲିଥିଲା ବେଆଇନ ଅଫିମ ଚାଷ । ଅଚାନକ ଚଢାଉ କରି ଅଫିମ ଚାଷକୁ ନଷ୍ଟ କଲା ପ୍ରଶାସନ । ପ୍ରାୟ ୪୦ ଲକ୍ଷ ଟଙ୍କାର ଅଫିମ ଚାଷ ହୋଇଥିବାବେଳେ ତାହାକୁ ନଷ୍ଟ କରାଯାଇଛି । ସେପଟେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର । ତେବେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ।
ଅଫିମ ଚାଷ ସ୍ଥାନରେ ଚଢାଉ:
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ଗ୍ରାମପଞ୍ଚାୟତର ଏଦେଲାବେଡା ଗ୍ରାମ ଅନ୍ତର୍ଗତ ବୁରୁସାହି ଜଙ୍ଗଲ ଭିତରେ ପ୍ରାୟ ଏକ ଏକର ସ୍ଥାନରେ ହୋଇଥିଲା ଅଫିମ ଚାଷ। ନିଶା ମାଫିଆମାନେ ଅଫିମ ଚାଷ କରିବା ପାଇଁ ଉକ୍ତ ଜଙ୍ଗଲକୁ ବାଛି ନେଇଥିଲେ। କାରଣ ପୋଲିସ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିଲା ଏହି ସ୍ଥାନ। ତେବେ କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସ ପ୍ରଶାସନର ନଜରକୁ ଆସିଥିଲା ଏହି ଅଫିମ ଚାଷ। ଗତକାଲି (ବୁଧବାର) ଦିନ ଠାକୁରମୁଣ୍ଡା ତହସିଲଦାର ସମ୍ବିତ କୁମାର କର ଓ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ଉପସ୍ଥିତିରେ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ, ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ସମେତ ପୋଲିସ ଓ ବନବିଭାଗ କର୍ମଚାରୀ ମିଳିତ ଭାବରେ ଜଙ୍ଗଲ ଭିତରେ ଥିବା ବୁରୁସାହିରେ ଚଢ଼ାଉ କରିଥିଲେ।
ଏହା ବି ପଢନ୍ତୁ...ଦେବଗଡ଼ରେ ଚାଲିଛି ବେଆଇନ ଅଫିମ ଚାଷ, ଚଢାଉ କଲା ଅବକାରୀ