ଭୁବନେଶ୍ବର:ଓଡିଶାରୁ ବିଧିବଦ୍ଧ ଭାବେ ବିଦାୟ ନେଇଛନ୍ତି ବିଦାୟୀ ରାଜ୍ୟପାଳ ରଘୁବର ଦାସ । ସେ ଆଜି ରାଜଭବନରୁ ତାଙ୍କ ଗୃହରାଜ୍ୟ ଝାଡଖଣ୍ଡ ଫେରି ଯାଇଛନ୍ତି । ରାଜଭବନ ଛାଡିବା ସମୟରେ ରଘୁବରଙ୍କୁ ଗାର୍ଡ-ଅଫ-ଅନର ପ୍ରଦାନ କରାଯାଇଥିଲା । ଏହାସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବାଚସ୍ପତି ସୁରମା ପାଢ଼ୀଙ୍କ ପକ୍ଷରୁ ମଧ୍ୟ ରଘୁବରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ଅନ୍ୟପଟେ ଆଗକୁ ଏକାଧିକ ବଡ କାର୍ଯ୍ୟକ୍ରମ ଥିବାରୁ ଖୁବଶୀଘ୍ର ନବନିଯୁକ୍ତ ରାଜ୍ୟପାଳ ଡ. ହରିବାବୁ କାମ୍ଭମପତି ଦାୟିତ୍ୱ ନେବେ ବୋଲି ସୂଚନା ମିଳିଛି ।
- ବିବାଦରୁ ଦୂରରେ ନଥିଲା 14 ମାସ କାର୍ଯ୍ୟକାଳ
ମାତ୍ର ୧୪ ମାସ ଓଡିଶାରେ କାର୍ଯ୍ୟ କରିବା ପରେ ଫେରି ଯାଇଛନ୍ତି ରଘୁବର ଦାସ । ପୂର୍ବତନ ରାଜ୍ୟପାଳ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ରଘୁବରଙ୍କୁ ଓଡିଶା ରାଜ୍ୟପାଳ ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ପ୍ରଦାନ କରିଥିଲେ । ଦୁଇଦିନ ତଳେ ସେ ଇସ୍ତଫା ଦେଇଥିବା ସହ ରାଷ୍ଟ୍ରପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ ମଧ୍ୟ କରିଥିଲେ । ଆଜି ସେ ନିଜ ଗୃହରାଜ୍ୟ ଝାଡଖଣ୍ଡ ଫେରି ଯାଇଛନ୍ତି । ଇସ୍ତଫା ପରେ ରଘୁବରଙ୍କ ପରବର୍ତ୍ତୀ ରାଜନୈତିକ ଆଭିମୁଖ୍ୟ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି ।
- ବିମାନ ବନ୍ଦରରେ ବିଦାୟ ଦେଲେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରୀ ଓ ଅଧିକାରୀ
ରଘୁବରଙ୍କୁ ବିମାନ ବନ୍ଦରରେ ବିଦାୟକାଳୀନ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ । ସେହିପରି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ଏ.ଜି ପିତାମ୍ବର ଆଚାର୍ଯ୍ୟ, ଶାସକ ଦଳ ମୁଖ୍ୟ ସଚେତକ ଗୋବିନ୍ଦ ଦାସ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ.ବି.ଏସ ରାଜପୁତ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା, ଭୁବନେଶ୍ୱର ଡ଼ିସିପି ପିନାକ ମିଶ୍ର ପ୍ରମୁଖ ବିମାନ ବନ୍ଦରରେ ଉପସ୍ଥିତ ଥିଲେ ।
- ରାଜଭବନ ପକ୍ଷରୁ ଗାର୍ଡ ଅଫ ଅନର
ବିମାନବନ୍ଦରକୁ ଯିବା ପୂର୍ବରୁ ବିଦାୟୀ ରାଜ୍ୟପାଳ ରଘୁବର ଦାସଙ୍କୁ ରାଜଭବନ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ପୋଲିସ ଡିଜି ୱାଇ ବି ଖୁରାନିଆ, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ ରାଜପୁତ ଉପସ୍ଥିତ ଥିଲେ । ପରବର୍ତ୍ତୀ ସମୟରେ ରାଜଭବନରେ ପହଁଚିଥିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳର ସଦସ୍ୟ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ । ବିଦାୟୀ ରାଜ୍ୟପାଳଙ୍କୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଛି । ଗତକାଲି ରାଜଭବନ ପକ୍ଷରୁ ଆୟୋଜିତ ହୋଇଥିଲା ନୈଶ ଭୋଜନ । ବିଦାୟୀ ରାଜ୍ୟପାଳଙ୍କ ସହ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳ ସଦସ୍ୟ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।
- ଏକାଧିକ ପ୍ରସଙ୍ଗରେ ବିବାଦୀୟ ହୋଇପଡିଥିଲେ ରଘୁବର
ବରିଷ୍ଠ ରାଜନେତା ତଥା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଗତବର୍ଷ (2023) ଅକ୍ଟୋବର ମାସରେ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ । ଦାୟିତ୍ଵ ନେବା ପରେ ସେ ବେଶ ସକ୍ରିୟ ଥିଲେ । ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ବିଭିନ୍ନ ନିର୍ଦ୍ଦେଶ ବି ଜାରି କରୁଥିଲେ । ଫଳରେ ତତ୍କାଳୀନ ବିଜେଡି ସରକାର ଅଡ଼ୁଆରେ ପଡ଼ିଥିଲେ । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିଲା ପରେ ରଘୁବର ଏକାଧିକ କାରଣ ପାଇଁ ବିବାଦୀୟ ହୋଇପଡ଼ିଥିଲେ ।
- ପୁଅ ପାଇଁ ବଢିଥିଲା ଅଡୁଆ:-
ରଥଯାତ୍ରା ସମୟରେ ତାଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ପୁରୀ ରାଜଭବନରେ ମାଡ଼ ମାରିଥିବାର ଅଭିଯୋଗ ଆସିଥିଲା । ଏହି ଘଟଣାରେ ମୋହନ ସରକାର ବି ଅଡ଼ୁଆରେ ପଡ଼ିଯାଇଥିଲେ । ‘ଓଡ଼ିଆ ଅସ୍ମିତା’ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ ବିରୋଧୀ । ଲିଖିତ ଅଭିଯୋଗ ହୋଇଥିଲେ ତାଙ୍କ ପୁଅ ବିରୋଧରେ ଏ ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।
- ବିଶ୍ବବିଦ୍ୟାଳୟ ସଂଶୋଧନ ବିଲକୁ ନେଇ ହୋଇଥିଲା ଚର୍ଚ୍ଚା
ଆଉ ଏକ ଘଟଣା ରାଜ୍ୟ ସରକାରଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଥିଲା । ନିକଟରେ ସରିଥିବା ବିଧାନସଭା ଅଧିବେଶନରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ପାରିତ କରିବାକୁ ମୋହନ ସରକାର ଲକ୍ଷ୍ୟ ରଖିଥିଲେ । ଏହାକୁ କ୍ୟାବିନେଟ ମଞ୍ଜୁରୀ ମଧ୍ୟ ମିଳିସାରିଛି । କିନ୍ତୁ ବିଧାନସଭାରେ ବିଲ ଆସିଲା ନାହିଁ । ଏହି ବିଲର କେତୋଟି ଦିଗ ଉପରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆପତ୍ତି ଉଠାଇଥିବା ଚର୍ଚ୍ଚା ହୋଇଥିଲା । ଏଥିରେ ରାଜ୍ୟପାଳ ତଥା କୁଳାଧିପତିଙ୍କ କ୍ଷମତା ସଙ୍କୁଚିତ କରାଯାଇଥିବା କୁହାଯାଇଥିଲା । ବିରୋଧୀ ମଧ୍ୟ ବିଧାନସଭାରେ ଏହି ଆଶଙ୍କା ପ୍ରକଟ କରିଥିଲେ ।