ପୁରୀ: ଜଗନ୍ନାଥମୟ ଶ୍ରୀକ୍ଷେତ୍ର ।ଭକ୍ତି ଭାବରେ ଭିଜୁଛି ବଡଦାଣ୍ଡ... ଘଣ୍ଟଘଣ୍ଟା, ମୃଦଙ୍ଗରେ କମ୍ପୁଛି ଚତୁର୍ଦ୍ଦିଗ । ରଥାରୁଢ଼ ହେଉଛନ୍ତି ଦାରୁଦିଅଁ । ଧାଡି ପହଣ୍ଡିରେ ଆସି ସୁସଜ୍ଜିତ ରଥରେ ବିଜେ କରିଛନ୍ତି ପ୍ରଭୁ ବଳଭଦ୍ର ଓ ମାଆ ହଳଦୀମୁହିଁ । ପଛକୁ ଟାହିଆ ହଲାଇ ଝୁଲି ଝୁଲି ଆସୁଛି କାଳିଆ ସୁନା । ଭକ୍ତ-ଭଗବାନଙ୍କ ଏହି ଅପୂର୍ବ ମିଳନର ସାକ୍ଷୀ ହୋଇଛି ଶ୍ରୀକ୍ଷେତ୍ର । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ଶ୍ରୀବିଗ୍ରଙ୍କ ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଧାଡି ପହଣ୍ଡିରେ ଆସି ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରିଥିଲେ । ପଛକୁ ପଛ ଆସିଥିଲେ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା । ସବାଶେଷରେ ଧାଡି ପହଣ୍ଡିରେ ଝୁଲୁ ଝୁଲି ରଥରେ ବିଜେ କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।
ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ 1ଟା 10 ମିନିଟରେ ଆରମ୍ଭ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା । ହେଲେ ନିର୍ଦ୍ଧାରିତ ସମୟର ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି । ପ୍ରଥମ ସୁଦର୍ଶନଙ୍କ ପରେ ଭାଇଭଉଣୀଙ୍କ ସହ ଧାଡି ପହଣ୍ଡିରେ ଆସି ରଥରେ ବିଜେ କରୁଛନ୍ତି ଜଗତର ନାଥ । ଅପରାହ୍ନ 4ଟାରେ ରଥରେ ମହାପ୍ରଭୁଙ୍କ ଛେରାପହଁରା ଏବଂ 5ଟାରେ ରଥ ଟଣା ନୀତି ନିର୍ଘଣ୍ଟ ହୋଇଛି । ହେଲେ ସଅଳ ପହଣ୍ଡି ହୋଇଥିବାରୁ ଅନ୍ୟ ସବୁ ନୀତିକାନ୍ତି ମଧ୍ୟ ଶୀଘ୍ର ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି ।