ଓଡିଶା

odisha

ETV Bharat / state

କୁଆଡେ ଗଲା ଗୁପ୍ତ ସୁଡ଼ଙ୍ଗ ? ତୁରନ୍ତ ଠାବ କରିବାକୁ ସେବାୟତଙ୍କ ଦାବି, ଗଜପତି କହିଲେ ଏମିତି - Tunnel inside Ratna Bhandar - TUNNEL INSIDE RATNA BHANDAR

Tunnel inside inner chamber of Ratna Bhandar: ରତ୍ନଭଣ୍ଡାର ତଳେ ଅଛି କି ଗୁପ୍ତ ସୁଡଙ୍ଗ ? ସେତେବେଳର ରାଜା ମହାରାଜା ଉକ୍ତ ସୁଡଙ୍ଗରେ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଅଳଙ୍କାର ଗଚ୍ଛିତ ରଖିଥିବା କହିଲେ ବରିଷ୍ଠ ସେବାୟତ । ଏମିତି ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜ । ଅଧିକ ପଢନ୍ତୁ

କୁଆଡେ ଗଲା ଗୁପ୍ତ ସୁଡ଼ଙ୍ଗ ? ତୁରନ୍ତ ଠାବ କରିବାକୁ ସେବାୟତଙ୍କ ଦାବି, ଗଜପତି କହିଲେ ଏମିତି
କୁଆଡେ ଗଲା ଗୁପ୍ତ ସୁଡ଼ଙ୍ଗ ? ତୁରନ୍ତ ଠାବ କରିବାକୁ ସେବାୟତଙ୍କ ଦାବି, ଗଜପତି କହିଲେ ଏମିତି (ETV Bharat Odisha)

By ETV Bharat Odisha Team

Published : Jul 18, 2024, 3:30 PM IST

ପୁରୀ: ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଆଜି ନିର୍ଦ୍ଧାରିତ ସମୟରେ ପୁଣିଥରେ ଖୋଲାଯାଇଛି । ଏବେ ରତ୍ନଭଣ୍ଡାର ଭିତରର ସ୍ଥିତି ଅନୁଧ୍ୟାନ କରାଯିବା ସହ ରତ୍ନଅଳଙ୍କାର ସ୍ଥାନାନ୍ତରଣ କାର୍ଯ୍ୟ ଚାଲିଛି । ତେବେ ରତ୍ନଭଣ୍ଡାରକୁ ନେଇ ପୂର୍ବରୁ ବିଭିନ୍ନ ଚର୍ଚ୍ଚା ରହିଥିବାବେଳେ ଏବେ ଏହା ଖୋଲିବା ପରେ ଭିତର ରତ୍ନଭଣ୍ଡାରରେ ଗୁପ୍ତ ସୁଡଙ୍ଗ ଥିବା ଚର୍ଚ୍ଚା ଜୋର୍ ଧରିଛି । ରତ୍ନଭଣ୍ଡାରର ତଳେ ସୁଡ଼ଙ୍ଗ ରହିଛି । ତତ୍କାଳୀନ ରାଜାମାନେ ଏହି ସୁଡ଼ଙ୍ଗରେ ମହାପ୍ରଭୁଙ୍କ ପାଇଁ ଅନେକ ଦୁର୍ମୂଲ୍ୟ ଅଳଙ୍କାର ଗଚ୍ଛିତ ରଖିଥିବା ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଦାବି କରିଛନ୍ତି । ସେ ନିଜ ବାପା, ଜେଜେବାପାଙ୍କ ଠାରୁ ଏହି ଗୁପ୍ତ ସୁଡଙ୍ଗ କଥା ଶୁଣିଥିବା ସେବାୟତ କହିଛନ୍ତି ।

କୁଆଡେ ଗଲା ଗୁପ୍ତ ସୁଡ଼ଙ୍ଗ ? ତୁରନ୍ତ ଠାବ କରିବାକୁ ସେବାୟତଙ୍କ ଦାବି, ଗଜପତି କହିଲେ ଏମିତି (ETV Bharat Odisha)

ସୁଡଙ୍ଗ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି, ‘ରତ୍ନଭଣ୍ଡାରରେ ସୁଡଙ୍ଗ ଅଛି କି ନାହିଁ, ଗୁପ୍ତ ଦ୍ବାରା ଅଛି କି ନାହିଁ ସେସବୁ ASI ଅନୁଧ୍ୟାନ କରିବ । ASI ଲେଜର ସ୍କାନିଂ କରିବା ପରେ ସବୁ ଜିନିଷ ଜଣାପଡିବ । ବାହାର ଓ ଭିତର ରତ୍ନଭଣ୍ଡାରର ମରାମତି ନିହାତି ଆବଶ୍ୟକ । କେଉଁ କାଳରୁ କେବେ ମରାମତି ହୋଇଥିଲା କେହି ଜାଣନ୍ତିନି । ୧୯୭୧ରୁ ଏଏସ୍ଆଇ ଦାୟିତ୍ବ ନେବା ପରେ ଆଦୌ ମରାମତି ହୋଇନି ।’

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଦାବି କରିଛନ୍ତି, ‘ଅତୀତରେ ଯେତେବେଳେ ଯବନମାନେ ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ ସେବାୟତମାନେ ଶ୍ରୀମନ୍ଦିର ଭିତରେ ଥିବା ସେହି ଗୁପ୍ତ ସୁଡ଼ଙ୍ଗ ଦେଇ ମହାପ୍ରଭୁଙ୍କ ଶ୍ରୀବିଗ୍ରହ ସ୍ଥାନାନ୍ତର କରିଥିଲେ । ଏଣୁ ଶ୍ରୀମନ୍ଦିର ତଳେ ଗୁପ୍ତ ସୁଡ଼ଙ୍ଗ ରହିଛି । ଏହାରି ଭିତରେ ମହାପ୍ରଭୁଙ୍କ ପାଇଁ ଉର୍ଦ୍ଧିଷ୍ଟ ଅନେକ ଦୁର୍ମୂଲ୍ୟ ଅଳଙ୍କାର ତତ୍କାଳୀନ ରାଜାମାନେ ଲୁଚାଇ ରଖିଛନ୍ତି । ଶ୍ରୀମନ୍ଦିରରେ ଅତୀତରେ ବାରମ୍ବାର ଯବନମାନେ ଆକ୍ରମଣ କରି ଧନରତ୍ନ ଲୁଟିବା ପାଇଁ ଉଦ୍ୟମ କରିଥିବା ବେଳେ ଏହି ଆକ୍ରମଣକାରୀଙ୍କ ନଜରରୁ ହଟାଇବା ପାଇଁ ରାଜାମାନେ ଗୁପ୍ତ ସୁଡ଼ଙ୍ଗ କରି ଅନେକ ରତ୍ନ ଅଳଙ୍କାର ରଖିଥିଲେ । ଏହାର ଅନୁସନ୍ଧାନ କରାଯିବା ଉଚିତ୍ ।’

ଏହା ମଧ୍ୟ ପଢନ୍ତୁ: ଖୋଲିବ ଭିତର ରତ୍ନଭଣ୍ଡାର ରହସ୍ୟ ! ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ, ନୂଆ ସିନ୍ଦୁକରେ ରଖାଯାଉଛି ଅଳଙ୍କାର - Ratna Bhandar Reopen

ସେପଟେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ନମିଳିବାରୁ ଏହାକୁ ଭଙ୍ଗାଯାଇ ରତ୍ନଭଣ୍ଡାର ତଦାରଖ କମିଟି ପ୍ରବେଶ କରିଥିଲେ । ଏଣୁ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଆସିଥିବା ଡୁପ୍ଲିକେଟ ଚାବିକୁ ନେଇ ଏବେ ନାନା ପ୍ରଶ୍ନ ଉଠିଛି । ରତ୍ନଭଣ୍ଡାରର ଅସଲି ଚାବି କୁଆଡେ ଗଲା ? କାହା ପାଖରେ ରହିଥିଲା ? କିଛି ରତ୍ନ ଅଳଙ୍କାର ଗାଏବ ହୋଇଛି କି ? 2018ରେ ଚାବି ହଜିଥିବା, ପରେ ଡୁପ୍ଲିକେଟ ଚାବି ମିଳିବା କହିଥିବା ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟ ଜଣାପଡିବ ବୋଲି ବରିଷ୍ଠ ସେବାୟତ ଦାମୋଦର ମହାସୁଆର କହିଛନ୍ତି ।

ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁସବୁ ମଠର ସମ୍ପତ୍ତି ବ୍ୟାଜାପ୍ତ ହୋଇଛି ତାକୁ ଶ୍ରୀମନ୍ଦିରକୁ ଅଣାଯିବା ଉଚିତ୍ । ଏହି ପରିପ୍ରେକ୍ଷୀରେ ଏମାର ମଠରୁ ମିଳିଥିବା ୫୦୦ରୁ ଅଧିକ ରୂପା ଇଟାକୁ ତୁରନ୍ତ ପ୍ରଶାସନ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରିବାକୁ ବରିଷ୍ଠ ସେବାୟତ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details