ଓଡିଶା

odisha

ETV Bharat / state

ପଞ୍ଚୁକ ପ୍ରଥମ ଦିନ: କାର୍ତ୍ତିକ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀ-ନାରାୟଣ ବେଶ - KARTIKA PANCHUKA IN PURI

ଆଜି କାର୍ତ୍ତିକ ମାସ ଏକାଦଶୀ ଏବଂ ପଞ୍ଚୁକର ପ୍ରଥମ ଦିନ । ପୁରୀ ଶ୍ରୀମନ୍ଦିରରେ ଲକ୍ଷ୍ମୀ-ନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।

କାର୍ତ୍ତିକ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ନୀ-ନାରାୟଣ ବେଶ
କାର୍ତ୍ତିକ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ନୀ-ନାରାୟଣ ବେଶ (ETV Bharat Odisha)

By ETV Bharat Odisha Team

Published : Nov 12, 2024, 9:53 AM IST

Updated : Nov 12, 2024, 3:18 PM IST

ପୁରୀ:ଆଜିଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତର ଅନ୍ତିମ ପର୍ବ ‘ପଞ୍ଚୁକ ବ୍ରତ’ । ଏହାକୁ ନେଇ ଶ୍ରୀକ୍ଷେତ୍ର ପୁରୀ ଚଳଚଞ୍ଚଳ । ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ପ୍ରବଳ ଭିଡରେ ଲମ୍ବା ଧାଡିରେ ଛିଡା ହୋଇ ଭକ୍ତମାନେ ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲକ୍ଷ୍ନୀ ନାରାୟଣ ବେଶ ଦର୍ଶନ କରୁଛନ୍ତି ।

କାର୍ତ୍ତିକ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ନୀ-ନାରାୟଣ ବେଶ (ETV Bharat odisha)
  • ମହାପ୍ରଭୁଙ୍କ ଲକ୍ଷ୍ନୀ-ନାରାୟଣ ବେଶ

ଦୀର୍ଘ ୩୦ଦିନ ଧରି ଚାଲିଥିବା ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଶେଷ ହେବା ସହ ପଞ୍ଚୁକ ପାଞ୍ଚଦିନ ମହାପ୍ରଭୁଙ୍କର ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେବ । ଆଜି ପଞ୍ଚୁକ ପ୍ରଥମ ଦିନରେ ଲକ୍ଷ୍ମୀ-ନାରାୟଣ ବେଶରେ ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେଉଛନ୍ତି । ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଲକ୍ଷ୍ମୀ-ନାରାୟଣ ବେଶ ବା ‘ଠିଆକିଆ ବେଶ’ ଅନୁଷ୍ଠିତ ହୋଇଛି । ଏହି ବେଶରେ ପ୍ରଥମେ ଶ୍ରୀଜିଉମାନଙ୍କର ଗୋପାଳବଲ୍ଲଭ, ସକାଳଧୂପ, ବାଳଧୂପ, ଭୋଗମଣ୍ଡପ ଇତ୍ୟାଦି ନୀତି ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନିଠାକୁରଙ୍କୁ ଲକ୍ଷ୍ମୀ-ନାରାୟଣ ବେଶରେ ଭୂଷିତ କରିଥାଆନ୍ତି ।

କାର୍ତ୍ତିକ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ନୀ-ନାରାୟଣ ବେଶ (ETV Bharat Odisha)
  • ଲକ୍ଷ୍ନୀ-ନାରାୟଣ ବେଶରେ କ’ଣ ଧାରଣ କରନ୍ତୁ ଚତୁର୍ଦ୍ଧାମୂର୍ତ୍ତି

ରାଧାଦାମୋଦର ବେଶରେ ଠାକୁରମାନେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରୁଥିବା ବେଳେ ଲକ୍ଷ୍ମୀ-ନାରାୟଣ ବେଶରେ ଶ୍ରୀଭୁଜ, ଶଙ୍ଖ, ଚକ୍ର, ହଳ ଓ ମୁଷଳ ଭଳି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥାଆନ୍ତି । ଏହି ବେଶରେ ଶ୍ରୀବିଗ୍ରହମାନଙ୍କ ମସ୍ତକରେ ସ୍ୱର୍ଣ୍ଣ କିରୀଟ ଶୋଭାପାଏ ଓ କିରୀଟ ପଛ ପାର୍ଶ୍ଵରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥାଏ । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କଲେ ଅତ୍ୟନ୍ତ ପୁଣ୍ୟ ମିଳିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ଥିବାରୁ ଶ୍ରଦ୍ଧାଳୁମାନେ ଏହି ଦିବ୍ୟ ଦର୍ଶନ ପାଇଁ ବର୍ଷ ତମାମ ଅପେକ୍ଷା କରିଥାନ୍ତି ।

କାର୍ତ୍ତିକ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ନୀ-ନାରାୟଣ ବେଶ (ETV Bharat Odisha)
  • କେବଳ ସିଂହଦ୍ବାରରେ ପ୍ରବେଶ, ତିନି ଦ୍ବାରରେ ପ୍ରସ୍ଥାନ

ପଞ୍ଚୁକ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା, ସୁବିଧା ସହ ଟ୍ରାଫିକ ବ୍ୟବସ୍ଥା ଉପରେ ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖାଯାଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ 38 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ଭକ୍ତମାନେ ବଡଦାଣ୍ଡର ମାର୍କେଟ ଛକଠାରୁ ଅସ୍ଥାୟୀ ବ୍ୟାରିକେଡରେ ପ୍ରବେଶ କରି ସିଂହଦ୍ଵାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ସହ ଅନ୍ୟ 3 ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି । ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ପାଇଁ ମରଚିକୋଟ ଛକଠାରେ ଜୋତା ଷ୍ଟାଣ୍ଡ କରାଯାଇଥିବା ବେଳେ ଡ଼ାକବାଜି ଯନ୍ତ୍ର ଦ୍ବାରା ଶ୍ରୀମନ୍ଦିର ନୀତିକାନ୍ତି ବିଷୟରେ ନିମୟିତ ସୂଚନା ଦିଆଯାଉଛି ।

କାର୍ତ୍ତିକ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ନୀ-ନାରାୟଣ ବେଶ (ETV Bharat Odisha)
  • ଆଜି ହରି ଉତ୍ଥାପନ ଏକାଦଶୀ

କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀ ବା ପବିତ୍ର ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭଙ୍କର ନିଦ୍ରାଭଙ୍ଗ ହୋଇଛି । ଏହାକୁ ‘ହରି ଉତ୍ଥାପନ ଏକାଦଶୀ’ କୁହାଯାଇଥାଏ । ତେବେ ପଞ୍ଚୁକରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ ସୁଯୋଗ ରହିଛି । କାର୍ତ୍ତିକ ମାସ ପଞ୍ଚୁକ ଆଜିଠାରୁ ଆରମ୍ଭ ହେଉଥିବା ବେଳେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି । ଆସନ୍ତା କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ଅନୁମତି ମିଳିବା ସହ ଅନ୍ୟ ତିନି ଦ୍ଵାରରେ ପ୍ରସ୍ଥାନ ବ୍ୟବସ୍ଥା ରହିବ । ମହାପ୍ରଭୁଙ୍କ ନୀତିକାନ୍ତି ତଥା ଭକ୍ତଙ୍କ ଦର୍ଶନ ଶୃଙ୍ଖଳା ଦୃଷ୍ଟିରୁ ନିଆଯାଇଥିବା ଏହି ପଦକ୍ଷେପ ସକାଶେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ।

ଏହା ମଧ୍ୟ ପଢନ୍ତୁ:-ଗୁରୁବାରଠୁ ଆରମ୍ଭ ପଞ୍ଚୁକ ବ୍ରତ, ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡକୁ ନେଇ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା

ଏହା ବି ପଢନ୍ତୁ- ଆଜି ଅଁଳା ନବମୀ: ଗାଁ ମନ୍ଦିରରେ ହବିଷ୍ୟାଳିଙ୍କ ରାଧା ଦାମୋଦର ବ୍ରତ

  • କାଲି ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ

ପବିତ୍ର ପଞ୍ଚୁକର ଦ୍ବିତୀୟ ଦିବସରେ ଆସନ୍ତାକାଲି (ବୁଧବାର) ଗରୁଡ ଉଥାପନ ସହ ମହାପ୍ରଭୁଙ୍କ ବାଙ୍କଚୂଡା ବେଶ ଅନୁଷ୍ଠିତ ହେବ । ଏହି ବେଶ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତ ବେଶ୍ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Nov 12, 2024, 3:18 PM IST

ABOUT THE AUTHOR

...view details