ଢେଙ୍କାନାଳ: ରୁଙ୍ଗଟା ମାଇନ୍ସ କମ୍ପାନୀ ନାମରେ ଠକେଇ ଅଭିଯୋଗ । ଜାଗା ହଡପ କରିଥିବା ଅଭିଯୋଗ ଆଣି ପ୍ରତିବାଦ କରିଛନ୍ତି 22ଟି ଦଳିତ ପରିବାର । ଗତକାଲି(ମଙ୍ଗଳବାର) ଢେଙ୍କାନାଳର ଓଡାପଡା ବ୍ଲକ ଅନ୍ତର୍ଗତ ମେରାମୁଣ୍ଡଳୀ ଦଳିତ ବସ୍ତି କଲୋନୀ ସାହିର ୨୨ଟି ପରିବାର ଏନେଇ ପ୍ରତିବାଦ କରିଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଇଛନ୍ତି ଅଞ୍ଚଳବାସୀ । ସମସ୍ୟାର ସମାଧାନ ନକରାଗଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଗତକାଲି(ମଙ୍ଗଳବାର) ରାଜ୍ୟ ସିପିଏମ ସମ୍ପାଦକ ବଦ୍ରିନାରାୟଣ ଦାସଙ୍କ ନେତୃତ୍ୱରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ ସମ୍ପର୍କରେ ଅଭିଯୋଗ କରି ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭଯୋଗ ଅନୁଯାଇ ରୁଙ୍ଗଟା କାରଖାନା ସମ୍ପ୍ରସାରଣ ପାଇଁ ଏହି କଲୋନୀ ସାହିର ୭ ଏକର ଜାଗାକୁ ଚଞ୍ଚକତା କରି ହାତେଇ ନେଇଛି । କାରଖାନାରେ ଚାକିରି ମିଳିବ, ରାସ୍ତାଘାଟ, ସ୍କୁଲ,ଜଳ ଏବଂ ବିଦ୍ୟୁତ ଆଦି ବ୍ୟବସ୍ଥା କରାଇ ଦିଆଯିବ ବୋଲି ଆଳାପ ଦେଖାଇଥିଲା ରୁଙ୍ଗଟା ମାଇନ୍ସ । ତାର ଏହି ମିଛ ପ୍ରତିଶୃତିରେ ଭାସି ଯାଇଥିଲେ ନିରୀହ ଲୋକ । ସେମାନଙ୍କୁ ଭୁଲାଇ ଶାଗମାଛ ଦରରେ ଜାଗା କିଣିନେଲେ କମ୍ପାନୀ । ପ୍ରଥମେ କାରଖାନାର ଜଣେ ଦଳିତ ବର୍ଗର ଦଲାଲ ମାଧ୍ୟମରେ କିଣି ନେଇଥିଲେ । ପରେ କାରଖାନା ସେହି ଜାଗା ଦଖଲ କରିଥିବା ଜଣାପଡିଛି । ଜମି ନେବା ପରେ ସେ ଅସଲ ରଙ୍ଗ ଦେଖାଇଥିଲା । ଦେଇଥିବା ପ୍ରତିଶୃତି ତ ଦୂରର କଥା ଲୋକଙ୍କ ବକେୟା ଟଙ୍କା ମଧ୍ୟ ଦେଇନଥିବା ଅଭିଯୋଗ ଆଣିଛନ୍ତି ଲୋକ ।