ଓଡିଶା

odisha

ETV Bharat / state

ଆଜି ନୌସେନା ଦିବସ: ପୁରୀରେ ପରାକ୍ରମ ଦେଖାଇବେ ନୌବୀର, ସାମିଲ ହେବେ ରାଷ୍ଟ୍ରପତି

ଆଜି ମହାପ୍ରଭୁଙ୍କ ଦର୍ଶନ ପରେ ନୌସେନା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ପରାକ୍ରମ ଦେଖାଇବେ ନୌବୀର ।

PRESIDENT DRAUPADI MURMU PURI VISIT
PRESIDENT DRAUPADI MURMU PURI VISIT (ETV Bharat Odisha)

By ETV Bharat Odisha Team

Published : Dec 3, 2024, 7:23 PM IST

Updated : 17 hours ago

ପୁରୀ: ଆଜି ବିଶ୍ବ ଦେଖିବ ଭାରତୀୟ ନୌସେନାର ପରାକାଷ୍ଠା । ପୁରୀ ବ୍ଲୁ-ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ-2024 । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଏକାଧିକ କେନ୍ଦ୍ର ଏବଂ ରାଜ୍ୟ ମନ୍ତ୍ରୀଙ୍କ ସହ ବହୁ ମାନ୍ୟଗଣ ବ୍ୟକ୍ତିବିଶେଷ ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଜଗନ୍ନାଥ ଧାମରେ ନୌବୀରଙ୍କ ପରାକ୍ରମ ଦେଖିବାକୁ ଅପେକ୍ଷାରେ କୋଟି କୋଟି ଭାରତୀୟ ।

INDIAN NAVY DAY PURI (ETV Bharat Odisha)
  • ଆଜି ପରାକ୍ରମ ଦେଖାଇବେ ନୌସେନା:

ନୌସେନା ପକ୍ଷରୁ ସୋମବାର ବ୍ଲୁ-ଫ୍ଲାଗ ବିଚରେ ଫୁଲ୍ ଡ୍ରେସ୍ ରିହରସଲ୍‌ ଅନୁଷ୍ଠିତ ହୋଇଥିଲା । ତେବେ ଆଜି (ବୁଧବାର) ପ୍ରଦର୍ଶିତ ହେବ ଅସଲ ପରାକ୍ରମ । ଏନେଇ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତିନି ସେନା ବାହିନୀର ସର୍ବୋଚ୍ଚ କମାଣ୍ଡର ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଉଥିବାରୁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

INDIAN NAVY DAY PURI (ETV Bharat Odisha)
  • କେତେବେଳେ ଆରମ୍ଭ ହେବ ନୌସେନା କାର୍ଯ୍ୟକ୍ରମ :

ରାଷ୍ଟ୍ରପତି ଆଜି ଅପରାହ୍ନ ୩ଟା ୫୫ରେ ବ୍ଲୁ-ଫ୍ଲାଗ ବିଚରେ ପହଞ୍ଚିବା ପରେ ୪ଟା ୭ରେ ପ୍ରଥମେ ଜାତୀୟ ସଂଗୀତ ଗାନ କରାଯିବ । ଅପରାହ୍ନ ୪ଟାରୁ ଆରମ୍ଭ ହେବ ନୌସେନାର ଭବ୍ୟ ସମାରୋହ । ନୌସେନାର ପରାକ୍ରମୀ ଯବାନମାନେ ବିଭିନ୍ନ ଦୁଃସାହସିକ ଯୁଦ୍ଧକୌଶଳ ପ୍ରଦର୍ଶନ କରିବେ । ସନ୍ଧ୍ୟା ୫ଟା ୨୦ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ନୌସେନାର ମେରାଇନ୍ କମାଣ୍ଡୋ ତଥା ‘ମାର୍କୋସ’ ବିଭିନ୍ନ ଯୁଦ୍ଧ ରଣକୌଶଳ ପ୍ରଦର୍ଶନ କରିବେ । ରାଷ୍ଟ୍ରପତି ପ୍ରସ୍ଥାନ କରିବା ପରେ ଲେଜର ସୋ' ସହିତ ଆକର୍ଷଣୀୟ ଡ୍ରୋନ୍ ସୋ' ପ୍ରଦର୍ଶିତ ହେବ । ସନ୍ଧ୍ୟା ୬ଟା ୧୫ ପର୍ଯ୍ୟନ୍ତ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉଭୟ ସମୁଦ୍ର ଓ ଆକାଶରେ ୨୦ରୁ ଊର୍ଦ୍ଧ୍ବ ଯୁଦ୍ଧ ମୁକାବିଲା କଳା-କୌଶଳ ପ୍ରଦର୍ଶନ କରିବେ । ନାଭାଲ ମ୍ୟୁଜିକ୍ ବ୍ୟାଣ୍ଡ୍ ଏବଂ ମଞ୍ଚ ଉପରେ ନୌସେନାଙ୍କ ଚିତ୍ତାକର୍ଷକ ଡ୍ରିଲ୍ ଦର୍ଶକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବ । ବୁଡ଼ାଜାହାଜ, ଯୁଦ୍ଧ ଜାହାଜ, ଟ୍ୟାଙ୍କ୍, ପାରା ଜମ୍ପର୍ସଙ୍କ ପ୍ରଦର୍ଶନ ମଧ୍ୟ ଦେଖିବାର ସୁଯୋଗ ମିଳିବ ।

INDIAN NAVY DAY PURI (ETV Bharat Odisha)

ନୌସେନା ଦିବସ ସମ୍ପର୍କରେ:

ଏନେଇ ‘ଆଇଏନ୍‌ଏସ-ଚିଲିକା’ର ମୁଖ୍ୟ କମାଣ୍ଡିଂ ଅଧିକାରୀ ଦୀପକ ଅନିଲ କହିଛନ୍ତି,"୧୯୭୧ ମସିହା ଯୁଦ୍ଧରେ ଭାରତୀୟ ନୌସେନା ପାକିସ୍ତାନର ବନ୍ଦର ସହର କରାଚି ଉପରେ ପ୍ରଚଣ୍ଡ ଆକ୍ରମଣ କରି ଧ୍ବଂସବିଧ୍ୱଂସ୍ତ କରିଦେଇଥିଲା । ଏହି ସ୍ମୃତିରେ ପ୍ରତିବର୍ଷ ଡିସେମ୍ବର ୪ ତାରିଖରେ ନୌସେନା ଦିବସ ପାଳନ କରାଯାଉଛି । ଏହା ଆମ ନୌସେନାର ଦକ୍ଷତାର ପରିଚୟ ।"

ଲକ୍ଷାଧିକ ଲୋକ ଦେଖିବେ କାର୍ଯ୍ୟକ୍ରମ:

INDIAN NAVY DAY PURI (ETV Bharat Odisha)

ସେହିପରି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି," ଓଡ଼ିଶାରେ ଏବଂ ପୁରୀ ସମୁଦ୍ର କୂଳରେ ନୌସେନାର ଏହି ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯିବା ଆମ ପାଇଁ ଗର୍ବର ବିଷୟ । ଲକ୍ଷାଧିକ ପର୍ଯ୍ୟଟକ ତଥା ଦର୍ଶକ ଏହି କାର୍ଯ୍ୟକ୍ରମକୁ ଦେଖିବେ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ନୌସେନାର ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ 15 ଟି ଯୁଦ୍ଧ ଜାହାଜ ଓ 40ଟି ଏୟାରକ୍ରାଫ୍ଟ କାର୍ଯ୍ୟକ୍ରମରେ ସାମିଲ ହେବେ ।

  • ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି:

ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଶ୍ରମନ୍ଦିରରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ପାଇଁ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ହୋଇଛି । ସକାଳ ୧୦ ଟା ୧୫ରୁ ୧୧ ଟା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ଶ୍ରୀମନ୍ଦିର ଗର୍ଭଗୃହରେ ରାଷ୍ଟ୍ରପତି ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଣୁ ପ୍ରାତଃ ୫ଟାରୁ ଦ୍ବାର ଫିଟା ନୀତି ଅନୁଷ୍ଠିତ ହୋଇଛି । ସକାଳ ୮ ଟା ୪୫ ସୁଦ୍ଧା ଶ୍ରୀମନ୍ଦିରକୁ ଶୌଧ କରାଯିବା ସହ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯିବ ।

INDIAN NAVY DAY PURI (ETV Bharat Odisha)

ଏହା ମଧ୍ୟ ପଢନ୍ତୁ...ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଆସନ୍ତାକାଲି ନୌସେନା ଦିବସ କାର୍ଯ୍ୟକ୍ରମରେ ହେବେ ସାମିଲ

ଏହା ମଧ୍ୟ ପଢନ୍ତୁ...ଦିନକ ପରେ ନୌସେନା ଦିବସ, ବ୍ଲୁ-ଫ୍ଲାଗ ବିଚରେ ହେଲା ଫୁଲ୍ ଡ୍ରେସ ରିହରର୍ସାଲ

ଏହା ମଧ୍ୟ ପଢନ୍ତୁ...ବେଳାଭୂମିରେ ଯୁଦ୍ଧଜାହାଜର ଗର୍ଜନ, ପୁରୀକୁ ଜଗିବେ ୮୫ ପ୍ଲାଟୁନ ଫୋର୍ସ


ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ କୌଳିକ ପଣ୍ଡା ପ୍ରସ୍ତୁତ:

PRESIDENT DRAUPADI MURMU PURI VISIT (ETV Bharat Odisha)

ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ଦେବୀ ପ୍ରସାଦ ମହାପାତ୍ର କହିଛନ୍ତି," ଆମେ ଗଣମାଧ୍ୟମରୁ ଜାଣିଛୁ ରାଷ୍ଟ୍ରପତି ପୁରୀରେ ଅନୁଷ୍ଠିତ ହେବାକୁ ଥିବା ନୌବାହିନୀର ସାମରିକ କଳା କୌଶଳ ପ୍ରଦର୍ଶନୀରେ ଯୋଗ ଦେବେ । ଯେହେତୁ ସେ ପୁରୀ ଆସୁଛନ୍ତି ମହାପ୍ରଭୁଙ୍କୁ ନିଶ୍ଚିତ ଦର୍ଶନ କରିବେ । ଏପର୍ଯ୍ୟନ୍ତ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆମକୁ ରାଷ୍ଟ୍ରପତିଙ୍କ ଆଗମନ ନେଇ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ ଆମେ ରାଷ୍ଟ୍ରପତିଙ୍କ ସ୍ବାଗତ କରି ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପୁରା ପ୍ରସ୍ତୁତ ରହିଛୁ ।"

PRESIDENT DRAUPADI MURMU PURI VISIT (ETV Bharat Odisha)

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀରେ ଯୋଗଦେବେ ମହାମହିମ:

ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ଦାଶ କହିଛନ୍ତି," ପୁରୀରେ ଗୋପୋବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ 1949 ମସିହାରେ ପ୍ରତିଷ୍ଠା ହୋଇଥିଲା । 2024ରେ ଏହା 75 ବର୍ଷ ପୂରଣ କରିଛି । ଏହି ଅବସରରେ କଲେଜ ହୀରକ ଜୟନ୍ତୀ ଉତ୍ସବ ପାଳନ କରୁଛି । ଏହା ଡିସେମ୍ବର 4 ରୁ 6 ତାରିଖ ଯାଏ ତିନି ଦିନ ଧରି ଅନୁଷ୍ଠିତ ହେବ । ତେବେ ହୀରକ ଜୟନ୍ତୀ ଉତ୍ସବର ପ୍ରଥମ ଦିବସରେ ଅର୍ଥାତ ଆଜି ମହାମହିମ ରାଷ୍ଟ୍ରପତି ମୁଖ୍ୟ ଅତିଥିଭାବେ ଯୋଗଦେବେ । ସେହିପରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀମାନେ ମଧ୍ୟ ଯୋଗ ଦେବେ ।


ଏମିତି କହିଲେ ପୁରୀ SP:
ପୁରୀରେ ସୁରକ୍ଷା ବ୍ୟବସ୍ଥା କିଭଳି କଡ଼ାକଡ଼ି କରାଯାଇପାରିବ ସେନେଇ ପୋଲିସ ବିଭାଗ ପକ୍ଷରୁ ଟାଉନ ହଲ ଠାରେ ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏନେଇ ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି," ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ପରେ ରାଜଭବନ ଯାଇ କିଛି ସମୟ ବିଶ୍ରାମ ନେବା ପରେ ଅପରାହ୍ନ ୩ଟା ୫୫ରେ ବ୍ଲୁ ଫ୍ଲାଗ ବିଚରେ ହେବାକୁଥିବା ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । "

ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା:

ସେ ଆହୁରି ମଧ୍ୟ କହିଛନ୍ତି," ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ପାର୍କିଂ ସହ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ପାଇଁ ୧୪ ଜଣ ଏସପି ରାଙ୍କ ଅଧିକାରୀ ନିୟୋଜିତ ରହିବେ । ସେମାନଙ୍କୁ ଅତିରିକ୍ତ ଏସପି, ଡିଏସପି ଏବଂ ଇନ୍ସପେକ୍ଟର ରାଙ୍କର ଅଧିକାରୀ ସହଯୋଗ କରିବେ । ପୁରୀ ସହରରେ ମୋଟ ୮୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ।"

ପୁରୀ ଆସୁଥିଲେ କେଉଁଠି କରିବେ ଗାଡ଼ି ପାର୍କିଂ ?

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଏବଂ ନୌସେନା ଦିବସ ଦେଖିବାକୁ ଆସୁଥିବା ଦର୍ଶକମାନେ ତାଳବଣିଆ ଏବଂ ଷ୍ଟ୍ରଲିଙ୍ଗ ଛକ ନିକଟରେ ପାର୍କିଂ ବ୍ୟବସ୍ଥା ହୋଇଛି । ଦର୍ଶକମାନେ ପୁରୀ ବେଳାଭୂମିର ଦିଗବାରେଣୀ ଛକରୁ ଷ୍ଟର୍ଲିଂ ଛକ ଯାଏ ଥିବା ବେଳାଭୁମିରେ ଉପସ୍ଥିତ ରହି ନୌସେନା ଦିବସ ଦେଖିପାରିବେ । ଯେଉଁମାନେ ଭୁବନେଶ୍ଵରରୁ ଚାରି ଚକିଆରେ ଆସିବେ ସେମାନେ ମାଳତୀପାଟପୁରରେ ଥିବା ରେଳୱେ ଓଭରବ୍ରିଜ ଦେଇ ତାଳବଣିଆ ପାର୍କିଂରେ ଗାଡି ରଖିବେ । ଦୁଇ ଚକିଆ ଗାଡିକୁ ମାଳତୀପାଟପୁର, ବାଟଗାଁ, ମଙ୍ଗଳା ଘାଟ ଦେଇ ପୁରୀ ବିଚର ଷ୍ଟଲିଙ୍ଗରେ ଥିବା ପାର୍କିଂରେ ଗାଡି ରଖିବେ । କୋଣାର୍କରୁ ଆସିଥିବା ଯାତ୍ରୀ ତାଳବଣିଆରେ ଗାଡି ରଖିବେ । ବ୍ରହ୍ମଗିରିରୁ ଆସିଥିବା ଯାତ୍ରୀ ପୁରୀ ବିଚର ଷ୍ଟରଲିଂ ଠାରେ ଗାଡି ରଖିବେ ।

ଆପଣଙ୍କ ପାଖରେ ପାସ ଥିଲେ ଏଠି ରଖିବେ ଗାଡ଼ି ...

ଅରେଞ୍ଜ ପାସ ଥିବା ଗାଡି ଜେଲ ରୋଡ ଓ ସରଧାବାଲି ପାର୍କିଂରେ ଗାଡି ରଖିବେ । ବ୍ଲୁ ପାସ ଥିବା ଗାଡି ହୋଟେଲ ନୀଳାଞ୍ଚଳ ଅଶୋକ, ବ୍ଲେସଡ ସକ୍ରାମେଣ୍ଟ ସ୍କୁଲ ଓ ଏସସିଏସ କଲେଜରେ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : 17 hours ago

ABOUT THE AUTHOR

...view details