ପୁରୀ:ସାଧାରଣ ନିର୍ବାଚନ ପାଇଁ ଶନିବାର ବାଜିଛି ବିଗୁଲ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପୁରୀ ଜିଲ୍ଲା ପ୍ରଶାସନ । ଏହି ପରିପ୍ରେକ୍ଷୀରେ ଗତକାଲି(ରବିବାର) ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଜିଲ୍ଲାର 6ଟି ବିଧାନସଭା ପାଇଁ ନିର୍ବାଚନ ସୂଚୀ ଘୋଷଣା କରିଛନ୍ତି । ଜିଲ୍ଲାର ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ପୁରୀ ଲୋକସଭା ଅଧିନରେ ଥିବା ବ୍ରହ୍ମଗିରି, ସତ୍ୟବାଦୀ, ପୁରୀ ଓ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଇ ୨୫ ତାରିଖରେ ମତଦାନ ହେବ । ସେହିପରି ଜଗତସିଂହପୁର ଲୋକସଭା ନିର୍ବାଚନ ଅଧିନରେ ଥିବା ନିମାପଡା ଓ କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ ୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ପୁରୀ ଜିଲ୍ଲାର ୧୫୯୮ ଗୋଟି ମତଦାନ କେନ୍ଦ୍ରରେ ମତଦାତାମାନେ ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି ।
ପୁରୀ ସର୍କିଟ ହାଉସଠାରେ ନିର୍ବାଚନ ତାରିଖ ଘୋଷଣା, ଆଦର୍ଶ ଆଚରଣ ବିଧି ପାଳନ ଓ ନିର୍ବାଚନ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବିବିଧ ସୂଚନା ପ୍ରଦାନ କରାଯାଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ନିର୍ବାଚନ କମିଶନ ନିର୍ବାଚନ ତାରିଖ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ଯାଇଥିବାରୁ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ । ୧୧୭ ପୁରୀ ଲୋକସଭା ଓ ତତ୍ ଅନ୍ତର୍ଗତ ବିଧାନସଭା ଆସନ ପାଇଁ ଅପ୍ରେଲ ୨୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଆରମ୍ଭ ହେବ । ମଇ ୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୭ ତାରିଖ ଯାଞ୍ଚ ଓ ୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ସେହିପରି ମଇ ୨୫ ତାରିଖରେ ମତଦାନ ଅନୁଷ୍ଠିତ ହେବ ।
ଅନ୍ୟପଟେ ଜଗତସିଂହପୁର ଲୋକସଭା ଅନ୍ତର୍ଗତ କାକଟପୁର ଓ ନିମାପଡା ବିଧାନସଭା ଆସନ ପାଇଁ ମଇ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ସହ ନାମାଙ୍କନ ଆରମ୍ଭ ହେବ । ମଇ ୧୪ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୧୫ ତାରିଖ ଯାଞ୍ଚ ଓ ୧୭ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । ଜୁନ ୧ ତାରିଖରେ ମତଦାନ ଅନୁଷ୍ଠିତ ହେବ । ଜୁନ ୪ ତାରିଖରେ ଭୋଟ ଗଣତି କରାଯିବ ଓ ନିର୍ବାଚନ ପ୍ରକ୍ରିୟା ଜୁନ ୬ ତାରିଖରେ ସମାପନ ହେବ ବୋଲି ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।