ନିଆଳି: ରାତି ପାହିଲେ ପ୍ରଥମାଷ୍ଟମୀ । ଓଡିଆ ଘରର ପରମ୍ପରା ଅନୁସାରେ, ପରିବାରର ଜ୍ୟଷ୍ଠ ସନ୍ତାନ ପଢୁଆଁ ହେବେ । 12 ମାସରେ 13 ପର୍ବ ପରି ଶ୍ରୀମନ୍ଦିରରେ ମଧ୍ୟ ହେବ ପ୍ରଥମାଷ୍ଟମୀ ସ୍ବତନ୍ତ୍ର ନୀତିକାନ୍ତି । ପଢୁଆଁ ହେବେ ବଡଠାକୁର ଶ୍ରୀ ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପରମ୍ପରା ଅନୁସାରେ, ଜଗନ୍ନାଥଙ୍କ ମାମୁଁଘର ଭାବେ ଖ୍ୟାତ ନିଆଳିର ଶ୍ରୀ ମାଧବାନନ୍ଦଜୀଉ ପୀଠରୁ ଶ୍ରୀମନ୍ଦିରକୁ ଯାଇଛି ପ୍ରଥମାଷ୍ଟମୀ ଭାର ବା ‘ପଢୁଆଁ ଭାର’ । ଆଜି ସ୍ବତନ୍ତ୍ର ନୀତିକାନ୍ତି ପରେ ପଢୁଆଁ ଭାର ପୁରୀ ଅଭିମୁଖେ ବାହାରିଛି ।
- ମହାପ୍ରଭୁଙ୍କ ପାଇଁ ପଢୁଆ ଭାରରେ କ’ଣ ଯାଏ:-
ଆଜି ସକାଳୁ ମାଧବାନନ୍ଦପୀଠରେ ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାଉଥିବା ଭାର ଶୋଭଯାତ୍ରାରେ ନିଜକୁ ସାମିଲ କରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କ ଉଦ୍ଦେଶ୍ୟରେ ପାଟ ବସ୍ତ୍ର, ପିଠା ପାଇଁ ବିରି, ନଡିଆ, ଗୁଡ଼, ଛେନା, କଦଳୀ, ସହିତ ବିଭିନ୍ନ ପ୍ରକାରର ଫଳମୂଳ, ତୁଳସୀ, ଫୁଲ, ଚନ୍ଦନ, ଅଗୁର ଆଦି ଭାରରେ ଯାଇଥାଏ । ଅଷ୍ଟମୀ ପୂର୍ବ ଦିନଠାରୁ ଏହି ଭାର ଅଞ୍ଚଳବାସୀଙ୍କ ସହଯୋଗରେ ପଠାଯାଇଥାଏ ।
- ପ୍ରଭୁ ମାଧବାନନ୍ଦ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାମୁଁ
ଶ୍ରୀମନ୍ଦିର ସହ ମାଧବାନନ୍ଦ ପୀଠର ପ୍ରାଚୀନ ତଥା ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ପୌରାଣିକ ମାନ୍ୟତା ଅନୁସାରେ, ପ୍ରଭୁ ମାଧବାନନ୍ଦ ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମାମୁଁ । ପୂର୍ବରୁ ମାଧବାନନ୍ଦ ମନ୍ଦିରରେ ଅନେକ ଭୂସମ୍ପତ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଦିଆଯାଇଥିବାର ଲୋକକଥା ମଧ୍ୟ ରହିଛି । ସେହି ଜମିରୁ ଉତ୍ପାଦିତ ସାମଗ୍ରୀ ଅଣାଯାଇ ଶ୍ରୀ ମନ୍ଦିରକୁ ପ୍ରତିବର୍ଷ ପଢୁଆଁ ଭାର ରୂପେ ପ୍ରଦାନ କରାଯାଇଆସୁଛି । ଉତ୍କଳୀୟ ପରମ୍ପରା ଅନୁସାରେ, ଅନାଦି କାଳରୁ ଏହି ପଢୁଆଁ ଭାରର ପରମ୍ପରା ପାଳିତ ହୋଇଆସୁଥିଲା । ତେବେ ଗତ କିଛି ବର୍ଷ ହେବ ଏହା କୌଣସି କାରଣରୁ କିଛି ବର୍ଷ ପାଳନ ହୋଇପାରି ନଥିଲା । ପୁଣି ପରବର୍ତ୍ତୀ ସମୟରେ ଏହି ମହାନ ପରମ୍ପରାକୁ ପୁର୍ନଜୀବିତ କରାଯାଇଥିବାରୁ ବେଶ ଗର୍ବ ଅନୁଭବ କରନ୍ତି ନିଆଳିବାସୀ ।