ଓଡିଶା

odisha

ETV Bharat / state

ଆଳୁ ବଜାରରେ ନିଆଁ; ପଶ୍ଚିମବଙ୍ଗ ଦାଦାଗିରି ପାଇଁ ଆସିପାରୁନି ଆଳୁ, ଫେରିଗଲା 200 ଟ୍ରକ, ମନ୍ତ୍ରୀ କହିଲେ ୟୁପିରୁ ଆଣିବୁ - Skyrocketing potato price in Odisha - SKYROCKETING POTATO PRICE IN ODISHA

Skyrocketing potato prices in Odisha: ଆଳୁ ପାଇଁ ଏବେ ବଢ଼ିଲାଣି ସମସ୍ୟା । କେଉଁଠି ଆଳୁ କେଜି ପ୍ରତି 40 ତ ପୁଣି କେଉଁଠି 45 ଟଙ୍କା ଛୁଇଁଲାଣି । ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନୀ ପାଇଁ ମନା କରିଥିବାରୁ ଓଡ଼ିଶା ସୀମାରେ ଅଟକି ଥିବା ଆଳୁ ଟ୍ରକ ବଙ୍ଗ ଫେରିଯାଇଛି । ତେବେ ଆଜି ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି । ଅଧିକ ପଢନ୍ତୁ

Skyrocketing potato prices in Odisha
Skyrocketing potato prices in Odisha (ETV Bharat Odisha)

By ETV Bharat Odisha Team

Published : Jul 26, 2024, 6:04 PM IST

ଭୁବନେଶ୍ବର/କଟକ/ବାଲେଶ୍ବର:ବିଧାନସଭାରେ ଶୂନ୍ୟକାଳରେ ଉଠିଲା ଆଳୁ ପ୍ରସଙ୍ଗ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଳୁ କିଲୋ ପିଛା 43ରୁ 45 ଟଙ୍କା ଦରରେ ବିକ୍ରି ହେଉଛି । ତେବେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ପଠାଇବା ବନ୍ଦ କରିଦେଇଛନ୍ତି । ଯଦି ବଙ୍ଗ ସରକାର ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ କରେ, ତେବେ ବାଲେଶ୍ଵରରୁ ପଶ୍ଚିମବଙ୍ଗ ଯାଉଥିବା ବିଭିନ୍ନ ସମାଗ୍ରୀକୁ ବନ୍ଦ କରାଯିବ । ସରକାର ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି ବାଲେଶ୍ଵର ବିଜେପି ବିଧାୟକ ମାନସ ଦତ୍ତ । ଯଦି ପଶ୍ଚିମବଙ୍ଗ ସରକାର ଆଳୁ ନ ଦିଏ ତେବେ ଉତ୍ତର ପ୍ରଦେଶରୁ ଆଳୁ ଅଣାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ରପାତ୍ର ।

ଆଳୁ ବଜାରରେ ନିଆଁ (ETV Bharat Odisha)

ପଶ୍ଚିମବଙ୍ଗ ଦାଦାଗିରି ପାଇଁ ଆସିପାରୁନି ଆଳୁ !

ଏନେଇ ବିଜେପି ବିଧାୟକ ମାନସ ଦତ୍ତ କହିଛନ୍ତି, "ଓଡ଼ିଶା ଓ ପଶ୍ଚିବମଙ୍ଗ ମଧ୍ୟରେ ଏକ ସୁସମ୍ପର୍କ ରହିଛି । ଓଡ଼ିଶାରୁ ବହୁ ସାମଗ୍ରୀ ପଶ୍ଚିମବଙ୍ଗକୁ ଓ ପଶ୍ଚିମବଙ୍ଗରୁ ବହୁ ସାମଗ୍ରୀ ଓଡ଼ିଶାକୁ ବାଲେଶ୍ବର ଦେଇ ଆସେ । ହେଲେ ପଶ୍ଚିବମଙ୍ଗ ସରକାର ଜାଣିଶୁଣି ସୀମାନ୍ତ ଜିଲ୍ଲାକୁ ଆଳୁ ରପ୍ତାନୀ ବନ୍ଦ କରିଛି । ବାଲେଶ୍ବର ବ୍ୟବସାୟୀ ସଙ୍ଘ ସହିତ କଥା ହୋଇଥିଲି, ସେମାନଙ୍କ ନିକଟକୁ ବି ଆଳୁ ପହଞ୍ଚିପାରୁନି । ସୀମାନ୍ତ ଅଞ୍ଚଳରେ ଆଳୁ ଟ୍ରକ ଅଟକି ରହିଛି । ଏଥିଲାଗି ବାଲେଶ୍ବର ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛି । ମୁଁ ବଙ୍ଗ ସରକାରକୁ ଅନୁରୋଧ କରୁଛି, ବାଧ୍ୟ କରନ୍ତୁନି କୌଣସି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆନଯାଉ ।"

ଖାଁ ଖାଁ ଭୁବନେଶ୍ବରର ଏକ ନମ୍ବର ପରିବା ହାଟ (ETV Bharat Odisha)

ଆଳୁ ବର୍ଦ୍ଧିତ ଦରକୁ ନେଇ ଜରୁରୀ ବୈଠକ:-

ଆଳୁର ବର୍ଦ୍ଧିତ ଦର ଅଭାବକୁ ନେଇ ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ଆଳୁର ଅଭାବକୁ ଦେଖି ଅପରାହ୍ନ ୩ଟାରେ ଜରୁରୀକାଳୀନ ବୈଠକ ଡାକିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଏନେଇ ପ୍ରତିକ୍ରିୟା ରଖି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି, "ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଏନେଇ ଆମେ ତାଙ୍କ ସହ ଆଲୋଚନା କରିବୁ । ଯଦି ତୁରନ୍ତ ଆଳୁ ସମସ୍ୟା ସମାଧାନ ନ ହେଉଛି ଆମେ ଉତ୍ତରପ୍ରଦେଶ ସରକାରଙ୍କ ସହ ଆଜି ଆଲୋଚନା କରିବୁ । ପଶ୍ଚିମବଙ୍ଗ ଯଦି ଆଳୁ ନ ଦିଏ ତେବେ ଉତ୍ତରପ୍ରଦେଶରୁ ଖୁବଶୀଘ୍ର ଆଣିବୁ । ଆମେ ଖବର ପାଇଛୁ ସେ ଓଡ଼ିଶା ସହିତ ଅନ୍ୟ କିଛି ରାଜ୍ୟକୁ ମଧ୍ୟ ଆଳୁ ରପ୍ତାନୀ ବନ୍ଦ କରିଛନ୍ତି । ଏ ନେଇ ସେଠାକର ଯୋଗାଣ ମନ୍ତ୍ରୀଙ୍କ ସହ ମୁଁ ଆଲୋଚନା କରିବି ।"

ଅସାଧୁ ବ୍ୟବସାୟୀଙ୍କୁ ମନ୍ତ୍ରୀଙ୍କ ଚେତାବନୀ:-

ବଜାରରେ ଆଳୁ ଚଢା ଦରରେ ବିକ୍ରି ହେଉଥିବା ବେଳେ ମନ୍ତ୍ରୀ ଅସାଧୁ ବ୍ୟବସାୟୀଙ୍କୁ ଚେତାବନୀ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ଆମେ ଅନୁଧ୍ୟାନ କରିଛୁ ମାର୍କେଟରେ ଆଳୁ ରେଟ କମ ଅଛି । ମୁଁ 5 କେଜି ଆଳୁ ଆଣିଛି 135 ଟଙ୍କାରେ । ଗୋଦାମ ଉପରେ ମୁଁ ଚଢ଼ାଉ କରିଥିଲି । ସେଠି 27 ଟଙ୍କା ରହିଛି ଦାମ । ସେହି ଅନୁଯାୟୀ ରିଟେଲ 32 ଟଙ୍କା ରହିବ କଥା । ମୁଁ ସମସ୍ତଙ୍କୁ ଅପିଲ କରୁଛି କେହି କିଲୋ ପିଛା ଆଳୁ 32 ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରି କରନ୍ତୁ ନାହିଁ । ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ସୀମାନ୍ତ ଅଞ୍ଚଳରୁ ଫେରିଗଲା 200 ଟ୍ରକ (ETV Bharat Odisha)

ପୁଣି ପଶ୍ଚିମବଙ୍ଗକୁ ଫେରିଗଲା ଟ୍ରକ୍‌:-

ପଶ୍ଚିମବଙ୍ଗରୁ ଓଡିଶାକୁ ଆଳୁ ଆମଦାନୀ କରାଯାଉଥିବା ବେଳେ ସୀମାରେ ଆଳୁ ଟ୍ରକ ଓଡ଼ିଶାକୁ ନ ଛାଡିବା ନେଇ ବଢିଛି ଦ୍ଵନ୍ଦ୍ବ । ଆଜି ଓଡ଼ିଶା ଆଡକୁ ଆସୁଥିବା ଆଳୁ ଟ୍ରକଗୁଡିକୁ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ପୋଲିସ ଅଟକାଇ ଓଡ଼ିଶା ଭିତରକୁ ପ୍ରବେଶ ପାଇଁ ମନା କରିଥିଲା । ଯାହା ଫଳରେ ଦୀର୍ଘ ସମୟ ଆଳୁ ଟ୍ରକ ଗୁଡିକ ଅପେକ୍ଷା କରିବା ପରେ ଶେଷରେ ଟ୍ରକ ପୁଣି ପଶ୍ଚିମବଙ୍ଗକୁ ଫେରିଯାଇଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗର ସୋନାକନିଆ ଚେକପୋଷ୍ଟରେ ଅଟକି ଥିବା ସମସ୍ତ ଆଳୁ ଟ୍ରକକୁ ପଶ୍ଚିମବଙ୍ଗକୁ ଫେରାଇ ନେଲା ପଶ୍ଚିମବଙ୍ଗ ପ୍ରଶାସନ । ଘଟଣା ସ୍ଥଳରେ ପଶ୍ଚିମବଙ୍ଗ ମେଦିନିପୁର ଜିଲ୍ଲା ଆଡିସନାଲ ଏସପି ସୌମିକ ସେନଗୁପ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ଗତକାଲି ରାତିଠାରୁ 60 ନମ୍ବର ଜାତୀୟ ରାଜପଥ ସୋନାକନିଆ ଚେକପୋଷ୍ଟରେ ଅଟିକି ରହିଥିଲା 200ରୁ ଊର୍ଦ୍ଧ୍ଵ ଆଳୁ ବୋଝେଇ ଟ୍ରକ । ଅନ୍ୟପଟେ ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉନଥିବାରୁ ବଜାରରେ ଆଳୁ ଦର ବୃଦ୍ଧି ପାଉଛି । ପଶ୍ଚିମବଙ୍ଗ ପଟୁ ଆଳୁ ଟ୍ରକକୁ ଛାଡ଼ିବା ପାଇଁ କୌଣସି ନିର୍ଦ୍ଦେଶ ମିଳିନାହିଁ ବୋଲି ସେଠାକାର ପୋଲିସ କହୁଥିବା ବେଳେ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଟ୍ରକ ଗୁଡ଼ିକୁ ପୋଲିସ ଜଗିବା ସହ କୌଣସି ଟ୍ରକକୁ ଓଡ଼ିଶା ସୀମାରେ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିଲା । ଶେଷରେ ବାଧ୍ୟ ହୋଇ ଟ୍ରକଗୁଡ଼ିକ ପଶ୍ଚିମବଙ୍ଗକୁ ଫେରିଥିବା ଜଣାପଡ଼ିଛି ।

କଟକ ଛତ୍ର ବଜାରରେ ଆଳୁ କିଲୋ 43ରୁ 45 କେଜି (ETV Bharat Odisha)

କଟକ ଛତ୍ର ବଜାରରେ ଆଳୁ କିଲୋ 43ରୁ 45 କେଜି:-

ଗୁରୁବାର କଟକ ଛତ୍ର ବଜାରରେ ଆଳୁ ଧଡ଼ା" ଅର୍ଥାତ 3 କିଲୋକୁ 120ରୁ 130 ଟଙ୍କାରେ ବିକ୍ରି ହେଉଛି। ହଠାତ ଦର ବୃଦ୍ଧି ଦେଖି ଗ୍ରାହକଙ୍କ ଚିନ୍ତା ବଢି ଯାଇଛି । ଏମିତି ତ 2 ଦିନ ତଳେ କିଲୋ 35ରୁ 37 ଟଙ୍କା ଥିଲା ଆଉ ଆଜି 42ରୁ 45 ହେବା ପରେ ଏହା ବେଡି ଉପରେ କୋରଡା ମାଡ ଭଳି ହୋଇଛି । ଗଲା ଦୁଇଦିନ ପୂର୍ବରୁ ଆଳୁ କିଲୋ 35 ଟଙ୍କାରେ ବିକ୍ରି ହେଉଥିଲା । ହେଲେ ଚାହିଦା ଅନୁସାରେ ଆଳୁ ନ ଥିବାରୁ ହଠାତ 7ରୁ 10 ଟଙ୍କା ଦର ବୃଦ୍ଧି ପାଇଛି । ଛତ୍ର ବଜାରକୁ ଦୈନିକ 80ରୁ 90 ଟନ ଆଳୁ ଆସିଥାଏ । ଆଜି ଗୋଟିଏ ବି ଗାଡି ଆସିନାହିଁ ।

ଖୁଚୁରା ବ୍ୟବସାୟୀ କହିଛନ୍ତି, "ଗୋଦାମରେ ଦର ଉଚ୍ଚା ରହିଛି ତା ସହ ଆଳୁ ନାହିଁ । ତେବେ ବେଙ୍ଗଲରେ ଆଳୁ ଷ୍ଟୋର ମାଲିକଙ୍କ ଧର୍ମଘଟ ଯୋଗୁଁ ଆଳୁ ଗାଡି ନ ଆସିବାରୁ ଏଭଳି ପରିସ୍ଥିତି ହୋଇଛି । ଦିନେ ଦୁଇ ଦିନ ଭିତରେ ସ୍ଥିତି ଠିକ ହୋଇପାରେ ବୋଲି ସୂଚନା ଦେଇଛନ୍ତି ଛତ୍ର ବଜାର ବ୍ୟବସାୟୀ ସଂଘ ସମ୍ପାଦକ ।

ଦର ୫୦ ଛୁଇଁଲା ପରେ ବଜାରରୁ ଉଭାନ ଆଳୁ:-

ଖାଁ ଖାଁ ଭୁବନେଶ୍ବରର ଏକ ନମ୍ବର ପରିବା ହାଟ । ହାଟରେ ଥିବା ଆଳୁ ଦୋକାନଗୁଡିକରେ ଆଳୁ ନଥିବା ବେଳେ ଗ୍ରାହକଙ୍କୁ ମିଳୁନି ଆଳୁ । କ୍ଷୁଦ୍ର ବ୍ୟବସାୟୀ ଚଢା ଦରରେ ଆଣି ୪୦ରୁ ୫୦ ଟଙ୍କା ବିକୁଥିବା ବେଳେ ଅସନ୍ତୋଷ ପ୍ରକାଶ କରି ଫେରିଯାଇଛନ୍ତି ଗ୍ରାହକ । ସରକାର ଆଳୁ କିଲୋ ପିଛା 32ଟଙ୍କାରେ ବିକ୍ରି କରିବାକୁ କହୁଥିବା ବେଳେ କ୍ଷତି ସହି ଆଳୁ ବିକ୍ରି ପାଇଁ ବ୍ୟବସାୟୀ ରାଜି ହେଉନାହାନ୍ତି । ଏଭଳି ସ୍ଥିତିରେ ଆଳୁ ବ୍ୟବସାୟୀଙ୍କ ମତ ସରକାର ରାଜ୍ୟରେ ଶୀତଳ ଭଣ୍ଡାର ଖୋଲନ୍ତୁ । ଯାହାଦ୍ବାରା ଆମ ରାଜ୍ୟରେ ହିଁ ଭଲ ଅମଳ ହୁଅନ୍ତା ଆଉ ଏହା ଗଚ୍ଛିତ ବି ହୋଇପାରନ୍ତା । ଫଳରେ ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟ ଉପରେ ଆମକୁ ଆଉ ନିର୍ଭର ହେବାକୁ ପଡନ୍ତା ନାହିଁ । ତେଣୁ ନୂଆ ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ବ୍ୟବସାୟୀ ଦାବି କରିଛନ୍ତି ।

'ଗରୀବର ଭାତ ଥାଳି ଆଳୁ'

ଆଳୁ ଏକ ଅତ୍ୟାବଶ୍ୟକ ପରିବା ହୋଇଥିବା ବେଳେ ଗରୀବର ଭାତ ଥାଳି ବୋଲି କହିଛନ୍ତି ଗ୍ରାହକ । କିନ୍ତୁ ଏଥିପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରି ଆମେ ରହୁଥିବାର ଆଳୁର ଅଭାବ ଆମ ରାଜ୍ୟରେ ହେଉଛି । ଦରଦାମ ମଧ୍ୟ ବଢୁଛି । ଯାହାର ସିଧାସଳଖ ପ୍ରଭାବ ରୋଷେଇଘରେ ପଡୁଛି । ଆଳୁ କିଲୋ ୫୦ ଟଙ୍କା ହେଲେ ପକେଟକୁ ବାଧୁଛି । ତେଣୁ ଖାଉଟିଙ୍କ ପକେଟକୁ ସୁହାଇଲା ପରି ଦର ବ୍ୟବସ୍ଥା ଉପରେ ଯଦି ସରକାର ନଜର ଦିଅନ୍ତେ, ତେବେ ଖାଉଟି ଉପକୃତ ହେବା ସହ ପକେଟରୁ ଆଳୁର ଅଧିକ ଟଙ୍କାଟା ବଞ୍ଚିଯାନ୍ତା ବୋଲି କହିଛନ୍ତି ରାଜଧାନୀବାସୀ ।

ଇଟିଭି ଭାରତ, ଭୁବନେଶ୍ବର/କଟକ/ବାଲେଶ୍ବର

ABOUT THE AUTHOR

...view details