ଭୁବନେଶ୍ବର:ନିଯୁକ୍ତି ଓ ବଦଳି ପାଇଁ ଅଧିକାରୀ ବାହ୍ୟଚାପ ପକାଉଥିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ଜୋରଦାର ରାଜନୀତି । ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ପ୍ରଶାସନ ଚଳାଇବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ବିରୋଧୀ ଦଳ ବିଜେଡି । ଜଣେ ଦୁର୍ନୀତି ମୁକ୍ତ ଲୋକ ମୋ ଅଞ୍ଚଳକୁ ଯାଆନ୍ତୁ ବୋଲି ତ ମୁଁ ଚାହିଁବି । ଏଥିରେ ଭାବିବାରେ କିଛି ନାହିଁ କି ଖରାପ କଥା କିଛି ନୁହେଁ ବୋଲି କହିଛନ୍ତି ବିଜେପି ବିଧାୟକ । ସେପଟେ ଲୋକ ପ୍ରତିନିଧିଙ୍କ ଉପରେ ଚାପ ପକେଇବା ଠିକ ହେବନାହିଁ ବୋଲି କହିଛି କଂଗ୍ରେସ ।
ଏମିତି କହିଲା ବିଜେଡି :
ବଦଳି ପାଇଁ ଚାପ ସୃଷ୍ଟି ନକରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ଚିଠିକୁ ନେଇ ତେଜିଛି ରାଜନୀତି । ଏନେଇ ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି,"ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଦସ୍ତଖତରେ ସମସ୍ତ ସଚିବ ଓ ଜିଲ୍ଲାପାଳଙ୍କୁ ଚିଠି ଯାଇଛି । ଏଭଳି କୌଣସି ଚିଠି ବାବଦରେ ପୂର୍ବରୁ ଆମେ କେବେ ଆମେ ଶୁଣିନଥିଲୁ । ଭାରତରେ କୌଣସି ଠାରେ ଏଭଳି ତଥ୍ୟ ଆଦାନ ପ୍ରଦାନ ହୋଇନଥିବ । ଯେଉଁ କଥା ବିଗତ 5 ମାସ ଧରି ଦାଣ୍ଡରେ ପଡି ହାଟରେ ଗଡୁଛି । ସେହି କଥାକୁ ମୁଖ୍ୟ ଶାସନ ସଚିବ ମାନିଛନ୍ତି । ବାହ୍ୟ ଚାପ ଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀ ମାନେ ନିଜ ମନ ପସନ୍ଦର ସ୍ଥାନକୁ ଯିବା ପାଇଁ ଅପଚେଷ୍ଟା କରୁଛନ୍ତି । ବାହ୍ୟ ଚାପ ବାବଦରେ ମୁଖ୍ୟ ଶାସନ ସଚିବ କହିନାହାନ୍ତି । କିଏ ଦେଉଛି ଚାପ ? ଏହା ସରକାର ସ୍ପଷ୍ଟ କରନ୍ତୁ । ମୁଖ୍ୟ ଶାସନ ସଚିବ ଅନୁଭବ କରିସାରିଲେଣି, ଅଫିସର ମାନେ ବାହ୍ୟ ଚାପ ନେଇ ନିଜ ପସନ୍ଦର ପୋଷ୍ଟିଂ ପାଉଛନ୍ତି ।"
ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରଶାସନ ଚଳାଇବାରେ ସରକାର ଫେଲ ମାରିଛନ୍ତି ବୋଲି ମୋହନ ସରକାର ମାନି ସାରିଛନ୍ତି । ଅଫିସରଙ୍କ ବାବଦରେ ଯଦି ତାଙ୍କ ପାଖରେ ପ୍ରମାଣ ଅଛି କାହିଁକି ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ? ଚିଠି ଲେଖି ସତର୍କ କରିବାକୁ ବ୍ୟବସ୍ଥା ନାହିଁ । ଆଇନ କହୁଛି ଉଲ୍ଲଘଂନ ହେଲେ କାର୍ଯ୍ୟାନୁଷ୍ଠାନ ହେବ । ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଆକ୍ସନ ନେଲେ ବାହ୍ୟ ଶକ୍ତି କଣ ଜଣାପଡ଼ିବ ? ବରିଷ୍ଠ ଅଧିକାରୀ ନା ରାଜନୈତିକ ଚାପ ନା ଆର୍ଥିକ ଚାପ ଦ୍ୱାରା ଏମିତି ହେଉଛି ବୋଲି ଜଣାପଡିବ । ବିଜେପି ସରକାର ବିରାଟ କଥା କହି ସରକାରକୁ ଆସିଛନ୍ତି । ସରକାରୀ ବ୍ୟବସ୍ଥାକୁ ଚଳାଇ ପାରୁନାହୁଁ ବୋଲି 5 ମାସରେ ସରକାର ମାନୁଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ହାତରେ ସରକାରୀ ବ୍ୟବସ୍ଥା ନାହିଁ ବୋଲି ଆମେ ବୁଝୁଛୁ ।"
ସେ ଏହା ମଧ୍ୟ କହିଛନ୍ତି, "ପସନ୍ଦର ଅଧିକାରୀ ନେବାକୁ ସାଂସଦ, ମନ୍ତ୍ରୀ ଓ ବିଧାୟକ ଚାହୁଁଛନ୍ତି ବୋଲି ବିଜେପିର ବରିଷ୍ଠ ନେତା କହୁଛନ୍ତି । ଅର୍ଥାତ ମୁଖ୍ୟ ଶାସନ ସଚିବ ଯାହା ଲେଖିଛନ୍ତି, ପରୋକ୍ଷରେ ଶାସକ ଦଳର ନେତା ମାନୁଛନ୍ତି । ସରକାର ଏବଂ ସରକାରୀ ଦଳ ମଧ୍ୟରେ ତାଳମେଳ ରହୁନାହିଁ । ଏହା ବିଜେପିର ନେତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହେଉଛି ।"
'ଗଣତନ୍ତ୍ରରେ ପ୍ରତିବନ୍ଧକ ଲଗେଇବା କଥା ନୁହେଁ ':
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି,"କାର୍ଯ୍ୟ ଦକ୍ଷତା ନଥିବା ଲୋକଙ୍କୁ ବଦଳି କରିବା ଲାଗି ଲୋକ ପ୍ରତିନିଧି କହିପାରିବେ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଗଣତନ୍ତ୍ରରେ ପ୍ରତିବନ୍ଧକ ଲଗେଇବା କଥା ନୁହେଁ । ଲୋକ ପ୍ରତିନିଧିଙ୍କର ଯଦି ଏହି କ୍ଷମତା ନରହିଲେ,ଏକ ପାଖିଆ ହୋଇଯିବ । ଦୁର୍ନୀତି ଦୂର କରିବା ଲାଗି ଆଳ ଦେଖିଇବା ଦରକାର ନାହିଁ । ଦୁର୍ନୀତି ମୁକ୍ତ କରିବା ଲାଗି ସରକାର ଆଗେଇ ଆସିବା ଦରକାର । ଦୁର୍ନୀତିରେ ଘଣ୍ଟ ଘୋଡାନଯାଉ । ଲୋକ ପ୍ରତିନିଧିଙ୍କ ଉପରେ ଚାପ ପକେଇବା ଠିକ ହେବନାହିଁ ।"