କୋରାପୁଟ: କୋରାପୁଟ ପୋଲିସ ହାବୁଡ଼ରେ ସାଇବର ଠକ । ଲୋକଙ୍କୁ ଖବରକାଗଜ ଦ୍ବାରା ମିଥ୍ୟା ବିଜ୍ଞାପନ ଦେଇ ଠକିବାର ହୋଇଥିଲା ଅଭିଯୋଗ । ସୂଚନା ଅନୁସାରେ ପଶ୍ଚିମବଙ୍ଗର ମଳୟ ମୈତ୍ରୀ ନାମକ ଯୁବକ ହିଟାଚି କମ୍ପାନୀର ଏଟିଏମ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବୋଲି ଏକ ମିଥ୍ୟା ଵିଜ୍ଞାପନ ଦେଇଥିଲା l ଵିଜ୍ଞାପନକୁ ଦେଖି କିଛି ବ୍ୟକ୍ତି ଯୁବକଙ୍କୁ ଫୋନ କରିଥିଲେ । ସେମାନଙ୍କ ମନରେ ବିଶ୍ବାସ ଜନ୍ମେଇବା ପାଇଁ କମ୍ପାନୀର ନକଲି ଆଇଡି କାର୍ଡ ଦିଆଯାଇଥିଲା ଓ ସେମାନଙ୍କର କମ୍ପାନୀରେ ନିଯୁକ୍ତି ହୋଇଛି ବୋଲି ମିଛ କହିଥିଲା ।
ପରେ ଏଟିଏମ କାଉଣ୍ଟର ବସାଇବା ପାଇଁ ସ୍ଥାନ ଓ ଲୋକଙ୍କୁ ଚି଼ହ୍ନଟ କରିବା ପାଇଁ ସେ କହିଥିଲା । ଏହା ସହ ସହରୀ ବିକାଶ ମନ୍ତ୍ରଣାଳୟର ଏକ ଜାଲ କାଗଜପତ୍ର ମଧ୍ୟ ଦେଖାଇଥିଲା । ଏଟିଏମ କାଉଣ୍ଟର ବସାଇବା ନିମନ୍ତେ ମାଲିକାନା ପାଇଁ ୧୫ ହଜାର ଟଙ୍କା ଦେବା ପାଇଁ ପ୍ରାର୍ଥୀ ମାନଙ୍କୁ କହୁଥିଲା । ଅନେକ ପ୍ରାର୍ଥୀଙ୍କ ଠାରୁ ସେ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଇଥିଲା । ଟଙ୍କା ନେବା ପରେ ଆଉ ଧରା ଦେଉନଥିଲା ଅଭିଯୁକ୍ତ । ଧରା ନା ଦେବାରୁ କୋରାପୁଟ ବୋରିଗୁମ୍ମା ଅଞ୍ଚଳର ମାନସୀ ମିଶ୍ର ଠକାମିର ଶିକାର ହେବା କଥା ଜାଣିବା ପରେ ସେ କୋରାପୁଟ ସାଇବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।