ଢେଙ୍କାନାଳ:ଚର୍ଚ୍ଚିତ ଢେଙ୍କାନାଳର କଲେଜ ଛାତ୍ରୀ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଘଟଣାର ୪ ଦିନ ପରେ ସମ୍ପର୍କୀୟ ଭାଇ ସମେତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ଗତକାଲି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଏସପି ମଡକର ସନ୍ଦୀପ ସମ୍ପଦ ସୂଚନା ଦେଇଛନ୍ତି ।
ତେବେ ମୃତ ଛାତ୍ରୀର ପରିବାର ସହିତ ତାର ନିଜ ବଡବାପା ପରିବାରର ଜାଗା ବାଡ଼ି ବିବାଦ ରହିଥିଲା । ଏଥିପାଇଁ ପ୍ରତିଶୋଧ ପ୍ରରାୟଣ ହୋଇ ମୃତ ଛାତ୍ରୀର ବଡବାପା ପୁଅ ଭାଇ ନାରାୟଣ ସାହୁ ଓ ତାର ଜଣେ ସାଥି ତାଙ୍କ ଗ୍ରାମର ବିଜୟ ବେହେରା ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ପୂର୍ବରୁ ମୃତ ଛାତ୍ରୀର ବାପା ବିରୋଧ କରିବାରୁ ଗିରଫ ବିଜୟ ବେହେରା ଏକ ଇନ୍ଦିରା ଆବାସ ଘର ପାଇବାରୁ ବଞ୍ଚିତ ହୋଇଥିଲେ । ତେଣୁ ବିଜୟ ସହ ମୃତ ଛାତ୍ରୀର ବାପାଙ୍କ ସହିତ ଶତ୍ରୁତା ରହିଥିଲା । ଫଳରେ ବିଜୟର ବେହେରା ଓ ଛାତ୍ରୀର ଭାଇ ନାରାୟଣ ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ ଘଟାଇଥିଲେ ।
ଘଟଣା ଦିନ ବିଜୟ ଛାତ୍ରୀଙ୍କୁ ତାର ବାଇକ ଯୋଗେ ବସାଇ ଆଣି ତାଙ୍କୁ ଘଟଣାସ୍ଥଳରେ ଅତି ବୀଭତ୍ସ ଭାବେ ପଥରେ ଛେଚି ଛେଚି ହତ୍ୟା କରିଥିଲେ । ଉଭୟଙ୍କ ରକ୍ତଲଗା ପୋଷାକ ପରେ ପୋଲିସର ହସ୍ତଗତ ହୋଇଛି ବୋଲି ଏସପି ପ୍ରକାଶ କରିଛନ୍ତି । ହତ୍ୟାକାଣ୍ଡ ମାମଲାର ତଦନ୍ତ ମୁତାବକ ସିସିଟିଭି ଫୁଟେଜ ଓ କେତେକ ତଥ୍ୟ ଆଧାରରେ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ହତ୍ୟାକାଣ୍ଡରେ ବ୍ୟବହାର ଦୁଇଟି ରକ୍ତ ଲାଗ ପଥର ଓ ବାଇକ ମଧ୍ୟ ଜବତ କରିଛି ପୋଲିସ ।