ବ୍ରହ୍ମପୁର: ଖଲ୍ଲିକୋଟ ନିର୍ବାଚନୀ ହିଂସାରେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣା । ଅନ୍ୟ 2 ମୁଖ୍ୟ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ହେଲେ ଶ୍ରୀକୃଷ୍ଣଶରଣପୁରର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର ଗ୍ରାମର ପପୁ ତରେଇ । ଉଭୟଙ୍କୁ ଖଲ୍ଲିକୋଟ ପୋଲିସ ଗିରଫ ପରେ ଏସ୍ଆଇଟି ଟିମ୍କୁ ହସ୍ତାନ୍ତର କରିଛି । ସେପଟେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ।
ନିର୍ବାଚନ ପୂର୍ବରୁ ପୋଷ୍ଟର ମାରିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅଞ୍ଚଳର ଶ୍ରୀକୃଷ୍ଣସରଣପୁର ଜଣେ ବିଜେପି କର୍ମୀଙ୍କୁ ହତ୍ୟା ଘଟଣାରେ ପୋଲିସ ଆଜି ଅନ୍ୟ 2 ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି । ଶ୍ରୀକୃଷ୍ଣଶରଣପୁରର ଗ୍ରାମର ସୁଦର୍ଶନ ପାହନ ଓରଫ ମାଣ୍ଡା ଏବଂ ରାମଚନ୍ଦ୍ରପୁର ଗ୍ରାମର ପପୁ ତରେଇକୁ ଖଲ୍ଲିକୋଟ ପୋଲିସ ଗିରଫ କରିବା ପରେ ଏହି ଘଟଣାର ତଦନ୍ତ କରୁଥିବା ଏସଆଇଟିକୁ ହସ୍ତାନ୍ତର କରିଛି । ଗତ ବୁଧବାର ଦିନ ରାତ୍ର ସମୟରେ ବିଜେପି କର୍ମୀ ଦିଲ୍ଲୀପ ପାହାନକୁ ହତ୍ୟା କରାଯାଇଥିବା ଅଭିଯୋଗ ପରେ ପୋଲିସ ପ୍ରଥମେ 8 ଜଣଙ୍କୁ ଗିରଫ କରିଥିଲା । ପରେ ଅନ୍ୟ ଜଣଙ୍କୁ ମିଶାଯାଇ ମୋଟ 9 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜିର 2 ଜଣଙ୍କୁ ଗିରଫ ପରେ ଅଭିଯୁକ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି । ସେପଟେ ଆସନ୍ତାକାଲି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ରହିଥିବା ବେଳେ ଖଲ୍ଲିକୋଟରେ ମତଦାନ ହେବାକୁ ରହିଥିବା ବେଳେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଶେଷ କରି ହତ୍ୟାକାଣ୍ଡ ଘଟିଥିବା ଶ୍ରୀକୃଷ୍ଣସରଣପୁର ଗ୍ରାମର ସମସ୍ତ ବୁଥକୁ ସମ୍ୱେଦନଶୀଳ ବୁଥ କରାଯାଇଛି ।