ଯାଜପୁର: ଆଜି ଅମୃତ ଭାରତ ଯୋଜନା ଅଧିନରେ ଓଡ଼ିଶାରେ ୨୧ଟି ଷ୍ଟେସନର ନବୀକରଣ ଓ ୫୦ରୁ ଅଧିକ ଓଭର ବ୍ରିଜର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିରେ ଯାଜପୁର ମଧ୍ୟ ସାମିଲ ରହିଥିବା ବେଳେ ଆଜି ଯାଜପୁର ରୋଡ ରେଳ ଷ୍ଟେସନ ନିକଟରେ ଓଭରବ୍ରିଜ ଓ ଗଳିପୋଲ ନିର୍ମାଣ ପାଇଁ ଭର୍ଚୁଆଲ୍ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l
ଯାଜପୁର ରୋଡ ରେଳ ଷ୍ଟେସନର ସତ୍ୟସାଇ ମନ୍ଦିର ନିକଟରେ ଓଭରବ୍ରିଜ ଓ ଗୋପବନ୍ଧୁ ଛକ ନିକଟରେ ଗଳିପୋଲ ନିର୍ମାଣ ପାଇଁ ଅନେକ ଦିନ ହେବ ବ୍ୟାସନଗର ବାସୀ ଦାବି କରୁଥିଲେ । ଏପରିକି ରେଳ ବିଭାଗ ନିକଟରେ ଅନେକ ସମୟରେ ଅନେକ ଗଣ ସଂଗଠନ ପକ୍ଷରୁ ଦାବି ଦିଆଯାଇଥିଲା l ଏହି ଦାବିକୁ ଦୃଷ୍ଟିରେ ରଖି ଯାଜପୁର ରୋଡ ରେଳ ବିଭାଗ ପକ୍ଷରୁ ଓଭର୍ବ୍ରିଜ ଓ ଗଳିପୋଲ ନିର୍ମାଣ ପାଇଁ ବିଜ୍ଞପ୍ତି ଜାରି ହେଇଥିଲା l ଆଜି ଯାଜପୁର ରୋଡ ରେଳ ଷ୍ଟେସନ ମାଲଗୋଦାମ ନିକଟରେ ଏହି ପ୍ରକଳ୍ପ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଭର୍ଚୁଆଲ୍ ମାଧ୍ୟମରେ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଏଥିସହ ରେଳ ବିଭାଗ ପକ୍ଷରୁ ଓଭରବ୍ରିଜ ଓ ଗଳିପୋଲ ନିର୍ମାଣ ପାଇଁ ବିଜ୍ଞପ୍ତି ଜାରି କରିବା ସହ ୧ ଶହ କୋଟିରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ କରାଯାଇଛି ।
ତେବେ ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଓ କୋରେଇ ବିଧାୟକ ଅଶୋକ କୁମାର ବଳ ଅତିଥିଭାବେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଅନେକ ବୃଦ୍ଧିଜିବି ମାନେ ମଧ୍ୟ ଯୋଗଦେଇଥିଲେ l ଏଥିସହ ଏନେଇ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସାଂସଦ ଶର୍ମିଷ୍ଠା ସେଠି ଓ କୋରେଇ ବିଧାୟକ ଅଶୋକ କୁମାରଙ୍କ ସମେତ ସ୍ଥାନୀୟବାସୀ ।