ଓଡିଶା

odisha

By ETV Bharat Odisha Team

Published : Jul 10, 2024, 2:22 PM IST

ETV Bharat / state

ହସ୍ପିଟାଲରେ ମାତିଛନ୍ତି ମୂଷା, ରୋଗ ଅପେକ୍ଷା ରୋଗୀଙ୍କୁ ଘାରିଛି ମୂଷା ଭୟ - Patients In Fear Due To Rat

Rat Bites Patients In Hospital : ହସ୍ପିଟାଲରେ ରୋଗୀମାନେ ସେମାନଙ୍କ ରୋଗ ଅପେକ୍ଷା ମୂଷାଙ୍କ ଭୟକୁ ଅଧିକ ଭୟ କରୁଛନ୍ତି । କାରଣ ମାଳମାଳ ମୂଷା ଡାକ୍ତରଖାନାରେ ରୋଗୀଙ୍କ ଆସବାପତ୍ରକୁ ଖାଇଯିବା ସହ ସେମାନଙ୍କୁ କାମୁଡ଼ି ପକାଉଛନ୍ତି । ଅଧିକ ପଢ଼ନ୍ତୁ

PATIENTS IN FEAR DUE TO RAT
PATIENTS IN FEAR DUE TO RAT (ETV Bharat Odisha)

କୋରାପୁଟ: ରୋଗୀମାନେ ଡାକ୍ତରଖାନାକୁ ସୁସ୍ଥ ହେବା ପାଇଁ ଆସନ୍ତି । ହେଲେ ହସ୍ପିଟାଲରେ ଭଲ ହେବା ବଦଳରେ ସ୍ଥିତି ଅଧିକ ଜଟିଳ ହୋଇ ପଡ଼ୁଛି । କାରଣ ହସ୍ପିଟାଲରେ ଚାରି ଆଡେ ମାଳ ମାଳ ମୂଷା । କେତେବେଳେ ରୋଗୀଙ୍କ ଆସବାପତ୍ରକୁ ଟିକ୍‌ଟିକ୍‌ କରି କାଟି ପକାଉଛନ୍ତି ତ କେବେବେଳେ ରୋଗୀଙ୍କୁ କାମୁଡ଼ି ପକାଉଛନ୍ତି । ଯାହାକୁ ନେଇ ରୋଗୀଙ୍କ ସହ ରୋଗୀଙ୍କ ଅଭିଭାବକମାନେ ମଧ୍ୟ ଛାନିଆ । ଦିନ ନାହିଁ କି ରାତି ନାହିଁ ଖାଦ୍ୟ ଖାଇବାକୁ ଆସି ମୂଷା ରୋଗୀଙ୍କୁ କାମୁଡୁଥିବା ଅଭିଯୋଗ ହୋଇଛି । ତେବେ ଏଭଳି ସ୍ଥିତି ଦେଖିବାକୁ ମିଳିଛି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲରେ ।

PATIENTS IN FEAR DUE TO RAT (ETV Bharat Odisha)

କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସ୍ପିଟାଲରେ ମାତିଛନ୍ତି ମୂଷା । ମୂଷାଙ୍କ ବେଧଡକ ବିଚରଣ ଉଭୟ ରୋଗୀ ଓ ଡାକ୍ତରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଯନ୍ତା ପକାଇ ମୂଷାକୁ ଧରିବା ପାଇଁ ଉଦ୍ୟମ କରୁଛି ମେଡିକାଲ ପ୍ରଶାସନ । ମେଡିକାଲ ପରିସରରେ ଅନେକ ସ୍ଥାନରେ ଅଳିଆ ଆବର୍ଜନା ପଡିରହୁଥୁବା କାରଣରୁ ଆବର୍ଜନା ସ୍ଥାନ ଗୁଡିକରେ ମୂଷା ଗାତ କରି ଆସ୍ଥାନ ଜମାଇଛନ୍ତି । ଗାତରୁ ବାହାରି ଖାଦ୍ୟ ଖାଇବା ପାଇଁ ହସ୍ପିଟାଲର ୱାର୍ଡ ଭିତରେ ଅବାଧରେ ବୁଲୁଛନ୍ତି । ରୋଗୀ ରଖିଥିବା ଖାଦ୍ୟଗୁଡିକୁ ଖାଉଛନ୍ତି । ଖାଦ୍ୟ ଖାଇବା ସହ ବେଡରେ ଶୋଇଥିବା ରୋଗୀଙ୍କୁ ମଧ୍ୟ କାମୁଡି କ୍ଷତାକ୍ତ କରୁଛନ୍ତି । ମୂଷା କାମୁଡାରେ କିଛି ଶିଶୁ ଓ ମାଆ ମଧ୍ୟ କ୍ଷତାକ୍ତ ହୋଇଥିବା ଅଭିଯୋଗ ହୋଇଛି ।

ହସ୍ପିଟାଲରେ ସାମାନ୍ୟ ଅନ୍ଧାର ହେଲେ ପରିସ୍ଥିତି ବିଷମ ହୋଇ ପଡୁଛି । ଖାଦ୍ୟ ଖାଇବା ଆଳରେ ନବଜାତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ମୂଷା କାମୁଡୁଛି । ଫଳରେ କୋରାପୁଟ ବଡ ମେଡିକାଲକୁ ଆସୁଥୁବା ରୋଗୀମାନେ ମୂଷାକୁ ନେଇ ଭୟଭୀତ ହୋଇପଡିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ଲାଇଫ ଲାଇନ ହେଉଛି ଶହୀଦ ଲକ୍ଷ୍ମଣ ନାୟକ ମାଡିକାଲ କଲେଜ ହସ୍ପିଟାଲ । କୋରାପୁଟ ସମେତ ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ଭଳି ଆଦିବାସୀ ବହୁଳ ଜିଲ୍ଲାର ଲୋକଙ୍କ ନିକଟରେ ଉନ୍ନତ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ୨୦୧୭ ମସିହାରେ ମେଡିକାଲ କଲେଜ ଓ ହସ୍ପିଟାଲ ଆରମ୍ଭ ହେଲା ।

ହସ୍ପିଟାଲରେ ଚିକିତ୍ସା ପାଇଁ ଦୈନିକ ଶହ ଶହ ରୋଗୀ ଆସୁଛନ୍ତି । ହସ୍ପିଟାଲ ଚାରିପଟେ ଜମି ଓ ଜଙ୍ଗଲ ଘେରି ରହିଛି । ତେଣୁ ଜଙ୍ଗଲ ଭିତରୁ ମୂଷା ହସ୍ପିଟାଲ ଭିତରକୁ ପଳାଇ ଆସୁଛନ୍ତି । ମେଡିକାଲରେ ରୋଗୀଙ୍କୁ ଦିଆଯାଉଥୁବା କ୍ଷୀର, ପାଉଁରୁଟି, ଅଣ୍ଡା ଭଳି ଖାଦ୍ୟ ମୂଷାଙ୍କ ପ୍ରମୂଖ ଆହାର ପାଲଟିଛି । ରୋଗୀଙ୍କୁ ଦିଆଯାଉଥୁବା ଖାଦ୍ୟ ଖାଇବା ଲୋଭରେ ଚାରିପଟର ମୂଷା ଏବେ ମେଡିକାଲ ମଧ୍ୟକୁ ଚାଲି ଅସୁଛନ୍ତି । ରୋଗୀମାନେ ସେମାନଙ୍କ ରୋଗ ଅପେକ୍ଷା ମୂଷାଙ୍କୁ ନେଇ ଅଧିକ ଭୟ କରୁଛନ୍ତି ।

ମୂଷାକୁ ଧରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ୟମ:

ମୂଷା ଉପଦ୍ରବକୁ ନେଇ ହସ୍ପିଟାଲକୁ ଆସୁଥୁବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଭୟଭୀତ ହୋଇପଡିଥିବା ବେଳେ ମୂଷା ଗାତ ନିଜଟରେ ଯନ୍ତା ପକାଇ ମୂଷାକୁ ଧରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷ ଉଦ୍ୟମ କରୁଥିବା ହସ୍ପିଟାଲ ସୁପେରିଟେଣ୍ଡେଣ୍ଟ ଶୁଶାନ୍ତ କୁମାର ସାହୁ କହିଛନ୍ତି । ହସ୍ପିଟାଲ ପରିସରରେ ମୂଷା କରିଥିବା ଗାତ ଗୁଡିକୁ ଠାବ କରାଯାଇଛି । ଗାତ ନିକଟରେ ଛୋଟ ଛୋଟ ଯନ୍ତା ବସାଇ ମୂଷାକୁ ଧରିବା ପାଇଁ ଉଦ୍ୟମ କରାଯାଉଛି । ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ମେଡିକାଲ କର୍ତ୍ତୃପକ୍ଷ ସ୍ଥାୟୀ ପ୍ରତିକାର କରିବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନଙ୍କୁ ମଧ୍ୟ ବ୍ୟାପକ ସଚେତନତା କରିବାର ଆବଶ୍ୟକତା ରହିଛି ବୋଲି ଼ହସ୍ପିଟାଲ ସୁପେରିଟେଣ୍ଡେଣ୍ଟ କହିଛନ୍ତି ।

ମୂଷା କାମୁଡିଲେ କେଉଁ ରୋଗ ହୁଏ:

ମଶା କାମୁଡିଲେ ଯେପରି ବିଭିନ୍ନ ପ୍ରକାରରର ରୋଗ ହୋଇଥାଏ ସେହିପରି ମୂଷା ମଧ୍ୟ ଘରେ ରହିଲେ ସବୁ ଜିନିଷ ଛାରଖାର କରି ଦେଇଥାଏ । ଏହାସହ ମୂଷା କାମୁଡିଲେ ପ୍ଲେଗ ଭଳି ମାରାତ୍ମକ ରୋଗର ମଧ୍ୟ ହୋଇଥାଏ । ପ୍ଲେଗ (Plague) ଏକ ସଂକ୍ରାମକ ରୋଗ । ଯାହା ୟେରସିନିଆ ପେସ୍ଟିସ (Yersinia pestis) ନାମକ ଏକ ଜୀବାଣୁ ଦ୍ୱାରା ହୋଇଥାଏ । ଏହି ରୋଗରେ ଜ୍ୱର, ମୁଣ୍ଡ ବିନ୍ଧା ହୁଏ ଓ ଶରୀର ଦୁର୍ବଳ ଲାଗେ । ଏହି ଜୀବାଣୁ ସଂସ୍ପର୍ଶରେ ଆସିବାର ୧ରୁ ୭ ଦିନ ପରେ ରୋଗ ଆରମ୍ଭ ହୁଏ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details