ବୌଦ୍ଧ:କୋଟି ଓଡିଆଙ୍କ ପ୍ରିୟ ଖାଦ୍ୟ 'ପଖାଳ' । ପ୍ରତିବର୍ଷ ମାର୍ଚ୍ଚ ମାସ ୨୦ ତାରିଖକୁ ‘ବିଶ୍ବ ପଖାଳ ଦିବସ' ଭାବେ ପାଳନ କରାଯାଇଥାଏ । ଏହି ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଶୈଳୀରେ ଏହି ଦିବସକୁ ପାଳନ କରାଯାଇଛି । ଛୋଟ ବଡ ହୋଟେଲ ,ରେଷ୍ଟୁରାଣ୍ଟରେ ମଧ୍ୟ ପଖାଳର ବେଶ ଚାହିଦା ଦେଖିବାକୁ ମିଳିଛି । ସେହିପର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏହି ଦିବସ ପାଳନ ହୋଇଥିବା ବେଳେ ବୌଦ୍ଧର ଶ୍ରୀଜଗନ୍ନାଥଙ୍କ ନିକଟରେ ମଧ୍ୟ ପଖାଳ ଭୋଗ ଲାଗିଛି ।
ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ଗରିବ ଠାରୁ ଧନୀ ପ୍ରତ୍ୟେକଙ୍କ ଅତିପ୍ରିୟ 'ପଖାଳ ଦିବସ' ପାଳନ କରାଯାଇଛି । ପ୍ରାଚୀନ କାଳରୁ ଓଡ଼ିଶାର ପୁରପଲ୍ଲୀରେ ଏହି ପାରମ୍ପରିକ ଖାଦ୍ୟ ପଖାଳର ବେଶ ଚାହିଦା ରହି ଆସିଛି । ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ଆଜି ବ୍ୟାପକ ପ୍ରସ୍ତୁତି କରାଯାଉଥିଲା ।ସେହିପରି ବୌଦ୍ଧ ସଦର ମହକୁମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଛୋଟିଆ ହୋଟେଲ 'ମିଶ୍ର ହୋଟେଲ'ରେ ବର୍ଷ ତମାମ ପଖାଳର ଚାହିଦା ରହିଆସିଛି । ଏଠାରେ ସଜ ପଖାଳ, ବାସି ପଖାଳ, ଦହି ପଖାଳ ଓ ଛୁଙ୍କ ପଖାଳ ଭଳି ବିଭିନ୍ନ ପଖାଳ ସହିତ ବଡ଼ି ଚୁରା, ଶାଗ, ଖଟା,ଆଳୁ ବାଇଗଣ ଭର୍ତା ସହିତ ମହାନଦୀର ଚୁନା ମାଛ ଗ୍ରାହକଙ୍କ ପ୍ରଥମ ପସନ୍ଦ ହୋଇ ଆସିଛି ।