ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ପରିଷଦଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ହଡପ । ଜିଲ୍ଲା ପରିଷଦର ଡିଏମ୍ଏମ ଫଣ୍ଡରୁ ବେଆଇନ ଅର୍ଥ କାରବାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଗୋଟିଏ ମାସ ମଧ୍ୟରେ ପାଖାପାଖି ୯ କୋଟି ୫୬ ଲକ୍ଷ ୭୬ ହଜାର ଟଙ୍କା ହଡ଼ପ ଜଣାପଡିଛି । ବାରିପଦା ସହର ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆର ମୁଖ୍ୟ ଶାଖାରୁ ବିଭିନ୍ନ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଛି । ଭଞ୍ଜପୁର ଥାନାରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ EOW ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଏବାବଦରେ କିଛି ଜାଣିନଥିବା ବେଳେ ତଦନ୍ତ ଚାଲିଥିବା କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ।
ମୟୂରଭଞ୍ଜ ଜିଲ୍ଲା ପରିଷଦଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ହଡପ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଚଳିତ ମାସ ୧୦ ଓ ୧୮ ତାରିଖରେ ୪ଟି ଚେକ୍ ମାଧ୍ୟମରେ ନିର୍ଦ୍ଦିଷ୍ଟ ଦୁଇଟି ବେନାମୀ ସଂସ୍ଥାକୁ ପାଖାପାଖି ୯ କୋଟି ୫୬ ଲକ୍ଷ ୭୬ ହଜାର ଟଙ୍କା ଟ୍ରାନ୍ସଫର କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବ୍ୟାଙ୍କ୍ ଅଫ ଇଣ୍ଡିଆ ବାରିପଦା ଶାଖାରେ ମୟୂରଭଞ୍ଜ ଜିଲ୍ଲା ପରିଷଦଙ୍କ ଆକାଉଣ୍ଟ ରହିଥିବା ବେଳେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ମିଳୁଥିବା କୋଟି କୋଟି ଟଙ୍କାର ଅନୁଦାନ ଅର୍ଥ ଏହି ଆକାଉଣ୍ଟରେ ରଖାଯାଇ ଅର୍ଥ ଉଠା ଯାଉଥିଲା ।
ଏପ୍ରିଲ ମାସ ୧୦ ତାରିଖ ଠାରୁ ୧୮ତାରିଖ ମଧ୍ୟରେ ଏହି ଆକାଉଣ୍ଟରୁ ଟଙ୍କା ହଡ଼ପ କରାଯାଇଛି । ସବୁ ଚେକରେ ମୟୂରଭଞ୍ଜ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କର ଦସ୍ତଖତ ରହିଥିବା ଜଣାଯାଇଛି । ପ୍ରଥମେ ଗତ ୧୦ ତାରିଖରେ ଚେକ୍ ନଂ- ୦୧୭୭୯୫ ଦ୍ୱାରା ବେନିଫିସାରି- PT CONSTRUCTION AND SUPPLIER (Beneficiary Ac No- 60470391679) ଏକାଉଣ୍ଟକୁ ୨ କୋଟି ୬୮ ଲକ୍ଷ ୪୨ହଜାର ୩୦୦ ଟଙ୍କା ଟ୍ରାନ୍ସଫର କରାଯାଇଥିବା ବେଳେ ଚେକ୍ ନମ୍ବର-୦୧୭୭୯୬ ଦ୍ୱାରା ବେନିଫିସାରି-SK ENTERPRISE (Ac No- 1003110000021) ଏକାଉଣ୍ଟକୁ ୧ କୋଟି ୮୪ ଲକ୍ଷ ୨୭ ହଜାର ୪୦୦ ଟଙ୍କା ପଠାଯାଇଥିଲା ।
ସେହିଭଳି ଗତ ୧୮ ତାରିଖରେ ଚେକ୍ ନଂ- ୧୭୭୯୮ ଜରିଆରେ ବେନିଫିସାରି-PT CONSTRUCTION AND SUPPLIERର (Beneficiary Ac No- 60470391679I) ଆକାଉଣ୍ଟକୁ ୩ କୋଟି ୧୫ ଲକ୍ଷ ୭୪ ହଜାର ୨୦୦ ଟଙ୍କା ଟ୍ରାନ୍ସଫର ହୋଇଛି ଏବଂ ଚେକ୍ ନଂ-୦୧୭୭୯୭ ଜରିଆରେ ବେନିଫିସାରି- SK ENTERPRISES ର (AC No- 10031100000215) ଆକାଉଣ୍ଟକୁ ୧ କୋଟି ୮୮ ଲକ୍ଷ ୩୨ ହଜାର ୭୦୦ ଟଙ୍କା ପଠାଯାଇଛି ।