ଓଡିଶା

odisha

ETV Bharat / state

ଏଥର ତଳ ପଡ଼ିଆରେ ବାଲିଯାତ୍ରା, ଉପରେ ପଡିଆରେ ପାର୍କିଂ ! ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ବଦଳିଯିବ ଐତିହାସିକ ବାଲିଯାତ୍ରାର ସ୍ଥାନ । ତଳ ପଡିଆରେ ଯାତ୍ରା ଓ ଉପର ପଡିଆରେ ପାର୍କିଂ ବ୍ୟବସ୍ଥା କରିବାକୁ ହାଇକୋର୍ଟଙ୍କ ପରାମର୍ଶ । ଜିଲ୍ଲା ପ୍ରଶାସନ ନେବ ଚୂଡାନ୍ତ ନିଷ୍ପତ୍ତି ।

Bali Jatra
Bali Jatra (ETV BHARAT ODISHA)

By ETV Bharat Odisha Team

Published : 5 hours ago

Updated : 3 hours ago

କଟକ:ପୁଣି ଝଲସିବ ସିଲଭର ସିଟି । ଆସନ୍ତାମାସ (ନଭେମ୍ବର) 15 ତାରିଖରୁ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ସର୍ବବୃହତ୍ତ ବାଣିଜ୍ୟିକ ମେଳା ତଥା ଐତିହାସିକ ‘ବାଲିଯାତ୍ରା’ । ଏହା ପୂର୍ବରୁ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଉପର ବାଲିଯାତ୍ରା ପଡିଆରେ ବାଲିଯାତ୍ରା ଆୟୋଜନ କରିବା ପରିବର୍ତ୍ତେ କେବଳ ତଳ ପଡିଆରେ ଯାତ୍ରା କରିବା ଉପରେ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି । ଉପର ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା କରିବାକୁ କୋର୍ଟ ଜିଲ୍ଲା ପ୍ରଶାସନକୁ ପରାମର୍ଶ ମଧ୍ୟ ଦେଇଛନ୍ତି । କଟକ ଜିଲ୍ଳାପାଳ ଏନେଇ ବୈଠକ ଡାକି ନିଷ୍ପତ୍ତି ନେବାକୁ କୋର୍ଟ ନିର୍ଦ୍ଦେଶରେ କହିଛନ୍ତି । କଟକ ସହର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରି ଜଷ୍ଟିସ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ।

  • ତଳ ପଡିଆରେ ହେବ ବାଲିଯାତ୍ରା

ଉପର ବାଲିଯାତ୍ରା ପଡ଼ିଆରେ ଶହ ଶହ ବର୍ଷ ଧରି ଐତିହାସିକ ବାଲିଯାତ୍ରା ହୋଇ ଆସୁଛି । କୁହାଯାଏ ଏହିଠାରେ ହିଁ ପ୍ରଥମେ ବାଲିଯାତ୍ରା ଆରମ୍ଭ ହୋଇଥିଲା । ୨୫ବର୍ଷ ତଳେ ଏହି ଯାତ୍ରାକୁ ତଳପଡିଆ ବା ମହାନଦୀ ପଠାକୁ ସଂପ୍ରସାରିତ କରାଯାଇଥିଲା । ମାତ୍ର ଏବେ ଏହି ଐତିହାସିକ ଯାତ୍ରା କେବଳ ତଳପଡ଼ିଆରେ ହେବା ନେଇ ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ଏହି ମାମଲାର ଶୁଣାଣି ସମୟରେ କୋର୍ଟଙ୍କୁ ଅବଗତ କରାଯାଇଥିଲା କି ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେଲେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହେଉଛି । ବିଶେଷକରି ଟ୍ରାଫିକ ସମସ୍ୟା ଉପୁଜୁଛି । ଏପରିକି କଟକ ବଡ଼ମେଡିକାଲକୁ ଆସୁଥିବା ଆମ୍ବୁଲାନ୍ସ ପାଇଁ ସମସ୍ୟା ଦେଖା ଦେଉଛି । କେବଳ ସେତିକି ନୁହେଁ, ଉଭୟ ତଳ ଏବଂ ଉପର ପଡିଆ ମଝିରେ ଥିବା ରିଂ ରୋଡ଼ରେ ପ୍ରବଳ ଗହଳି ହେଉଛି । ଏହା ଦ୍ୱାରା ଦଳାଚକଟା ଆଶଙ୍କା ବି ରହିଥାଏ ।

ଏଥର ତଳ ପଡ଼ିଆରେ ବାଲିଯାତ୍ରା, ଉପରେ ପଡିଆରେ ପାର୍କିଂ (ETV BHARAT ODISHA)
ଏଥର ତଳ ପଡ଼ିଆରେ ବାଲିଯାତ୍ରା, ଉପରେ ପଡିଆରେ ପାର୍କିଂ (ETV BHARAT ODISHA)

ତେବେ ଓଡିଶାର ନୌବାଣିଜ୍ୟ ପରମ୍ପରା, ସଂସ୍କୃତି ଓ ଐତିହ୍ୟ ସହ ଜଡିତ ବାଲିଯାତ୍ରାକୁ ତଳ ପଡିଆରେ କରବାକୁ ଆଡ଼ଭୋକେଟ କମିଟି ପ୍ରସ୍ତାବ ଦେଇଥିଲେ । ବିଶେଷକରି ତଳ ପଡ଼ିଆରେ ବିଶାଳ ସ୍ଥାନ ଥିବାରୁ ପୂରା ବାଲିଯାତ୍ରାର ଆୟୋଜନ ପାଇଁ ଏହି ସ୍ଥାନ ପର୍ଯାପ୍ତ ଓ ଅନୁକୂଳ ହେବ ବୋଲି କମିଟି ପ୍ରସ୍ତାବ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-ନଭେମ୍ବର ୧୫ରୁ ଐତିହାସିକ ବାଲିଯାତ୍ରା, ଭିଡ଼ ନିୟନ୍ତ୍ରଣ ପାଇଁ ହେବ ଗ୍ରୀନ କରିଡର - bali yatra 2024

ଏହା ମଧ୍ୟ ପଢନ୍ତୁ-ବାଲିଯାତ୍ରାରେ ଓଡ଼ିଆ ଅସ୍ମିତା-ସିନେମା ଥିମ, ମନମୋହିବ ବଲିଉଡ ନାଇଟ୍ ଓ ଡ୍ରୋନ ସୋ'

  • ଚୂଡାନ୍ତ ନିଷ୍ପତ୍ତି ନେବେ ଜିଲ୍ଲାପାଳ :-

କୋର୍ଟ ଏହି ପ୍ରସ୍ତାବକୁ ଆଧାର କରି କଟକ ଜିଲ୍ଲାପାଳ ତୁରନ୍ତ ଏକ ବୈଠକ ଡାକି ଏସମ୍ପର୍କିତ ନିଷ୍ପତ୍ତି ଚୂଡାନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବାଲିଯାତ୍ରା ସହ ଜଡିତ ବିଭିନ୍ନ ସଂସ୍ଥା, କଟକ ଡିସିପି, ସିଏମସି କମିଶନର ଉପସ୍ଥିତ ରହିବେ । ଏହି ବୈଠକରେ ବାଲିଯାତ୍ରାକୁ କିପରି ଉପର ପଡିଆରୁ ତଳ ପଡିଆକୁ ସ୍ଥାନାନ୍ତର କରାଯାଇପାରିବ ଏବଂ ଉପର ପଡିଆକୁ କିପରି ପାର୍କିଂ ପାଇଁ ବ୍ୟବହାର କରାଯାଇ ପାରିବ ସେନେଇ ନିଷ୍ପତ୍ତି ନେବେ । ସେହିପରି ବାଲିଯାତ୍ରାକୁ ସଫଳ କରିବା ପାଇଁ କଣ କଣ ପଦକ୍ଷେପ ନିଆଯାଇଛି ,ବିଶେଷକରି ଦର୍ଶକଙ୍କ ସୁବିଧା ପାଇଁ କ’ଣ କ’ଣ ପଦକ୍ଷେପ ନିଆଯାଇଛି, ସେନେଇ ଆସନ୍ତା ଶୁଣାଣି ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

High Court (ETV BHARAT ODISHA)

ଇଟିଭି ଭାରତ, କଟକ

Last Updated : 3 hours ago

ABOUT THE AUTHOR

...view details