ଭୁବନେଶ୍ବର:ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ହୋଇଛି ଟାସ୍କ ଫୋର୍ସ । ଏନେଇ ଶାସକ ଦଳ ସନ୍ତୁଳିତ ବିକାଶକୁ ଗୁରୁତ୍ବ ଦେବା କଥା କହୁଥିବାବେଳେ ବିରୋଧୀ ବି ପଦକ୍ଷେପକୁ ସ୍ବାଗତ କରିଛନ୍ତି ।
ଉତ୍ତର ଓଡ଼ିଶାର ବିକାଶ ଲକ୍ଷ୍ୟ:ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, "ସନ୍ତୁଳିତ ବିକାଶ ହେବାର ଆବଶ୍ୟକତା ଅଛି । ଯେଉଁ ସବୁ ଅଞ୍ଚଳ ଅନଗ୍ରସର ରହିଛି, ବିକାଶ ପହଞ୍ଚି ପାରିନାହିଁ, ସେଠାରେ ବିକାଶ କରିବୁ । ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।"
ଟାସ୍କ ଫୋର୍ସରେ କିଏ କିଏ ଅଛନ୍ତି?
ସୂଚନା ଅନୁସାରେ, ଏହି ଟାସ୍କ ଫୋର୍ସରେ ୮ ଜଣ ସଦସ୍ୟ ଅଛନ୍ତି । ଏହି ସଦସ୍ୟମାନେ ହେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼, ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ । ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବା ପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । "ସଦସ୍ୟଙ୍କ ସହ ବିଭିନ୍ନ ଦିଗରେ ଆଲୋଚନା କରି ସମୀକ୍ଷା କରି ଖସଡ଼ା ପ୍ରସ୍ତୁତ ହେବ । ସଦସ୍ୟମାନଙ୍କ ମତାମତ ଓ ବିଭିନ୍ନ ଦିଗକୁ ଆଲୋଚନା କରି ରୂପ ରେଖ ପ୍ରସ୍ତୁତ ହେବ । ଏହାକୁ ସଫଳ କରିବାକୁ କାମ କରାଯିବ" ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର।