ଭୁବନେଶ୍ୱର: ରାଜ୍ୟରେ ନିର୍ଧୁମ ଛେଚୁଛି ବର୍ଷା । ଝାଡଖଣ୍ଡ ଓ ଉତ୍ତର ଓଡ଼ିଶା ବାୟୁମଣ୍ଡଳର ଉପରି ଭାଗରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିଛି । ଏହାସହ ମୌସୁମୀ ସକ୍ରିୟ ରହିଥିବା ବେଳେ ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ବର୍ଷାର ପରିମାଣ କମିବ । ଆଗାମୀ ୫ ଦିନଯାଏଁ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବାବେଳେ ଆସନ୍ତା ୨୪ ଘଣ୍ଟାରେ କେତେକ ସ୍ଥାନ ଯେପରିକି ସୁନ୍ଦରଗଡ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ,ବଲାଙ୍ଗୀର ,ନୂଆପଡା, ସମ୍ବଲପୁର ,ବରଗଡ଼ ଓ ଝାରସୁଗୁଡା ଏହି ୯ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତାକାଲି ୫ ଜିଲ୍ଲାକୁ ୱାର୍ଣ୍ଣିଂ:
ଆସନ୍ତାକାଲି ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ କେନ୍ଦୁଝର ଭଳି ୫ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୦ ତାରିଖ ଠାରୁ ଧିରେ ଧିରେ ବର୍ଷାର ପରିମାଣ କମିବା ସହ ପୁଣି ୧୩ରୁ ପ୍ରବଳ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ସହ ୫ଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ନବରଙ୍ଗପୁରରେ ୧୩୪.୦୦ ମିମି ବର୍ଷା ରେକର୍ଡ ହୋଇଛି ।
ତେବେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଛେଚୁଛି । ଲଗାଣ ବର୍ଷା ଯୋଗୁଁ ବୌଦ୍ଧ, ଖୋର୍ଦ୍ଧା, ନବରଙ୍ଗପୁର ଇତ୍ୟାଦି ଅନେକ ଜିଲ୍ଲାରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି । କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି ତ ଆଉ କେଉଁଠି ଡାକ୍ତରଖାନାରେ ପାଣି ପଶିଲାଣି । ରାସ୍ତା ଉପରେ ପାଣି ଚାଲିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଛି ।