ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ଆଉ ଏକ ଘୂର୍ଣ୍ଣିବଳୟ । କିନ୍ତୁ ରାଜ୍ୟ ଉପରେ ଏହାର ପ୍ରଭାବ ନଥିବା ବେଳେ ଦକ୍ଷିଣ ଭାରତରେ ଏହାର ପ୍ରଭାବ ରହିବ । ତେଣୁ ବର୍ତ୍ତମାନ ରାଜ୍ୟରେ ୭ ଦିନ ପର୍ଯ୍ୟନ୍ତ କୌଣସି ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ । ରାଜ୍ୟର କାଁଭାଁ ସ୍ଥାନରେ ମାତ୍ରାଧିକ ଆର୍ଦ୍ରତା ଯୋଗୁଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ସେହିପରି କାର୍ତ୍ତିକ ମାସ ଶେଷ ହେବାକୁ ବସିଥିବା ବେଳେ ଏପର୍ଯ୍ୟନ୍ତ ଶୀତର ଦେଖା ନାହିଁ ।
୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି ତାପମାତ୍ରା:
ତେବେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ଶୀତା ଅନୁଭୂତ ହେଉଥିବା ବେଳେ ଉପକୂଳରୁ ଶୀତକୁ ଉଡାଇ ନେଇଛି ବାତ୍ୟା 'ଦାନା' । ସ୍ବାଭାବିକ ଦିନଠାରୁ ଶୀତକୁ ଏକ ମାସ ପଛକୁ ଠେଲି ନେଇଛି ବାତ୍ୟା । ନଭେମ୍ବର ୧୫ ତାରିଖ ଭିତରେ ଶୀତ ପଡିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାରଣ ଏବେ ରାଜ୍ୟକୁ ଉତ୍ତର-ପୂର୍ବ ଦିଗରୁ ପବନ ବହୁଛି । ପ୍ରଭାବରେ ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହୁଛି । ନଭେମ୍ବର ଶେଷ ଆଡକୁ ଉତ୍ତର ଦିଗରୁ ଥଣ୍ଡା ପବନ ପ୍ରବାହ ବଢିଲେ ଶୀତ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ତାପମାତ୍ରା କମିଲେ ହିଁ ଶୀତ ଅନୁଭବ ହେବ:
ସେପଟେ ବର୍ତ୍ତମାନ ପଶ୍ଚିମା ଝଡର ବି ପ୍ରଭାବ ନାହିଁ । ବାତ୍ୟା ପରେ ମାତ୍ର ଗୋଟିଏ ପଶ୍ଚିମାଝଡ ସୃଷ୍ଟି ହୋଇଛି । ଆଗକୁ ଧିରେ ଧିରେ ତାପମାତ୍ରା କମିବ । କିନ୍ତୁ ହଠାତ୍ ଶୀତ ହେବନାହିଁ । ବର୍ତ୍ତମାନ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଏହାସହ ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଛି । ଦିନର ତାପମାତ୍ରା ସ୍ବାଭାବିକକୁ ଫେରୁଛି । ସ୍ୱାଭାବିକ ସ୍ଥିତିରେ ଏବେ ବି ଦିନ ତାପମାତ୍ରାର ରହୁଥିବା ବେଳେ ଶୀତ ଅନୁଭବ ହେଉନାହିଁ ବୋଲି ବିଭାଗ କହିଥିବା ବେଳେ ଆଗକୁ ଦିନର ତାପମାତ୍ରା କମିଲେ ହିଁ ଶୀତ ଅନୁଭବ ହେବ ବୋଲି ବିଭାଗ ସୂଚନା ଦେଇଛି ।