ଭୁବନେଶ୍ବର:ନୂଆ ସରକାର ପାଇଁ ପରୀକ୍ଷା ଥିଲା । ଭଲ ନମ୍ବର ନୁହେଁ, ପାସ ହେବାର ଆବଶ୍ୟକତା ଥିଲା । ଯାହା କି ଆମେ କରି ଦେଖାଇଲୁ । ଆମ ରାଜ୍ୟରେ କେବେ ପୋଲିସ DG-IG ସମ୍ମିଳନୀ ହୋଇନଥିଲା । କିନ୍ତୁ ଆମକୁ ସୁଯୋଗ ମିଳିଲା, ଏବଂ ଆମେ ସୁଚାରୁରୂପେ ତାହା ତୁଲାଇଲୁ ମଧ୍ୟ । ଏଥିପାଇଁ ତିନିଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିବା ପରେ ନିଜେ ପ୍ରଧାନମନ୍ତ୍ରୀ ଫୋନ କରି ଧନ୍ୟବାଦ ଦେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଏକ ଦୀର୍ଘ ପ୍ରେସମିଟରେ ମୁଖ୍ୟମନ୍ତ୍ରୀ ଆୟୋଜନର ସମସ୍ତ ଦିଗ ସହ ଆଗକୁ ଓଡିଶାରେ ହେବାକୁ ଯାଉଥିବା ଏକାଧିକ ଜାତୀୟ କାର୍ଯ୍ୟକ୍ରମର ସଫଳ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି ।
- ଦିଲ୍ଲୀ ଫେରିବା ପରେ ପ୍ରଧାନମନ୍ତ୍ରୀ ଫୋନ କରିଥିଲେ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କହିଛନ୍ତି,‘‘ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ତିନିଦିନ ଓଡିଶାରେ ରହିବା ଆମ ପାଇଁ ବେଶ ଶକ୍ତି ଯୋଗାଇଛି । ଯାହାପାଇଁ ଆମ ରାଜ୍ୟର ସୁରକ୍ଷାକୁ ବୃଦ୍ଧି ଦିଗରେ ବଳ ଯୋଗାଇଛି । ଭୁବନେଶ୍ବରରୁ ଦିଲ୍ଲୀ ଗଲା ପରେ ପ୍ରଧାନମନ୍ତ୍ରୀ ମୋ ସହ କଥା ହୋଇଥିଲେ । କେମିତି ସବୁ ବ୍ୟବସ୍ଥା ହୋଇଥିଲା, ସେ ସମ୍ପର୍କରେ ପଚାରିଥିଲେ । ମୁଁ ମଧ୍ୟ ପଚାରିଥିଲି, ଆପଣଙ୍କୁ ଆୟୋଜନ କେମିତି ଲାଗିଲା । କାର୍ଯ୍ୟକ୍ରମକୁ ନେଇ ସେ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଥିଲେ । ପାଖାପାଖି 10 ମିନିଟରୁ ଊର୍ଦ୍ଧ୍ବ ସମୟ ଧରି ତାଙ୍କ ସହ ମୋର ଆଲୋଚନା ହୋଇଥିଲା । ଗୋଟେ ପରୀକ୍ଷାରେ ସଫଳ ହୋଇଛୁ । ଆଗକୁ ଆଉ ଏକ ପରୀକ୍ଷା ରହିଛି । ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସୁଚାରୁରୂପେ ତୁଲାଇବା ପାଇଁ ଆମେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା । ଓଡିଆ ଅସ୍ମିତାକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଆମର ଦାୟିତ୍ବ । ଆମର ଉତ୍ସବଗୁଡ଼ିକୁ କିପରି ଗୋଟିଏ ସମୟରେ କରି ବିଶ୍ୱରେ ପହଞ୍ଚାଇବା ତାହା ପାଇଁ ଆମର ଏକତ୍ରିତ ହୋଇ କାର୍ଯ୍ୟ କରିବା । ଅନ୍ତର୍ଜାତୀୟ ଅତିଥିଙ୍କ ପ୍ରାୟ 7 ହଜାର ଘରର ଆବଶ୍ୟକ ରହିଛି । ତେଣୁ ସେଥିପାଇଁ ସରକାର ବି ତାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।’’
- ପ୍ରତ୍ୟେକ କାର୍ଯ୍ୟରେ ଜନ ଭାଗିଦାରୀ ଆବଶ୍ୟକ : ମୁଖ୍ୟମନ୍ତ୍ରୀ