ପୁରୀ:ଚଳିତ ମାସ ଶେଷ ହେବାକୁ ଯାଉଛି ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ଅବଧି । ନୂଆ ପରିଚାଳନା କମିଟି ଗଠନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ରାଜ୍ୟ ଆଇନ୍ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରି ଅବଗତ କରାଯାଇଛି । କେଉଁ ଆଧାରରେ ଏବଂ କିଭଳି ଭାବେ ନୂତନ ପରିଚାଳନା କମିଟି ସଦସ୍ୟଙ୍କ ମନୋନୟନ ହେବ ସେନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରାଜ୍ୟ ଆଇନ୍ ବିଭାଗ ଚିଠିରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ।
ନୂଆ ପରିଚାଳନା କମିଟି ଗଠନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି:
ଆଇନ୍ ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠିରେ ଉଲ୍ଲେଖ ଅନୁସାରେ ମହାପ୍ରଭୁଙ୍କର ଅଧିକାଂଶ ସେବାପୂଜାରେ ପ୍ରମୁଖ ଭୂମିକା ଥିବା ସେବାୟତ ନିଯୋଗରୁ ଦୁଇଜଣ ଲେଖାଏଁ ସଦସ୍ୟଙ୍କ ନାମ ଉକ୍ତ ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ସୁପାରିଶ କରିବାକୁ ଅନୁରୋଧ କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ବିଭିନ୍ନ ନିଯୋଗରୁ ସୁପାରିଶ ହୋଇଥିବା ନାମ ଆସିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏକ ଦଶ ଜଣିଆ ସଦସ୍ୟ ସୂଚି ପ୍ରସ୍ତୁତ କରିବେ । ଯଦି ନାମ ଚୟନ ନେଇ କୌଣସି ଅସୁବିଧା ହୁଏ ,ତେବେ ଲଟେରୀ ମାଧ୍ୟମରେ ନାମ ଚୟନ କରାଯିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଶ୍ରୀମନ୍ଦିର ପରିଚାଳନା କମିଟିରେ ପ୍ରମୁଖ ସେବାୟତ ନିଯୋଗକୁ ରୋଟେସନ୍ ପଦ୍ଧତିରେ ସ୍ଥାନ ଦିଆଯିବାକୁ ଚିଠିରେ ମଧ୍ୟ ଉଲ୍ଲେଖ ରହିଛି । କୌଣସି ନିଯୋଗରୁ ଦୁଇଜଣ ବ୍ୟକ୍ତି ପରିଚାଳନା କମିଟିକୁ ମନୋନୀତ ହୋଇପାରିବେ ନାହିଁ । ସେହିପରି କୌଣସି ବ୍ୟକ୍ତି ଯଦି ଲଗାତାର ଦୁଇଥର ପରିଚାଳନା କମିଟିରେ ସଦସ୍ୟ ହୋଇଥିବେ ତାଙ୍କୁ ଆଉ ମନୋନୀତ କରାଯିବ ନାହିଁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ନାମଗୁଡ଼ିକ ମନୋନୀତ କରିବା ପରେ ଗୋପନୀୟ ଭାବେ ସରକାରଙ୍କୁ ପ୍ରଦାନ କରିବେ । ପରେ ଆଇନ୍ ବିଭାଗ ଆବଶ୍ୟକ ସଦସ୍ୟ ମନୋନୀତ କରି ନୂତନ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରିବେ ।
'ପରିଚାଳନା କମିଟିକୁ ସ୍ବାଧୀନ ଭାବେ କାର୍ଯ୍ୟ କରିବାକୁ ଦିଆଯାଉ':
ଏନେଇ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି,"ଶ୍ରୀମନ୍ଦିର ପରିଚାଳନା କମିଟି ଶ୍ରୀମନ୍ଦିର ସୁରକ୍ଷା ଏବଂ ଶୃଙ୍ଖଳିତ ନୀତିକାନ୍ତି ପାଇଁ ଉତ୍ତରଦାୟୀ । ଏଣୁ ବିଭିନ୍ନ ନିଯୋଗର ସେବାୟତ ପ୍ରତିନିଧିଙ୍କ ସହ ସମାଜର ବିଭିନ୍ନ ବର୍ଗରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ପରିଚାଳନା କମିଟିରେ ସ୍ଥାନ ଦେବା ଉଚିତ୍ । ପୂର୍ବରୁ ପରିଚାଳନା କମିଟି ରାଜ୍ୟ ସରକାରଙ୍କ କ୍ରୀଡନକ ସାଜି ଶ୍ରୀମନ୍ଦିରର ସୁରକ୍ଷା ଓ ଶୃଙ୍ଖଳିତ ନୀତିକାନ୍ତି କିଭଳି ହେବ ସେନେଇ ଧ୍ୟାନ ଦେଉନଥିଲେ । ସରକାରଙ୍କ ଚାପରେ ଭୁଲ୍ ତ୍ରୁଟିକୁ ମଧ୍ୟ ପ୍ରତିବାଦ କରୁନଥିଲେ । ଏହାଦ୍ବାରା ଶ୍ରୀମନ୍ଦିରରେ ବିଶୃଙ୍ଖଳା ବଢ଼ିବା ସହ ରଥଯାତ୍ରା ଆୟୋଜନରେ ବ୍ୟାପକ ବିଶୃଙ୍ଖଳା, ମହାପ୍ରଭୁଙ୍କ ଭୂସମ୍ପତ୍ତି ସୁରକ୍ଷାରେ ସମ୍ପୂର୍ଣ୍ଣ ଅସମର୍ଥ ଥିଲା ଏହି ଶ୍ରୀମନ୍ଦିର ପରିଚାଳନା କମିଟି । ତେବେ ଆଗକୁ ଗଠନ ହେବାକୁ ଥିବା ନୂତନ ପରିଚାଳନା କମିଟିରେ ରାଜ୍ୟ ସରକାର ଅଯଥାରେ ହସ୍ତକ୍ଷେପ ନକରି ପରିଚାଳନା କମିଟିକୁ ସ୍ବାଧୀନ ଭାବେ କାର୍ଯ୍ୟ କରିବାକୁ ଦେଲେ ଶ୍ରୀମନ୍ଦିର ନୀତିକାନ୍ତିରେ ଶୃଙ୍ଖଳା ଆସିବା ସହ ଶ୍ରୀମନ୍ଦିର ସୁରକ୍ଷା ଓ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷା ହୋଇପାରିବ ।"
'ସେବାୟତଙ୍କ ସହ ପୁରୀ ସହରର ବୁଦ୍ଧିଜୀବୀଙ୍କୁ କମିଟିରେ ସ୍ଥାନ ଦିଆଯାଉ ':