ପାରାଦ୍ୱୀପ: ବାଂଲାଦେଶୀ ମତ୍ସ୍ୟଜୀବୀ ଓ ଜାହାଜକୁ ଛାଡିବା ପୂର୍ବରୁ ବାଂଲାଦେଶ ଜେଲରେ ସଜା କାଟୁଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକୁଳାଇବାକୁ ଦାବି । ଗତ 6 ତାରିଖରେ ଭାରତୀୟ ଜଳସୀମାରେ ବାଂଲାଦେଶର ଦୁଇଟି ଛୋଟ ଜାହାଜ ଲେଇଲା-2 ଓ ଏଫ ଭି ମେଘା ବେଆଇନ ଭାବରେ ପଶି ମାଛ ମାରୁଥିବା ବେଳେ ଭାରତୀୟ ତଟରଖି ବାହିନୀ ଦ୍ୱାରା ଧରାପଡିବା ପରେ ସେମାନଙ୍କୁ କୋଷ୍ଟ ଗାର୍ଡ ପକ୍ଷରୁ ପାରାଦ୍ୱୀପ ଅଣା ଯାଇଥିଲା । ସେଠାରେ ସେମାନଙ୍କୁ ରଖାଯିବା ସହିତ ସେମାନେ କିଭଳି ସ୍ବଦେଶକୁ ଫେରିଯାଇ ପାରିବେ ସେ ନେଇ ଭାରତ ସରକାର ଓ ବାଂଲାଦେଶ ସରକାର ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଏହାକୁ ବିରୋଧ କରିଛି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ।
ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଛାଡିବାକୁ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ବିରୋଧ:
ଏନେଇ ସାମ୍ବାଦିକ ସମ୍ମିଳନୀରେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା କହିଛନ୍ତି,"ଗତ 6 ତାରିଖରେ ବାଂଲାଦେଶୀ ଜାହାଜ ଭାରତୀୟ ଜଳ ସୀମାରେ ପ୍ରବେଶ କରି ବେଆଇନ ଭାବରେ ମାଛ ମାରୁଥିବା ସମୟରେ କୋଷ୍ଟ ଗାର୍ଡ ପକ୍ଷରୁ ତାଙ୍କୁ ପାରାଦ୍ୱୀପ ଅଣାଯାଇଥିଲା । ଏହି ଛୋଟ ଜାହାଜରେ ମୋଟ 160 ମେଟ୍ରିକ ଟନରୁ ଅଧିକ ମାଛ ଥିଲା । ଏହାକୁ ନିଲାମ ପାଇଁ ସରକାରୀ ଭାବରେ କୁହାଯାଇଥିବା ବେଳେ ଶେଷକୁ ମାଛ ସହିତ ଅଟକ 78 ଜଣ ବାଂଲାଦେଶୀଙ୍କୁ ସ୍ବଦେଶ ଫେରାଇବା ପାଇଁ ସରକାର ପ୍ରୟାସ କରୁଛନ୍ତି ।ଏହାକୁ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ବିରୋଧ କରୁଛି ।ଏହାକୁ ନେଇ ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରାଳୟ, ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।"