ଭୁବନେଶ୍ବର:ଆଉ ମାତ୍ର କିଛି ଦିନ ପରେ ଦିବଙ୍ଗତ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ । ଠିକ ଏହା ପୂର୍ବରୁ ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସ ବାପାଙ୍କ ହତ୍ୟାକାଣ୍ଡର ‘ସିବିଆଇ’ ତଦନ୍ତ ଦାବି କରିଛନ୍ତି । ଯାହାକୁ ନେଇ ରାଜନୀତି ଜୋରଦାର ଆରମ୍ଭ ହୋଇଛି । ଦୁଇ ବର୍ଷ ପରେ ନବ ଦାସଙ୍କ ପରିବାର ଲୋକଙ୍କର ଜ୍ଞାନ ଉଦୟ ହୋଇଛି ବୋଲି କହିଛି କଂଗ୍ରେସ ଓ ବିଜେପି । ପରିବାର ଲୋକ ଲିଖିତ ଭାବେ ଦେଲେ ସରକାର ବିଚାର କରିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
- ଆମେ ସେତେବେଳେ CBI ତଦନ୍ତ କଥା କହିଥିଲୁ: ଆଇନ ମନ୍ତ୍ରୀ
ନବ ଦାସ ହତ୍ୟା ମାମଲାରେ ପରିବାର ଲୋକଙ୍କ ସିବିଆଇ ତଦନ୍ତ ଦାବିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, " ଯେତେବେଳେ ଗୋଟେ ପରିବାରର କୌଣସି କ୍ଷତି ହୁଏ । ପରିବାର ସଦସ୍ୟ ଯଦି କୌଣସି ସ୍ପଷ୍ଟ ମତ ଦିଅନ୍ତି ନାହିଁ । ସେତେବେଳେ ତଦନ୍ତ ପ୍ରକ୍ରିୟା ବାଟବଣା ହୁଏ । ଆମେ ବିରୋଧୀ ଦଳରେ ଥିବା ବେଳେ ସିବିଆଇ ତଦନ୍ତ କଥା କହୁଥିଲୁ । କ୍ରାଇମବ୍ରାଞ୍ଚ ବାଟ ବୁଲେଇ ବୁଲେଇ ନେଉଛି ବୋଲି କହିଥିଲୁ । ଏଥିରୁ ସତ୍ୟ ବାହାରିବ ନାହିଁ । ଯାହା ଆମେ ସେତେବେଳେ କହୁଥିଲୁ, ତାହା ଠିକ ହେଲା । ଯିଏ ହତ୍ୟା କଲା ସେ ଧରା ପଡିଲା । ସେ ଗୁଳି କାହିଁକି କଲା ଓ ଗୁଳି କରିବା ପଛରେ ଷଡ଼ଯନ୍ତ୍ର କିଏ କରିଥିଲା ବୋଲି ଆମ ପ୍ରଶ୍ନର ଉତ୍ତର ତତ୍କାଳୀନ ବିଜେଡି ସରକାର ପାଖରେ ନଥିଲା ।"
- ଲିଖିତ ଜଣାଇଲେ ଗୁରୁତର ସହ ନେବେ ସରକାର :-
ଆଇନ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଆଜି ନବ ଦାସଙ୍କ ପରିବାର ସିବିଆଇ ତଦନ୍ତ ଦାବି କରୁଛନ୍ତି । ସରକାର ଏନେଇ ଚିନ୍ତା କରିବେ । ମାମଲା ପୁନଃ ତଦନ୍ତ କିମ୍ବା ସିବିଆଇ ତଦନ୍ତ ବାବଦରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ସରକାରଙ୍କ ନିଷ୍ପତ୍ତି ଆଗକୁ ଜଣାପଡିବ । କ୍ରାଇମବ୍ରାଞ୍ଚ ତଦନ୍ତ ନାଁ'ରେ ଗତ ସରକାର ଭୁଆଁ ବୁଲେଇଥିଲେ ବୋଲି ବିଳମ୍ବରେ ହେଲେ ବି ତାଙ୍କ ମନରେ ଆସିଲା । କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରକ୍ରିୟା ଠିକ ନଥିଲା ବୋଲି ଆଜି ନବ ଦାସଙ୍କ ପରିବାର ଅନୁଭବ କରିଛନ୍ତି । ଖାଲି ଗଣମାଧ୍ୟମ ଆଗରେ କହି ଦେଲେ ହେବନାହିଁ । ଯଦି ପୂର୍ବ ସରକାର ତଦନ୍ତରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି ଲିଖିତ ଭାବେ ଜଣାଇଲେ ସରକାର ନିଶ୍ଚୟ ଏହାକୁ ଗୁରୁତର ସହ ନେଇ ନିଷ୍ପତ୍ତି ନେବେ ।"
- ଲୋଭରେ CBI ତଦନ୍ତକୁ ବିରୋଧ କରିଥିଲେ ପରିବାର ଲୋକ :
ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି, "କ୍ଷମତା କିମ୍ବା ଆର୍ଥିକ ଲୋଭରେ ବଶବର୍ତ୍ତୀ ହୋଇ ସେତେବେଳେ ‘ସିବିଆଇ’ ନବ ଦାସଙ୍କ ପରିବାର ଲୋକ ତଦନ୍ତକୁ ବିରୋଧ କରିଥିଲେ । ଏବେ ସେମାନଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିଛି । ସେଥିପାଇଁ ‘ସିବିଆଇ’ ତଦନ୍ତ ଲାଗି ପରିବାର ଲୋକ କହି ଦେଇଛନ୍ତି । ଯଦି ସେ ପ୍ରକୃତରେ ସିବିଆଇ ତଦନ୍ତ ଚାହୁଁଛନ୍ତି, ତେବେ ଲିଖିତ ଭାବରେ ଦିଅନ୍ତୁ । ନିଶ୍ଚୟ ଭାବେ ସିବିଆଇ ତଦନ୍ତ ହେବ । ପୁଅ, ଝିଅ କିମ୍ବା ସ୍ତ୍ରୀ ଲିଖିତ ଭାବେ ଏହା ସରକାରଙ୍କୁ ଜଣାନ୍ତୁ । ଆଇନ କାନୁନରେ ଏନେଇ ବ୍ୟବସ୍ଥା ଅଛି ।"
- ଚ୍ୟାଲେଞ୍ଜ ନକଲେ ଅନ୍ୟ କୌଣସି ତଦନ୍ତ ଲାଗି ସୁଯୋଗ ନାହିଁ :-
ଜୟ ଆହୁରି ମଧ୍ୟ କହିଛନ୍ତି, "ଗୋଟେ ତଦନ୍ତକାରୀ ସଂସ୍ଥା ରିପୋର୍ଟ ଦେଇ ସାରିବା ପରେ ଏହାକୁ ଚ୍ୟାଲେଞ୍ଜ କରିବାକୁ ହେବ । ଏହାକୁ ଚ୍ୟାଲେଞ୍ଜ ନକଲେ ଅନ୍ୟ କୌଣସି ତଦନ୍ତ ଲାଗି ସୁଯୋଗ ନାହିଁ । ସରକାର ଏକ ନିରନ୍ତର ପ୍ରକ୍ରିୟା । ବିଚାର ପ୍ରକ୍ରିୟା ମଧ୍ୟ ସମାନ । ଯଦି ତଦନ୍ତରେ ସନ୍ତୁଷ୍ଟ ନୁହଁ, ତେବେ ସରକାର କିମ୍ବା କୋର୍ଟଙ୍କୁ ଜଣାଇବାକୁ ପଡିବ । ଏହା ପରେ ପରବର୍ତ୍ତୀ ଦିଗରେ ସରକାର ବ୍ୟବସ୍ଥା କରିବେ ।"
- କିରିମିରା ବ୍ଲକ ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ପରେ ହୋଇଛି ଜ୍ଞାନ ଉଦୟ :-
କଂଗ୍ରେସର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି," ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରଥମରୁ ହିଁ ସନ୍ଦେହଜନକ । ‘ସିବିଆଇ’ ତଦନ୍ତ ହେଉ ବୋଲି ସେ ସମୟରେ ଆମେ ବିଧାନସଭାରେ ଦାବି କରିଥିଲୁ । ନଚେତ ଜୁଡିସିଆରି ତଦନ୍ତ ଦାବି କରିଥିଲୁ । ସେ ସମୟରେ ସରକାର ଏକମତ ହେଲେ ନାହିଁ । ନବ ଦାସଙ୍କ ପରିବାର ଲୋକ ନିରବ ରହିଲେ । ଯେଉଁ ସମୟରେ କିରିମିରା ବ୍ଲକ ଅଧ୍ୟକ୍ଷଙ୍କ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ ଉଠିବା ପରେ ତାଙ୍କ ଜ୍ଞାନ ଉଦୟ ହୋଇଛି । ନବ ଦାସଙ୍କ ହତ୍ୟା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଥିବା ଓଡିଶା ବାସୀ ବି କହୁଛନ୍ତି । ସେଥିପାଇଁ ସିବିଆଇ ତଦନ୍ତ ହେବା କଥା । କାହିଁକି ନା ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିଯିବ । ବିଳମ୍ବରେ ହେଲେ ବି ନବ ଦାସଙ୍କ ପରିବାରର ଜ୍ଞାନ ଉଦୟ ହେଇଛି । ସିବିଆଇ ତଦନ୍ତ ନିଶ୍ଚୟ ଭାବେ ହେବା କଥା ।"
ଏହା ମଧ୍ୟ ପଢନ୍ତୁ:- |