ଭୁବନେଶ୍ୱର: ରାଷ୍ଟ୍ର ନିର୍ମାଣରେ ଶ୍ରମିକ ଭାଇଭଉଣୀଙ୍କ ଅବଦାନ ସର୍ବାଗ୍ରେ । ସେମାନଙ୍କ ଉନ୍ନତି ବିନା କୌଣସି ରାଷ୍ଟ୍ରରେ ସମନ୍ୱିତ ପ୍ରଗତି ହୋଇପାରେ ନାହିଁ । ଏହାକୁ ନୂତନ ସରକାର ହୃଦୟଙ୍ଗମ କରିଛନ୍ତି । ତେଣୁ ସେମାନଙ୍କ ନିକଟରେ ସରକାରଙ୍କ ସମସ୍ତ ସୁବିଧା, ସୁଯୋଗ ଓ ସହାୟତା ପହଞ୍ଚାଇବା ପାଇଁ ସରକାର ସଂକଳ୍ପବଦ୍ଧ । ଏହା କହିଛନ୍ତି ନବନିଯୁକ୍ତ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ । ଖାରବେଳ ଭବନର ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ସମ୍ମିଳନୀ କକ୍ଷରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରାଇଥିଲେ । ରାଜ୍ୟରେ ବିଭିନ୍ନ ସ୍ଥାନରେ ଥିବା ଅଣପଞ୍ଜିକୃତ କାରଖାନା ଏବଂ କ୍ଷୁଦ୍ର କର୍ମଶାଳାକୁ ନିୟମିତ ବ୍ୟବଧାନରେ ଯାଇ ସେଗୁଡ଼ିକର ଯାଞ୍ଚ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ନିର୍ମାଣ ଓ ତତସମ୍ବନ୍ଧିତ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ଅନଲାଇନରେ ପାରିଶ୍ରମିକ ପ୍ରଦାନକୁ ସୁନିଶ୍ଚିତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଶ୍ରମିକଙ୍କ ନିକଟରେ ପହଞ୍ଚିବ ସରକାରଙ୍କ ସୁବିଧା, ସୁଯୋଗ ଓ ସହାୟତା: ଶ୍ରମ ମନ୍ତ୍ରୀ - labour minister review meeting - LABOUR MINISTER REVIEW MEETING
labour minister review departmental meeting: ଖାରବେଳ ଭବନର ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଅନୁଷ୍ଠିତ । ଅଧିକ ପଢନ୍ତୁ
Published : Jun 20, 2024, 7:38 PM IST
ମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ପ୍ରତ୍ୟେକ ମାସରେ ଏକ ସମୀକ୍ଷା ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ବ୍ଲକ ଏବଂ ପ୍ରତି ପଞ୍ଚାୟତରୁ ସଂଗୃହୀତ ସେସ ଅର୍ଥ ସଂପର୍କିତ ଏକ ଏମପିଆର ଜିଲ୍ଲାପାଳମାନଙ୍କୁ ପ୍ରଦାନ କରିବେ । ଏହି ତଥ୍ୟକୁ ଜିଲ୍ଲପାଳମାନେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗକୁ ପ୍ରେରଣ କରିବେ । ଏହା ଦ୍ୱାରା ସେସ ସଂଗୃହୀତ ଅର୍ଥ ହେଡ ଅଫ ଆକାଉଣ୍ଟରେ ସଠିକ ରୂପେ ଜମା ହେଉଛି ନା ନାହିଁ ତାହା ବିଭାଗ ଅବଗତ ହୋଇପାରିବ । ସରକାରଙ୍କ ପକ୍ଷରୁ ଶ୍ରମିକଙ୍କୁ ପ୍ରଦତ୍ତ ବିଭିନ୍ନ ସୁବିଧାସୁଯୋଗ ବିଷୟରେ ଗ୍ରାମାଞ୍ଚଳର ଲୋକେ ଜାଣିପାରୁନାହାନ୍ତି । ସେଥିପାଇଁ ଶ୍ରମ ବିଭାଗ ତରଫରୁ ଆଇଇସି ଆକ୍ଟିଭିଟିକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ । ତା’ସହ ଶିଶୁଶ୍ରମିକମୁକ୍ତ ରାଜ୍ୟ ସଂପର୍କରେ ଜନସଚେତନତାକୁ ବ୍ୟାପକ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଦାଦନପ୍ରବଣ ଜିଲ୍ଲାମାନଙ୍କରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଉନ୍ନୟନମୂଳକ କାର୍ଯ୍ୟ ସଂପାଦନ ଏବଂ ନିର୍ଦ୍ଧାରିତ ମଜୁରୀ ପ୍ରାପ୍ତିକୁ ସୁନିଶ୍ଚିତ କରିବାକୁ ମନ୍ତ୍ରୀ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କଳକାରଖାନା ମାନଙ୍କରେ ଦୁର୍ଘଟଣାଜନିତ କ୍ଷୟକ୍ଷତି ଓ ପ୍ରାଣହାନୀକୁ ସଂପୂର୍ଣ୍ଣ ପ୍ରଶମିତ କରିବାକୁ ସରକାର ପ୍ରାଧାନ୍ୟ ଦେଉଛନ୍ତି । ସେଥି ପ୍ରତି ବିଶେଷ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ୱର