ନିଆଳି: ଲୋକଙ୍କ ପାନୀୟ ଜଳ ସଙ୍କଟକୁ ଦୂର କରିବା ପାଇଁ ସରକାର ଆରମ୍ଭ କରିଥିଲେ ବସୁଧା ଯୋଜନା । ଏଥିପାଇଁ ନିଆଳି ବ୍ଳକ ଅଞ୍ଚଳରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ଓଭର ହେଡ୍ ଟାଙ୍କି ନିର୍ମାଣ ହେଲା ପାଇପ ଲାଇନ୍ ମଧ୍ୟ ବିଛା ହୋଇ ଟ୍ୟାପ୍ ବି ଲାଗିଲା ହେଲେ ଫଳ ଶୂନ । କଟକ ଜିଲ୍ଲା ନିଆଳି ବ୍ଳକ ଅଞ୍ଚଳରେ ସରକାରଙ୍କ ବସୁଧା ଯୋଜନାରେ ଜଳ ଜୀବନ ମିଶନ ଫେଲ ମାରିଥିବା ଦେଖିବାକୁ ମିଳିଛି । ତେବେ ଏହି ଅଭିଯୋଗ ଆଣିଛନ୍ତି ଉପଭୋକ୍ତା ଏବଂ ନିର୍ବାଚିତ ଲୋକ ପ୍ରତିନିଧି ।
କଟକ ଜିଲ୍ଲା ନିଆଳି ବ୍ଳକର ୨୩ ଗୋଟି ପଞ୍ଚାୟତରେ ପ୍ରତ୍ୟେକ ଗାଁରେ ବସୁଧା ଯୋଜନା ମାଧ୍ୟମରେ ସ୍ବଚ୍ଛ ପିଇବା ପାଣି ଯୋଗାଇ ଦେବା ପାଇଁ ସରକାର କୋଟି କୋଟି ଟଙ୍କା ମଞ୍ଜୁର କରିଥିଲେ । ନିଆଳି ଥାନା ମାଧବ ପଞ୍ଚାୟତ ସ୍ଥିତ ମାଧବ ସଦାତୋଟା ନିକଟରେ ନିର୍ମାଣ ହୋଇଛି ବିଶାଳ ଓଭରହେଡ ଟାଙ୍କି। ପାଇପ ଲାଇନ୍ ବିଛା ଯାଇଛି ଟ୍ଯାପ ନିର୍ମାଣ ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକେ ପାଣି ପାଇନଥିବା ନେଇ ଅଭିଯୋଗ କରିଛନ୍ତି । ପ୍ରବଳ ଖରା କାରଣରୁ ଏବେ ଗାଁରେ ଥିବା ନଳକୂପ ଠିକ୍ ଭାବରେ ଜଳ ଯୋଗାଇ ପାରୁ ନଥିବା ବେଳେ ପାଣି ପାଇଁ ଲୋକ ଡହଳ ବିକଳ ହେଉଛନ୍ତି । ଅନ୍ୟପଟେ ଟ୍ଯାପ ଗୁଡ଼ିକ ଅନେକ ସ୍ଥାନରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।