ବାଲେଶ୍ୱର: ଦିନିକିଆ ବାଲେଶ୍ଵର ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ଆଜି ରାଜ୍ୟପାଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକ୍ଷମ ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ।
ତେବେ ଜିଲ୍ଲା ଗସ୍ତ ସମୟରେ ରାଜ୍ୟପାଳ ପ୍ରଥମେ ରେମୁଣା ବ୍ଲକ ଅଧିନ ବଡଘାଇ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇଥିଲେ । ସେଠାରେ କୋମଳ ମତି ଶିଶୁଙ୍କ ଉଦ୍ଦେଶ୍ୟରେ ଲାଗୁ ହୋଇଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ଶିଶୁ ଓ ଗର୍ଭବତୀ ମାଆମାନଙ୍କୁ ସହାୟତା ଓ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ଉପଦେଶ ଦେବା ସହ ଏହାର ଗୁରୁତ୍ଵ ଉପରେ କହିଥିଲେ । ପରେ ରେମୁଣାରେ ଥିବା ପ୍ରଭୁ କ୍ଷୀରଚୋରା ଗୋପୀନାଥ ମନ୍ଦିର ଦର୍ଶନ କରିଥିଲେ । ସେଠାରେ ପ୍ରଭୁ କ୍ଷୀରଚୋରା ଗୋପିନାଥଙ୍କ କ୍ଷୀର ଭୋଗ ଗ୍ରହଣ କରି ଜିଲ୍ଲାପାଳଙ୍କ ସହ ମନ୍ଦିର ସଂପର୍କରେ ଆଲୋଚନା କରିଥିଲେ । ପରେ ରେମୁଣା କ୍ଷୀରଚୋରା ମନ୍ଦିର ନିକଟରେ ମନ୍ଦାରପୁରର ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଆଲୋଚନା କରି ମହିଳାମାନଙ୍କୁ ସ୍ବାବଲମ୍ବୀ ହେବା ନେଇ ଉତ୍ସାହିତ କରିଥିଲେ ।
ତେବେ ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଆଲୋଚନା ପରେ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ୱାର୍ଡ଼ ପରିଦର୍ଶନ କରି ମେଡିକାଲ ଚିକିତ୍ସା ସମ୍ପର୍କରେ ସିଡିଏମଓଙ୍କ ସହ ଆଲୋଚନା କରିବା ସହ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ସେଠାରୁ ନୀଳଗିରି ଗସ୍ତ କରିଥିଲେ । ସେଠାରେ ମର୍ଦ୍ଧରାଜପୁର ଅଞ୍ଚଳ ପରିଦର୍ଶନ କରୁଥିବା ବେଳେ ଅସହାୟ ବୃଦ୍ଧା ଅନ୍ନପୂର୍ଣ୍ଣା ପାତ୍ର କୌଣସି ସରକାରୀ ସହାୟତା ପାଇ ନଥିବା ନେଇ ଅଭିଯୋଗ କିରିଥିଲେ । ରାଜ୍ୟପାଳ ତୁରନ୍ତ ତାଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ରାଜ୍ୟପାଳ ସର୍କିଟ ହାଉସରେ ପହଞ୍ଚିଥିଲେ । ସେଠାରେ ରାଜ୍ୟପାଳଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ସାକ୍ଷାତ କରିଥିଲେ ।