ଭୁବନେଶ୍ବର:କିଏ ହେବକଂଗ୍ରେସ ଦଳର ନେତା, ସେ ନେଇ ଜୋର ଧରିଛି ରାଜନୀତି । ଆଜି ସଂଧ୍ୟାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ନୂଆ ନେତା ମଧ୍ୟ ଚୟନ କରିବ ଦଳ, ସେଥିପାଇଁ ଚାଲିଛି କସରତ । ଗଣତନ୍ତ୍ର ରାଷ୍ଟ୍ରରେ ବିରୋଧୀ ଦଳ ମାନଙ୍କ ଭୂମିକାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ । କାରଣ ପ୍ରତ୍ୟକ ରାଷ୍ଟ୍ରରେ ବିରୋଧୀ ଯେତେ ସଶକ୍ତ ସରକାର ସେତେ ଲୋକାଭିମୁଖୀ ହେବ । ସାଧାରଣ ଜନତା ନ୍ୟାୟ ପାଇବାରେ ସୁବିଧା ହେବ ।
ଓଡ଼ିଶାରେ ବିଜେପି ପ୍ରଥମ କରି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଛି । ଭାରତୀୟ ଜନତା ପାର୍ଟିର ସରକାର ଆସିବା ପରେ ଗତ ନିର୍ବାଚନରେ ବିଜୟୀ ହୋଇଥିବା ନବନିଯୁକ୍ତ ବିଧାୟକ ମାନେ ବିଧାନସଭାରେ ଶପଥ ପାଠ କରିଛନ୍ତି । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ବିଜେପି ସରକାର ଗଠନ କରିଥିବାରୁ ବିଜେପି ସଦସ୍ୟା ସୁରମା ପାଢ଼ୀ ଆଜି ବାଚସ୍ପତି ପାଇଁ ନାମାଙ୍କନ ଭରିଛନ୍ତି । ସେପଟେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ବିଜେଡି ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଥିବାରୁ ବିରୋଧୀ ଦଳ ନେତା ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେପଟେ କଂଗ୍ରେସର 14 ଜଣ ବିଧାୟକଙ୍କ ମଧ୍ୟରୁ କିଏ ହେବ ବିଧାୟକ ଦଳର ନେତା ତାହା ଉପରେ ରହିଛି ସମସ୍ତଙ୍କ ନଜର । ଆଜି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଘରୋଇ ହୋଟେଲରେ ଏହି ବୈଠକ ବସିବ । ଶରତ ପଟ୍ଟନାୟକ କହିଛନ୍ତି ଯେ, ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ କେଉଁ ଭଳି ଢଙ୍ଗରେ କଂଗ୍ରେସ ଘେରିବ । ସେନେଇ ଆଜି ରୋଡ଼ ମ୍ୟାପ ପ୍ରସ୍ତୁତ ହେବ । ଚାଷୀଙ୍କ ସମସ୍ୟା, ବେକାରୀ ସମସ୍ୟା, ଶିଳ୍ପ, ଡାକ୍ତର ଏବଂ ଶିକ୍ଷକ ନିଯୁକ୍ତି ଭଳି ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବ କଂଗ୍ରେସ । ନୂଆ ସରକାର କେଉଁଭଳି ଭାବରେ ଏହି କାର୍ଯ୍ୟକୁ ତ୍ବରାଣତ କରୁଛି । ତାହା ଆଗକୁ ଦେଖାଯିବ ।