ଓଡିଶା

odisha

ETV Bharat / state

ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବସାଇଟ ଉନ୍ମୋଚିତ - PRAVASI BHARATIYA DIVAS

ଭୁବନେଶ୍ୱରରେ 18ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବ । ଏହା ଜାନୁଆରୀ 8 ତାରିଖରୁ 10 ତାରିଖ ଯାଏଁ ଚାଲିବ । ଆଜି ଏହାର 'ୱେବସାଇଟ 'ଉନ୍ମୋଚିତ ହୋଇଛି ।

ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବସାଇଟ ଉନ୍ମୋଚିତ
ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବସାଇଟ ଉନ୍ମୋଚିତ (ETV Bharat Odisha)

By ETV Bharat Odisha Team

Published : Nov 12, 2024, 10:55 PM IST

Updated : Nov 12, 2024, 11:13 PM IST

ନୂଆଦିଲ୍ଲୀ: ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ୱେବସାଇଟ ଉନ୍ମୋଚିତ । ୱେବସାଇଟକୁ ମିଳିତ ଭାବେ ବିଦେଶ ବ୍ୟାପର ମନ୍ତ୍ରୀ ସୁବ୍ରବଣ୍ୟମ ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଭବନ ସ୍ଥିତ ସିବି ମୁଥାମା ହଲରେ ୱେବସାଇଟ ଉନ୍ମୋଚିତ ହୋଇଛି । ଆସନ୍ତା ବର୍ଷ ଜାନୁଆରୀ 8 ତାରିଖରୁ ଭୁବନେଶ୍ୱର ଜନତା ମଇଦାନରେ ଏହି ମହୋତ୍ସବ ତିନି ଦିନ ପାଇଁ ଅନୁଷ୍ଠିତ ହେବ ।

18ତମ ପ୍ରବାସୀ ଭାରତୀୟ ଦିବସ:

ଭୁବନେଶ୍ୱରର ଜନତା ମଇଦାନରେ 18ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବ । ଜାନୁଆରୀ 8 ତାରିଖରୁ ଏହି ତିନି ଦିନିଆ ସମାରୋହ ଜାନୁଆରୀ 10 ତାରିଖ ଯାଏଁ ଚାଲିବ । କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଯାପନୀ କାର୍ଯ୍ୟକ୍ରମରେ ସାମିଲ ହେବେ । କାର୍ଯ୍ୟକ୍ରମର ବିଭିନ୍ନ ଦିନରେ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ । ଏ ନେଇ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଭବନର ସିବି ମୁଥାମା ହଲରେ ୱେବସାଇଟ ଉନ୍ମୋଚିତ ହୋଇଛି । ୱେବସାଇଟ ହେଉଛି pbdindia.gov.in । ଏହାକୁ ମିଳିତ ଭାବେ ବିଦେଶ ବ୍ୟାପର ମନ୍ତ୍ରୀ ସୁବ୍ରବଣ୍ୟମ ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି ।

ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବସାଇଟ ଉନ୍ମୋଚିତ (ETV Bharat Odisha)

ଏମିତି କହିଲେ ବୈଦେଶିକ ମନ୍ତ୍ରୀ:

ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁବ୍ରବଣ୍ୟମ ଜୟଶଙ୍କର କହିଛନ୍ତି ,"ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଭାରତ ସରକାର 35 ନିୟୁତରୁ ଅଧିକ ପ୍ରଭାବଶାଳୀ ଭାରତୀୟ ପ୍ରବାସୀଙ୍କ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି ।ବିଦେଶ ଗସ୍ତ ସମୟରେ ପ୍ରବାସୀ ଭାରତୀୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ନିୟମିତ ବାର୍ତ୍ତାଳାପ କରିଛନ୍ତି । ଭାରତର ବିକାଶ ଧାରା ପ୍ରତି ପ୍ରବାସୀଙ୍କ ଅତୁଟ ସମର୍ଥନ ଭାରତ ଏବଂ ଏହାର ବିଶ୍ୱ ସମୁଦାୟ ମଧ୍ୟରେ ଥିବା ଦୃଢ଼ ସମ୍ପର୍କର ପ୍ରମାଣ । ଭାରତୀୟ ପ୍ରବାସୀ ମାନେ ଏକ ବିକଶିତ ଭାରତ ଅଭିମୁଖେ ଭାରତର ଅଗ୍ରଗତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ।"

'ଯୋଗଦେବେ 7 ହଜାରରୁ ଉର୍ଦ୍ଧ୍ବ ଅତିଥି':


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,"ଜାନୁଆରୀ 8ରୁ 10 ତାରିଖରେ ଭୁବନେଶ୍ୱରରେ ପ୍ରଭାସୀ ଭାରତୀୟ ଦିବସ ପାଳନ କରାଯିବ । ଏହି ସମ୍ମିଳନୀରେ ଦେଶ ବିଦେଶର ପ୍ରାୟ 7 ହଜାର ଅତିଥି ଏବଂ ପ୍ରତିନିଧି ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର କ୍ରମାଗତ ଭାବରେ ବିଦେଶରେ ଥିବା ଭାରତୀୟ ବିଦେଶୀମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେଇଛନ୍ତି । ଏହି ସମ୍ମାନଜନକ ସମାରୋହ ଆମ ରାଜ୍ୟ ପାଇଁ ସ୍ମରଣୀୟ ରହିବ । ଓଡ଼ିଶାର ସଂସ୍କୃତିକୁ ପ୍ରଦର୍ଶନ କରିବା ଏକ ସୁଯୋଗ ମିଳିବ । ସମସ୍ତ ଉପସ୍ଥିତ ବ୍ୟକ୍ତିଙ୍କୁ ଏକ ସ୍ମରଣୀୟ ଅନୁଭୂତି ଦେବାକୁ ଆମେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତିବଦ୍ଧ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।"

ଅନଲାଇନ ପଞ୍ଜୀକରଣ ଆରମ୍ଭ:

ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ୱେବସାଇଟର ଉନ୍ମୋଚନ ସହ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହୋଇଛି । ଏହି ୱେବସାଇଟ ଓଡ଼ିଶାରେ ରହିବା ପାଇଁ ରିଜର୍ଭେସନ ସୁବିଧା ପ୍ରଦାନ କରିବ । ପ୍ରବାସୀ ଭାରତୀୟ ଦିବସ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିବ । ଭିସି ଜରିଆରେ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶରୁ ପ୍ରବାସୀ ଓଡ଼ିଆ ଭାରତୀୟ ସାମିଲ ହୋଇଥିଲେ । ବୈଦେଶିକ ବ୍ୟାପାର ବିଭାଗ ଓ ଓଡିଶା ସରକାରଙ୍କ ପ୍ରୟାସକୁ ସ୍ୱାଗତ କରାଯାଇଛି ।କାର୍ଯ୍ୟକ୍ରମ ଆୟୋଜନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟରେ ପରିଚାଳନା,କାର୍ଯ୍ୟନିର୍ବାହୀ କମିଟି ସହ ବିଭିନ୍ନ ଉପକମିଟି ଗଠିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ ...ଉଦ୍ଭବ ୨୦୨୪; ଜନଜାତି ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ପ୍ରୟାସ

ଏହା ମଧ୍ୟ ପଢନ୍ତୁ ...ସେନା କର୍ମଚାରୀଙ୍କ ସହ ପୋଲିସ ବ୍ୟବହାର ନେଇ SOP, ହାଇକୋର୍ଟଙ୍କୁ ଅବଗତ କରାଇଲେ ସରକାର

ଏହା ମଧ୍ୟ ପଢନ୍ତୁ ...BMC ସହ USA କୁପରଟିନୋ ମେୟରଙ୍କ ଆଲୋଚନା, ଭୁବନେଶ୍ୱରକୁ ଦେଲେ ସିଷ୍ଟର ସିଟି ମାନ୍ୟତା

କେବେଠାରୁ ପାଳନ ହେଉଛି ?

1915 ମସିହା ଜାନୁଆରୀ 9 ତାରିଖରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଥିବା ସ୍ମୃତିରେ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଉଛି । 2003ରୁ ଏହା ପ୍ରତିବର୍ଷ ଅନୁଷ୍ଠିତ ହେଉଥିଲା । 2015ରୁ ଏହା ପ୍ରତି 2 ବର୍ଷରେ ଥରେ ଅନୁଷ୍ଠିତ ହେଉଛି । ଅଦ୍ୟାବଧି 17 ଥର ଏହା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇସାରିଛି । 2023ରେ ଏହା ଶେଷ ଥର ମଧ୍ୟପ୍ରଦେଶର ଇନ୍ଦୋରରେ ଅନୁଷ୍ଠିତ ହୋଇଥିଲା । ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ,ଦେଶର ଯୁବପିଢିକୁ ପ୍ରବାସୀ ଭାରତୀୟଙ୍କ ସହିତ ସଂଯୋଗ କରିବା ସମ୍ମିଳନୀର ଉଦେଶ୍ୟ ।

କାର୍ଯ୍ୟ ସୂଚୀ:

ସମ୍ମିଳନୀର ପ୍ରଥମ ଦିବସରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’, ୨ୟ ଦିବସରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ମୁଖ୍ୟ ସମାରୋହ ଓ ୩ୟ ଦିନରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟ ତୀର୍ଥ ଏକ୍ସପ୍ରେସର ଡିଜିଟାଲ ଫ୍ଲାଗଅପ କରିବା କାର୍ଯ୍ୟକ୍ରମ ରହିଛି । ସମସ୍ତ ଦିବସରେ ପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରବାସୀ ଭାରତୀୟ, ଅତିଥି ଓ ଅନ୍ୟ ଅଧିକାରୀଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳ, ଐତିହ୍ୟସ୍ଥଳ, ଦର୍ଶନୀୟ ସ୍ଥାନ ଓ ସଂଗ୍ରହାଳୟ ଆଦି ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ,ନୂଆଦିଲ୍ଲୀ

Last Updated : Nov 12, 2024, 11:13 PM IST

ABOUT THE AUTHOR

...view details