ଓଡିଶା

odisha

ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଗାଁ ଦାଣ୍ଡରେ ଝୋଟି, ଭବ୍ୟ ସ୍ବାଗତ, ପଖାଳ ଓ ଶାଗ ଭଜା ଖାଇଲେ ମୁଖ୍ୟମନ୍ତ୍ରୀ - Cm Mohan Majhi kendujhar visit

By ETV Bharat Odisha Team

Published : Jun 24, 2024, 12:13 PM IST

Updated : Jun 24, 2024, 8:35 PM IST

Cm Mohan charan Majhi in his Village Kendujhar Raikala: ପୈତୃକ ଗ୍ରାମ ରାଇକଳାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲିଠାରୁ ଦୁଇଦିନିଆ ଗୃହଜିଲ୍ଲା କେନ୍ଦୁଝର ଗସ୍ତରେ ଅଛନ୍ତି ମୋହନ । ଅଧିକ ପଢନ୍ତୁ

ପୈତୃକ ଗ୍ରାମ ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭବ୍ୟ ସ୍ବାଗତ କଲେ ଗ୍ରାମବାସୀ
ପୈତୃକ ଗ୍ରାମ ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭବ୍ୟ ସ୍ବାଗତ କଲେ ଗ୍ରାମବାସୀ (ETV Bharat Odisha)

ଭୁବନେଶ୍ବର:ସଜେଇ ହୋଇଛି ପୂରା ଗାଁ, ଦାଣ୍ଡରେ ପଡିଛି ଧାଡି ଧାଡି ଝୋଟି । ଚାଲିଛି ଭୋଜିଭାତର ଆୟୋଜନ । ବନ୍ଧା ଚାଲିଛି ସଭା ମଞ୍ଚ । ଗାଁର ପିଲାଠୁ ବୟସ୍କ ପର୍ଯ୍ୟନ୍ତ ଉତ୍ସାହରେ କରିଛନ୍ତି ଅପେକ୍ଷା । ମୁଖ୍ୟମନ୍ତ୍ରୀ ହେବା ପରେ ଗାଁକୁ ଫେରୁଛି ଗାଁ ପୁଅ । ବିଧାୟକ ଭାବେ ଏକାଧିକ ଥର ନିର୍ବାଚିତ ହୋଇ ବିଧାନସଭାରେ ଅଞ୍ଚଳର ସମସ୍ୟା କଥା ଉଠାଉଥିବା ଏହି ଗାଁ ପୁଅ ଦିନେ ମୁଖ୍ୟମନ୍ତ୍ରୀ ହୋଇ ଗାଁକୁ ଫେରିବ, ଏକଥା ହୁଏତ କେହି କେବେ ଭାବି ନଥିବେ । ହେଲେ ଆଜି ସବୁ କିଛି ବଦଳିଯାଇଛି । କିଛିଦିନ ପୂର୍ବରୁ ଅଜଣା ଥିବା କେନ୍ଦୁଝର ଜିଲ୍ଲାର ଏହି ରାଇକଳା ଗ୍ରାମରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ନିଜ ପୈତୃକ ଗ୍ରାମ ରାଇକଳାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନାରେ ମୋହନଙ୍କୁ ସ୍ବାଗତ କରିଛି ଜନ୍ମମାଟି ।

ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଗାଁ ଦାଣ୍ଡରେ ଝୋଟି, ଭବ୍ୟ ସ୍ବାଗତ (ETV Bharat Odisha)

ଗତକାଲିଠାରୁ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ନିଜ ଗୃହ ଜିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଆଜି ସେ ନିଜ ପୈତୃକ ଗ୍ରାମ ରାଇକଳାରେ ପହଞ୍ଚିଛନ୍ତି । ରାଇକଳାରେ ଏକ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରାଯାଇଛି । ସେ ସେଠାରେ ଅବତରଣ କରିବା ପରେ ଝୁମ୍ପୁରା ଅଭିମୁଖେ ବାହାରିଥିଲେ । ଏକ ବିଶାଳ ରୋଡ ସୋ’ରେ ମୋହନ ଝୁମ୍ପୁରା ସ୍ଥିତ ଦୁର୍ଗାପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମସ୍ଥଳୀରେ ପହଞ୍ଚିଥିଲେ । ସେଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ସେ ପୁନର୍ବାର ପୈତୃକ ଗ୍ରାମ ରାଇକଳା ଫେରି ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ ।

Cm Mohan charan Majhi (ETV Bharat Odisha)

ଆଜି ଦିନ ରାଇକଳା ଓ କେନ୍ଦୁଝରର ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଥିବା ବେଳେ ପରେ ଅପରାହ୍ନ ସାଢେ ୪ଟାରେ ରାଇକଳାରୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ସଂଧ୍ୟାରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ନେଇ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୈତୃକ ଘର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-ଆଦିବାସୀଙ୍କୁ ମିଳିବ ଉଚିତ ସମ୍ମାନ: ମୁଖ୍ୟମନ୍ତ୍ରୀ - CM MOHAN MAJHI VISITS KENDUJHAR

ଗାଁ ମୁଣ୍ଡରେ ଲାଗିଛି ସ୍ବାଗତ ହୋଡିଂ (ETV Bharat Odisha)

ଦୁଇଦିନିଆ ଗସ୍ତରେ କେନ୍ଦୁଝରରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ମୋହନ ଗତକାଲି ଘଟଗାଁ ଯାଇ ଜିଲ୍ଲାର ଅଧୀଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ଦର୍ଶନ କରିଥିଲେ । ପରେ ସେ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦୁଝରରେ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ଏହା ପରେ କେନ୍ଦୁଝର ସହରରେ ଏକ ରୋଡ଼ ସୋ’ କରିବା ସହ ଷ୍ଟାଡିୟମଠାରେ ଏକ ସମ୍ବର୍ଦ୍ଧନା ଓ ସାଧାରଣ ସଭାରେ ଯୋଗ ଦେଇଥିଲେ । ଆଦିବାସୀଙ୍କ ଅଧିକାର କଥା କହି ପୂର୍ବ ସରକାର ଉପରେ ବର୍ଷିଥିଲେ । ତାଙ୍କୁ ବିଜେଡିରେ ସାମିଲ ହେବା ପାଇଁ ମନ୍ତ୍ରୀ ପଦର ପ୍ରଲୋଭନ ମିଳିଥିଲା । ହେଲେ ସେ ବିକ୍ରି ହେବାର ବ୍ୟକ୍ତି ନୁହନ୍ତି ବୋଲି ମୋହନ କହିଥିଲେ । ସେ ବିରୋଧୀ ଆସନରେ ଥିବା ବେଳେ ଲୋକଙ୍କ ସ୍ବାର୍ଥ ପାଇଁ ପ୍ରଶ୍ନ କରୁଥିଲେ । ଏବେ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ପାଇଁ କାମ କରିବେ ବୋଲି କହିଥିଲେ । ବିଜେପିକୁ ଭୋଟ ଦେଇଥିବାରୁ ସେ କେନ୍ଦୁଝରବାସୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ସ୍ବାଗତ ପାଇଁ ଅପେକ୍ଷାରତ ରାଇକଳା ଗ୍ରାମର ମହିଳାମାନେ (ETV Bharat Odisha)
ମୁଖ୍ୟମନ୍ତ୍ରୀ ମୋହନଙ୍କୁ ସ୍ବାଗତ କରୁଛନ୍ତି ସମର୍ଥକ (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 24, 2024, 8:35 PM IST

ABOUT THE AUTHOR

...view details