ଓଡିଶା

odisha

ETV Bharat / state

ଗ୍ରାମାଞ୍ଚଳ ସ୍ୱ-ରୋଜଗାରକୁ ଗୁରୁତ୍ୱ: 8ଟି ପ୍ରସ୍ତାବକୁ କ୍ୟାବିନେଟର ମୋହର - ODISHA CABINET

କ୍ୟାବିନେଟରେ 8 ପ୍ରସ୍ତାବକୁ ମୋହର । ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ-2024କୁ ଅନୁମୋଦନ । ଆସିବ ଗୋ-ମାତା ଯୋଜନା ।

Odisha Cabinet Meeting
Odisha Cabinet Meeting (ETV Bharat Odisha)

By ETV Bharat Odisha Team

Published : Nov 13, 2024, 10:14 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି(ବୁଧବାର) ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ । କ୍ୟାବିନେଟ ବିଭିନ୍ନ ବିଭାଗର 8ଟି ପ୍ରସ୍ତାବରେ ମୋହର ମାରିଛି । ସେଥିରୁ 5ଟି କେବଳ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗର ପ୍ରସ୍ତାବରେ ଅନୁମୋଦନ ମିଳିଛି । ଗ୍ରାମାଞ୍ଚଳ ସ୍ୱ-ରୋଜଗାର ଓ ନିଯୁକ୍ତି ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯାଇଛି । ଜଳ ସମ୍ପଦ, ସାଧାରଣ ପ୍ରଶାସନ ଓ ଆସନ୍ତା ଅଧିବେଶନ ନେଇ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।

ଆସିବ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା:

ରାଜ୍ୟ କ୍ୟାବିନେଟ ବୈଠକ (ETV Bharat Odisha)

ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କହିଛନ୍ତି, ‘ମୋହନ ସରକାର ଆଣିବାକୁ ଯାଉଛନ୍ତି ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା । ଯୋଜନାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି । ଯୋଜନାରେ ଆସନ୍ତା 5 ବର୍ଷରେ ଖର୍ଚ୍ଚ ହେବ 1031 କୋଟି ଟଙ୍କା । ଯୋଜନାରେ ସାଢେ 3 ଲକ୍ଷରୁ ଅଧିକ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପକୃତ ହେବେ । ପ୍ରତିଦିନ ଅତିରିକ୍ତ ଭାବେ ସାଢ଼େ 5 ଲକ୍ଷ ଅଣ୍ଡା ଉତ୍ପାଦନ ବଢିବ । ସେହିପରି ପ୍ରାୟ 96 ହଜାର ମେଟ୍ରିକ ଟନ ଅତିରିକ୍ତ କୁକୁଡ଼ା ମାଂସ ଉତ୍ପାଦନ ବଢିବ ।’

ମତ୍ସ୍ୟଚାଷ ସମ୍ବନ୍ଧୀୟ ଯୋଜନାକୁ ମୋହର:

Odisha Cabinet Meeting (ETV Bharat Odisha)

ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି, ‘ମତ୍ସ୍ୟଚାଷ ସମ୍ବନ୍ଧୀୟ ରାଜ୍ୟ ଯୋଜନା ଭିତ୍ତିଭୂମି ବିକାଶକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏହା ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନା । ଆଗାମୀ 3 ବର୍ଷ 2024-25 ରୁ 2026-27 ଆର୍ଥିକ ବର୍ଷ ମଧ୍ୟରେ ଭିତ୍ତିଭୂମି ବିକାଶ, ଅଫିସ ଗୃହ ନିର୍ମାଣ ଓ ରକ୍ଷଣାବେକ୍ଷଣ ଏବଂ ମରାମତି ସହିତ ପ୍ରାୟ 696.21 କୋଟି ଟଙ୍କା ଖର୍ଚ୍ଚ ହେବ । ମତ୍ସ୍ୟ ବିଭାଗ ଅଧୀନରେ 3 ବର୍ଷ ମଧ୍ୟରେ 619 ଟି ପ୍ରକଳ୍ପ ନିର୍ମାଣ ହେବ । 31 ଟି ମାଛ ବଜାର, 58 ଟି ମାଛ ବନ୍ଦର ବା ମାଛ ଅବତରଣ କେନ୍ଦ୍ର ଓ ଜେଟି, 142 ଟି ମାଛ ଫାର୍ମ, 266 ଟି ସରକାରୀ ଅଫିସ ଗୃହ ଓ 122 ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ ଏବଂ ନବୀକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଯୋଜନାରେ 3 ବର୍ଷ ମଧ୍ୟରେ 16 ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ ।

ଆସିବ ଗୋ-ମାତା ଯୋଜନା:
ଗୋମାତା ନାଁ'ରେ ନୂଆ ଯୋଜନା ଆଣିବେ ମୋହନ ମାଝୀ ସରକାର । ଗୋମାତା (Goal for Management and Treatment of Animals) ଯୋଜନାରେ ଆସନ୍ତା 3 ବର୍ଷ ଅର୍ଥାତ 2024-25 ବର୍ଷରୁ 2026-27 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମୋଟ 343 କୋଟି ଟଙ୍କା ବ୍ୟୟ ଅଟକଳରେ ହୋଇଛି । ଯୋଜନା ଚାଷୀଙ୍କୁ ପ୍ରାଣୀ ଚିକିତ୍ସାଳୟ, ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ସେବା ମାଧ୍ୟମରେ ଚିକିତ୍ସା, ଟୀକାକରଣ, ରୋଗ ନିୟନ୍ତ୍ରଣ ଆଦି ସେବା ଯୋଗାଇ ଦିଆଯିବ । ଯୋଜନା ଦ୍ବାରା ପର୍ଯ୍ୟାୟକ୍ରମେ ବାର୍ଷିକ 2.5 କୋଟି ଟୀକାକରଣ ଏବଂ ବାର୍ଷିକ 1.30 କୋଟି ପ୍ରାଣୀଧନର ଚିକିତ୍ସା କରାଯାଇପାରିବ ।

ପ୍ରାଣୀ ସମ୍ପଦର ଯୋଜନାକୁ ମଞ୍ଜୁରୀ:

ପ୍ରାଣୀସମ୍ପଦ କ୍ଷେତ୍ରରେ ରାଜ୍ୟର ନିଜସ୍ବ ଯୋଜନା ଭିତ୍ତିଭୂମି ବିକାଶକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଯୋଜନାରେ ଆସନ୍ତା 3 ବର୍ଷ 2024-25 ଆର୍ଥିକ ବର୍ଷରୁ 2026-27 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମୋଟ ବଜେଟ 449.71 କୋଟି ଟଙ୍କା ଖର୍ଚ୍ଚ ହେବ । ଯୋଜନାରେ ପ୍ରାଣୀ ଚିକିତ୍ସାଳୟ, ପ୍ରାଣୀଧନ ସହାୟକ କେନ୍ଦ୍ର ଏବଂ ଅନ୍ୟାନ୍ୟ ପ୍ରାଣୀ ସେବା ଅନୁଷ୍ଠାନର ନୂତନ ନିର୍ମାଣ, ମରାମତି ଓ ନବୀକରଣ କାର୍ଯ୍ୟ କରାଯିବ । ପଶୁପାଳନ କ୍ଷେତ୍ରର ଉନ୍ନତ ସେବା ଯୋଗାଇ ଦିଆଯିବ ।

Odisha Cabinet Meeting (ETV Bharat Odisha)
ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ ମୋହର:


ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏହି ଯୋଜନାରେ 2239 କୋଟି ଟଙ୍କା ଖର୍ଚ୍ଚ ହେବ । 2024-25 ରୁ 2028-29 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି, ମତ୍ସ୍ୟଜୀବୀଙ୍କ ଆୟ ବୃଦ୍ଧି ଓ ମଧୁର, ଖାରି ଏବଂ ସାମୁଦ୍ରିକ ଜଳ ପରି ସମସ୍ତ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରକୁ ଲକ୍ଷ୍ୟ ରଖି ଯୋଜନା ହୋଇଛି । ଆସନ୍ତା 5 ବର୍ଷରେ ସାଢ଼େ 6 ଲକ୍ଷ ମତ୍ସ୍ୟଜୀବୀ ଓ ସାଢ଼େ 7 ଲକ୍ଷ ମହିଳାଙ୍କୁ ମିଶାଇ ପ୍ରାୟ 14 ଲକ୍ଷ ଉପକୃତ ହେବେ ।

ନଭେମ୍ବର 26ରୁ ବିଧାନସଭାର ଦ୍ବିତୀୟ ଅଧିବେଶନ:

ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଛନ୍ତି, 17 ତମ ଓଡିଶା ବିଧାନସଭାର ଦ୍ଵିତୀୟ ଅଧିବେଶନ 26 ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।

6435 ହେକ୍ଟର ସେଚାଞ୍ଚଳର ସୁଦୃଢୀକରଣ ହେବ:

ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମକୁ 5 ବର୍ଷ ବୃଦ୍ଧି କରାଯାଇଛି । ଆର୍ଥିକ ବର୍ଷ 2024-25 ରୁ 2028-29 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯୋଜନାରର 9752.24 କୋଟି ଟଙ୍କା ବ୍ୟୟ ବରାଦରେ ବୃଦ୍ଧି କରିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ଯୋଜନା ଦ୍ବାରା 6435 ହେକ୍ଟର ସେଚାଞ୍ଚଳର ସୁଦୃଢୀକରଣ କରାଯିବ । ଏହା ସହିତ 158318 ହେକ୍ଟର ଅତିରିକ୍ତ ସେଚାଞ୍ଚଳ ସୃଷ୍ଟି କରାଯିବ ।

ଏହା ମଧ୍ୟ ପଢନ୍ତୁ:

ଚାଷୀ ଫେରିପାଇବେ ବେଦାନ୍ତ ଅଧିଗ୍ରହଣ ଜମି: ରାଜସ୍ୱ ମନ୍ତ୍ରୀ

ନିୟମରେ ପରିବର୍ତ୍ତନ, ଏଣିକି ୭ ବର୍ଷ କାମ କଲେ ହେବେ ଇନ୍ସପେକ୍ଟର

6 ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ ମୋହର; ସୁଭଦ୍ରା ଯୋଜନାରେ ସଂଶୋଧନ, କୃଷକଙ୍କ ହିତ ପାଇଁ 'ସମୃଦ୍ଧ କୃଷକ ଯୋଜନା'

ରାଜ୍ୟରେ ଜଳସେଚନ ବିକାଶକୁ ତ୍ବରାନ୍ଵିତ କରାଯିବାର ଲକ୍ଷ୍ୟ ରଖାଯାଇଛି । ଯୋଜନା ଅନ୍ତର୍ଗତ ନୂତନ ଜଳସେଚନ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ, ସର୍ଭେ ଓ ଅନୁସନ୍ଧାନ କରିବା ତଥା ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା ସହିତ ନିର୍ମାଣାଧୀନ ଜଳସେଚନ ପ୍ରକଳ୍ପ ଗୁଡିକୁ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ସଂପୂର୍ଣ୍ଣ କରିବାରେ ସହାୟତା କରିବ । ବନ୍ୟା ଏବଂ ମରୁଡ଼ି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଚାଷ କ୍ଷେତ୍ରକୁ ପର୍ଯ୍ୟାୟକ୍ରମେ ଜଳ ଯୋଗାଯିବ ।

ପରୀକ୍ଷାରେ ଅନିୟମିତତା ହେଲେ ଜେଲଦଣ୍ଡ:

ରାଜ୍ୟ ସରକାରଙ୍କ ବିଭିନ୍ନ ନିଯୁକ୍ତି ଏଜେନ୍ସି ଦ୍ୱାରା ଆୟୋଜିତ ପରୀକ୍ଷାରେ ଅନିୟମିତତାକୁ ନେଇ ବାରମ୍ବାର ବିବାଦ ଦେଖା ଦେଉଛି । ଏନେଇ ମୋହନ ମାଝୀ ସରକାର କଠୋର ଆଭିମୁଖ୍ୟ ଆପଣାଇଛନ୍ତି । ଏଣିକି ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା କଲେ ଅପରାଧୀଙ୍କୁ 3ରୁ 5 ବର୍ଷ ଜେଲଦଣ୍ଡ ହେବ । ଏହା ସହ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନ ଦେବାକୁ ପଡ଼ିବ । ସେବା ପ୍ରଦାନକାରୀଙ୍କୁ ମଧ୍ୟ 1 କୋଟି ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । ଏଥିପାଇଁ ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ-2024କୁ ଅନୁମୋଦନ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details