ଭୁବନେଶ୍ବର: ଆଜି ଆଗତ ହେବ ମୋହନ ସରକାରଙ୍କ ପ୍ରଥମ ବଜେଟ । ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ସରକାରଙ୍କ ପ୍ରଥମ ବଜେଟକୁ ନେଇ ରାଜ୍ୟବାସୀଙ୍କର ଅନେକ ଆଶା ରହିଛି । କେନ୍ଦ୍ର ସରକାରଙ୍କ ଅନୁଦାନକୁ ଲକ୍ଷ୍ୟ ରଖି ହୋଇଥିବା ଓଡିଶା ବଜେଟକୁ ନେଇ ଅନେକ ଚର୍ଚ୍ଚା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ ମିଳିନଥିବାରୁ ଓଡ଼ିଶାର ବିଜେପି ସରକାରଙ୍କୁ ନିର୍ବାଚନ ସଂକଳ୍ପ ପୂରଣ କରିବା ଲାଗି ଚାପ ରହିବ । ଅତିରିକ୍ତ ଅନୁଦାନ ମିଳିନଥିବାରୁ ପ୍ରତିଶ୍ରୁତି ପୂରଣ ଲାଗି ମୋହନ ସରକାରଙ୍କୁ ଋଣ କରିବାକୁ ପଡିପାରେ ବୋଲି ବରିଷ୍ଠ ସାମ୍ବାଦିକ ଆକଳନ କରୁଛନ୍ତି ।
pre budget reaction (ETV Bharat Odisha) କେନ୍ଦ୍ର ବଜେଟରୁ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ଟିକସ ଏବଂ ଶୁଳ୍କ ବାବଦରେ 56 ହଜାର 473 କୋଟି 74 ଲକ୍ଷ ଟଙ୍କା ପାଇବ । ଗତ ବଜେଟରେ ଓଡ଼ିଶାକୁ ଏ ବାବଦରେ 50 ହଜାର 11 କୋଟି 67 ଲକ୍ଷ ଟଙ୍କା ମିଳିଥିଲା । ଗତ ବଜେଟ ତୁଳନାରେ ଚଳିତ ବଜେଟରେ ଓଡିଶାକୁ 6462 କୋଟି 7 ଲକ୍ଷ ଟଙ୍କା ଅଧିକ ମିଳିବ । ଓଡ଼ିଶାକୁ କମ୍ପାନୀ ଟିକସରୁ 16957 କୋଟି 92 ଲକ୍ଷ, ଆୟକରରୁ 19530 କୋଟି 63 ଲକ୍ଷ, କେନ୍ଦ୍ରୀୟ ଜିଏସଟିରୁ 16871 କୋଟି 63 ଲକ୍ଷ, ସୀମା ଶୁଳ୍କରୁ 2493 କୋଟି 32 ଲକ୍ଷ, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କରୁ 525 କୋଟି 56 ଲକ୍ଷ, ସେବା ଟିକସରୁ 1 କୋଟି 86 ଲକ୍ଷ ଏବଂ ଅନ୍ୟାନ୍ୟ ଟିକସ ଓ ଶୁଳ୍କରୁ 92 କୋଟି 82 ଲକ୍ଷ ଟଙ୍କା ମିଳିବ । କିନ୍ତୁ ଓଡ଼ିଶାର ବିଜେପି ସରକାର ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାରେ ଏହା ବିଶେଷ ସହାୟକ ନହେବାର ଆଶଙ୍କା ରହିଛି । ମୁଖ୍ୟତଃ 3ଟି ପ୍ରତିଶ୍ରୁତି ପୂରଣ କରିବା ଲାଗି ମୋହନ ସରକାରଙ୍କୁ ପ୍ରବଧାନ କରିବାକୁ ପଡିବ । ସୁଭଦ୍ରା ଯୋଜନା ଲାଗୁ, ଭତ୍ତା ବୃଦ୍ଧି ଓ ଏମଏସପି ବୃଦ୍ଧି କରିବାକୁ ପଡିବ ।
ଏହା ବି ପଢନ୍ତୁ- ମୋହନ ସରକାରର ପ୍ରଥମ ବଜେଟ୍; ବଢିବ କି ବଜେଟ ପରିମାଣ, କଣ ହେବ ‘କାଳିଆ’ ଭାଗ୍ୟ, ଆସିବ କେଉଁ ନୂଆ ସ୍କିମ, କେଉଁ ଯୋଜନାକୁ କେତେ ? ଅପେକ୍ଷାରେ ରାଜ୍ୟବାସୀ - Odisha state budget 2024
ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି, "କେନ୍ଦ୍ରୀୟ ବଜେଟକୁ ଦେଖି ରାଜ୍ୟ ବଜେଟର ରୂପରେଖ ପ୍ରସ୍ତୁତ ହେଉଛି । ଓଡିଶା ବଜେଟରୁ ବେଶୀ ଆଶା ନକରି କେବଳ ଗୋଟେ ଆଶା ରହିଛି । ଯାହା ଗତ ନିର୍ବାଚନରେ ବିଜେପି ନିଜର ସଂକଳ୍ପ ପତ୍ରରେ କହିଛି, ତାହାକୁ କାର୍ଯ୍ୟକାରୀ କରିବାକୁ ପଡିବ । ପ୍ରତିଶ୍ରୁତି ପୂରଣ କରିବା ଲାଗି ଆବଶ୍ୟକ ଅର୍ଥ କେନ୍ଦ୍ରରୁ ମିଳିବ ନା ନାହିଁ ତାହା ଆଶଙ୍କା ରହିଛି । ନବୀନ ସରକାରରେ ହୋଇଥିବା କାମଚଳା ବଜେଟ ଅନୁସାରେ ପୂର୍ଣ୍ଣାଙ୍ଗ ବଜେଟ 2 ଲକ୍ଷ 55 ହଜାର କୋଟି ହେବ ବୋଲି ଆକଳନ କରାଯାଉଛି । ଯଦି ସଂକଳ୍ପକୁ କାର୍ଯ୍ୟକାରୀ କରନ୍ତି, ତେବେ ଏହି ବଜେଟର ପରିମାଣ 3 ଲକ୍ଷ କୋଟି 20 ହଜାର ହେବ ବୋଲି ଆକଳନ କରାଯାଉଛି । କେବଳ କେନ୍ଦ୍ରଠାରୁ ଓଡିଶାର ହିଁ ଭାଗ ମିଳିବ । ଅଧିକ କିଛି ମିଳିବ ନାହିଁ । ସଂକଳ୍ପ ପୂରଣ ଲାଗି ବିଜେପି ସରକାରଙ୍କୁ ଋଣ କରିବାକୁ ପଡିପାରେ ।କାରଣ ଓଡିଶା ସରକାରଙ୍କ ଋଣ ଭାର ଅନ୍ୟ ରାଜ୍ୟ ତୁଳନାରେ କମ ରହିଛି । ମୋଦୀ ଗ୍ୟାରେଣ୍ଟି ଭାବେ ପ୍ରତିଶ୍ରୁତି ଦିଆଯାଇଛି । ଏହାକୁ କିପରି, ଏଥର ନା ଆଗାମୀ ବର୍ଷରେ କାର୍ଯ୍ୟକାରୀ କରାଯିବ ଦେଖିବାକୁ ପଡିବ । କେବଳ ପର୍ଯ୍ୟଟନ କ୍ଷେତ୍ରରେ କେନ୍ଦ୍ର ସରକାର ଓଡିଶା ଲାଗି ପଦକ୍ଷେପ ନେଇଛନ୍ତି । ରାଜ୍ୟ ବଜେଟରେ ପର୍ଯ୍ୟଟନକୁ ନେଇ ଚିତ୍ର ମିଳିବ । ଓଡ଼ିଶାରେ ପର୍ଯ୍ୟଟନ ଲାଗି ଏକ ବଡ଼ ସୁଯୋଗ ରହିଛି । ଏଥିରେ ନିଯୁକ୍ତି ସୃଷ୍ଟି ହେବ । ଓଡ଼ିଶାର ବିକାଶକୁ ଖଣିଜ ଭିର୍ତ୍ତିକ ନକରି ଅନ୍ୟ ଦିଗରେ ବିଚାର କରିବାକୁ ପଡିବ । କେନ୍ଦ୍ର ପୁନର୍ବାର ପୂର୍ବଦୋୟ କଥା 2015ରୁ କହୁଛନ୍ତି କିନ୍ତୁ ଦୀର୍ଘ ବର୍ଷ ହେଲା କଟକ - ସମ୍ବଲପୁର ରାସ୍ତା ହୋଇପାରିଲା ନାହିଁ । କିନ୍ତୁ ଓଡିଶାକୁ ମିଳିଥିବା ପ୍ରତିଶ୍ରୁତି ପୂରଣ ହେଉଛି ନା ନାହିଁ ଦେଖିବାକୁ ପଡିବ ।"
ସେହିପରି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, "ସଂକଳ୍ପ ଅନୁସାରେ ଚଳିତ ବର୍ଷ ସୁଭଦ୍ରା ଯୋଜନା ଲାଗୁ କରିବାକୁ ପଡିବ । ଧାନର ସହାୟକ ମୂଲ୍ୟ 31 ଶହ ଟଙ୍କା କରିବାକୁ ପଡିବ । ବିଭିନ୍ନ ଭତ୍ତାକୁ 3 ହଜାର ମଧ୍ୟ କରିବାକୁ ପଡିବ । ସଂକଳ୍ପ ପୂରଣ ଲାଗି ବିଜେପି ସରକାରକୁ ପାଖାପାଖି 25ରୁ 40 ହଜାର କୋଟି ଅତିରିକ୍ତ ଦରକାର । ଯଦି ମୋହନ ମାଝୀଙ୍କ ସରକାର ବଜେଟରେ ଏ ବ୍ୟବସ୍ଥା ନକଲେ ସଶକ୍ତ ବିରୋଧୀ ଦଳ ଝାମ୍ପି ପକେଇବେ ।"
ଇଟିଭି ଭାରତ, ଭୁବନେଶ୍ବର