ଓଡିଶା

odisha

ETV Bharat / state

ରାତି ପାହିଲେ କେନ୍ଦୁଝରରେ ମତଦାନ, ପ୍ରସ୍ତୁତ ଜିଲ୍ଲା ଓ ପୋଲିସ ପ୍ରଶାସନ - KENDUJHAR ELECTION PREPARATION

Election Preparation In Kedujhar: ଆସନ୍ତାକାଲି କେନ୍ଦୁଝର ଜିଲ୍ଲାରେ ହେବାକୁ ଯାଉଛି ମତଦାନ । ଯାହାକୁ ନେଇ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ବୁଥ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ଅଧିକ ପଢନ୍ତୁ

By ETV Bharat Odisha Team

Published : May 24, 2024, 3:16 PM IST

ଆସନ୍ତାକାଲି କେନ୍ଦୁଝର ଜିଲ୍ଲାରେ ମତଦାନ, ପ୍ରସ୍ତୁତ ଜିଲ୍ଲା ଓ ପୋଲିସ ପ୍ରଶାସନ
ଆସନ୍ତାକାଲି କେନ୍ଦୁଝର ଜିଲ୍ଲାରେ ମତଦାନ, ପ୍ରସ୍ତୁତ ଜିଲ୍ଲା ଓ ପୋଲିସ ପ୍ରଶାସନ (ETV Bharat Odisha)


କେନ୍ଦୁଝର: ଜିଲ୍ଲାରେ ଆସନ୍ତାକାଲି ମତଦାନ ହେବାକୁ ଯାଉଛି । ମତଦାନ ପୂର୍ବରୁ ନିର୍ବାଚନ ପରିଚାଳନା ଦାୟିତ୍ଵରେ ଥିବା କର୍ମଚାରୀମାନେ ବୁଥ ଗୁଡିକରେ ପହଞ୍ଚିଛନ୍ତି । ସେପଟେ ନିର୍ବାଚନ କିପରି ସୁରୁଖୁରରେ ହେବ ସେନେଇ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ତ୍ରିଲୋଚନ ମହାନ୍ତି । ତେବେ କଡା ସୁରକ୍ଷା ମଧ୍ୟରେ କେନ୍ଦୁଝର ଜିଲ୍ଲାର ତେଲକୋଇ ଓ ପାଟଣା ନିର୍ବାଚନ ମଣ୍ଡଳୀର ନିର୍ବାଚନ ପରିଚାଳନା କର୍ମଚାରୀ ବୁଥରେ ପହଞ୍ଚିଛନ୍ତି । ଆଜି ଘସିପୁରା, ଆନନ୍ଦପୁର, ଚମ୍ପୁଆ ଓ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ବୁଥ କେନ୍ଦ୍ରକୁ ନିର୍ବାଚନ ପରିଚାଳନା ଦାୟିତ୍ଵରେ ଥିବା ପୋଲିଂ ପାର୍ଟି ଯିବେ । ପୋଲିଂ ପାର୍ଟି ଓ ନିର୍ବାଚନ ତଦାରଖ ପାଇଁ କେନ୍ଦୁଝର ଜିଲ୍ଲାରେ ୧୮ ଶହ ଗାଡି ବ୍ୟବହାର କରାଯାଉଛି ।

ଆସନ୍ତାକାଲି କେନ୍ଦୁଝର ଜିଲ୍ଲାରେ ମତଦାନ, ପ୍ରସ୍ତୁତ ଜିଲ୍ଲା ଓ ପୋଲିସ ପ୍ରଶାସନ (ETV Bharat Odisha)

ଭାରତ ନିର୍ବାଚନ ଆୟୁକ୍ତଙ୍କ ଘୋଷଣା ଅନୁଯାୟୀ, କେନ୍ଦୁଝର ସଂସଦୀୟ କ୍ଷେତ୍ର ସମେତ ଜିଲ୍ଲାର ସମସ୍ତ ୬ ଗୋଟି ବିଧାନସଭା କ୍ଷେତ୍ର ଏବଂ କେନ୍ଦୁଝର ସଂସଦୀୟ କ୍ଷେତ୍ରରେ ଅନ୍ତର୍ଭୁକ୍ତ ଥିବା ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାନସଭା ଲାଗି ମେ ୨୫ରେ ମତଦାନ ଅନୁଷ୍ଠିତ ହେବ । ଏହି ନିର୍ବାଚନକୁ ଆଖି ଆଗରେ ରଖି କେନ୍ଦୁଝର ସଦର ମହକୁମା ଓଏସଏମଇ ମହାବିଦ୍ୟାଳୟ ପରିସରରେ ପୋଲିଂ ଅଧିକାରୀ ଓ ତାଙ୍କ ଦଳ ପାଇ ବୁଥ କିଟ୍ ଦେବା ବ୍ୟବସ୍ଥା ହୋଇଛି । ସବୁ ସେକ୍ଟର ଅନୁଯାୟୀ ପୋଲିଂ ଦଳକୁ କିଟ୍ ବଣ୍ଟା ଯାଉଥିବା ବେଳେ କେନ୍ଦୁଝର ସଦର ଉପ ଜିଲ୍ଲାପାଳ ଟିକନିକ ତଦାରଖ କରୁଛନ୍ତି ।

କେନ୍ଦୁଝର ସଦର ମହକୁମାର କୌଣସି ବୁଥ ସମ୍ବେଦନଶୀଳ ନଥିବା ବେଳେ ସମୁଦାୟ ୨୮୩ ବୁଥ ରହିଛି । ଏଥିପାଇଁ ୩୦ ଜଣ ସେକ୍ଟର ଅଫିସର ଥିବା ବେଳେ ୪୮ ଟି ସଖୀ ବୁଥ ସହ ଗୋଟିଏ ଦିବ୍ୟାଙ୍ଗଙ୍କ ପାଇଁ ବୁଥ କରାଯାଇଥିବା ଉପଜିଲ୍ଲାପାଳ କହିଛନ୍ତି । ସମ୍ବିଧାନର ମହାନ୍ ପର୍ବରେ ନିଜକୁ ସାମିଲ କରିଥିବା ନେଇ କାର୍ଯ୍ୟରେ ଖୁସି ବ୍ୟକ୍ତ କରିଛନ୍ତି ପୋଲିଂ ଅଧିକାରୀ । ସେହିପରି ନିଜ ବାସ ସ୍ଥାନରୁ ଦୂରରେ ପୋଲିଂ ବୁଥ ପଡ଼ିଥିବା ବେଳେ ମହିଳା ହୋଇ ମହିଳା ସଖୀ ବୁଥ ଦାୟିତ୍ଵ ମିଳିଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ମହିଳା ପୋଲିଂ ଅଧିକାରୀ ।


ପ୍ରକାଶ ଥାଉ କି, ଜିଲ୍ଲାରେ ମତଦାତା ସଂଖ୍ୟା ୧୩,୭୧,୬୬୧ ଥିବା ବେଳେ ସେଥିମଧ୍ୟରୁ ୬,୮୩,୫୧୫ ପୁରୁଷ, ୬,୮୮,୦୬୦ ମହିଳା ଏବଂ ୮୬ ଜଣ ତୃତୀୟ ଲିଙ୍ଗୀ ଅଟନ୍ତି । ସମୁଦାୟ ଭୋଟର ମାନଙ୍କ ମଧ୍ୟରୁ ୧୨୪୮୪ ଜଣ ଶାରୀରିକ ଅକ୍ଷମ ବ୍ୟକ୍ତି ଥିବା ବେଳେ ନୂତନ ଭୋଟର ସଂଖ୍ୟା ୩୫,୫୩୬ ହୋଇଥିବା ବେଳେ ୮୦ ବର୍ଷ ବୟସରୁ ଅଧିକ ୨୦,୦୦୫ ଭୋଟର ଜିଲ୍ଲାରେ ଏହି ସାଧାରଣ ନିର୍ବାଚନରେ ଭାଗ ନେବାକୁ ଯାଉଛନ୍ତି । ପ୍ରଥମଥର ପାଇଁ ଅବାଧ, ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ କେନ୍ଦୁଝର ଜିଲ୍ଲାରେ ମୋଟ ବୁଥରେ ୬୦ ପ୍ରତିଶତ ଅର୍ଥାତ ୧୦୩୨ଟି ମତଦାନ କେନ୍ଦ୍ରରେ ୱେବ୍‌ଲିଂ ବ୍ୟବସ୍ଥା କରାଯାଇଛି ।


ତେଲକୋଇ ନିର୍ବାଚନମଣ୍ଡଳୀରେ ସର୍ବାଧିକ ୩୨୧ ବୁଥ୍ ମଧ୍ୟରୁ ୧୯୨, ଘସିପୁରାରେ ୩୦୦ ବୁଥ୍ ମଧ୍ୟରୁ ୧୮୦, ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ୨୯୧ ବୁଥ୍ ୧୭୫, ପାଟଣାରେ ୨୭୩ ବୁଥ୍ ମଧ୍ୟରୁ ୧୬୪, କେନ୍ଦୁଝରରେ ୨୮୩ ବୁଥ୍ ମଧ୍ୟରୁ ୧୭୦ ଓ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ୨୫୨ ବୁଥ୍ ମଧ୍ୟରୁ ୧୫୧ ବୁଥରେ ୱେବ୍ରୁଷ୍ଟି କରାଯିବ । ସେହିପରି ୪୦ଟି ମତଦାନ କେନ୍ଦ୍ର ଅତ୍ୟନ୍ତ ସମ୍ବେଦନଶୀଳ ରହିଥିବାରୁ ଭିଡିଓଗ୍ରାଫି କରାଯିବ ବୋଲି ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ତେଲକୋଇରେ ୬ଟି ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ୭ଟି ଲେଖାଏ ବୁଥ୍, ପାଟଣା ଓ କେନ୍ଦୁଝରରେ ୬ଟି ଲେଖାଁଏ ଏବଂ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ୮ଟି ବୁଥରେ ମତଦାନ ସମୟରେ ଭିଡିଓଗ୍ରାଫି କରାଯିବ ।


ଏହା ମଧ୍ୟ ପଢନ୍ତୁ:ଦିନକ ପରେ ଭୋଟ, ବୁଥ ମୁହାଁ ପୋଲିଂ ପାର୍ଟି


କେନ୍ଦୁଝର, ଇଟିଭି ଭାରତ

ABOUT THE AUTHOR

...view details