ଓଡିଶା

odisha

ETV Bharat / state

ମହିଳାଙ୍କୁ ନ୍ୟାୟ ଦାବି; ଗୃହ ଭିତରେ ଓ ବାହାରେ ଆନ୍ଦୋଳନ, ଜବାବ ରଖିଲା ବିଜେପି - ODISHA ASSEMBLY ADJOURNED

ବିଧାନସଭାରେ ମିଶନଶକ୍ତି ତାତି । ଗୃହ ଅପରାହ୍ଣ 4ଟା ପର୍ଯ୍ୟନ୍ତ ମୁଲତବୀ ।

Odisha Assembly
Odisha Assembly (ETV Bharat Odisha)

By ETV Bharat Odisha Team

Published : Feb 19, 2025, 1:06 PM IST

ଭୁବନେଶ୍ୱର: ମିଶନ ଶକ୍ତି ମହିଳାଙ୍କ ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ଆରମ୍ଭରୁ ଗୃହ ଚଳାଇ ଦେଇନାହିଁ ବିଜେଡି । ଗୃହ ଆରମ୍ଭରୁ ବାଚସ୍ପତିଙ୍କ ପୋଡିୟମ ନିକଟକୁ ମାଡ଼ି ଆସିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକ । ମହିଳାଙ୍କୁ ନ୍ୟାୟ ଦାବି ନେଇ ଉଭୟ ବିଜେଡି ଏବଂ କଂଗ୍ରେସ ସଦସ୍ୟଙ୍କ ପୋଡିୟମ ନିକଟରେ ନାରାବାଜି କରିଛନ୍ତି । ଫଳରେ ଅପରାହ୍ନ 4 ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ । ପ୍ରତିବାଦରେ ଗାନ୍ଧୀ ଓ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ କରିଛି ବିଜେଡି ।

ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, "ରାଜ୍ୟ ସରକାର ମିଶନ ଶକ୍ତି ମହିଳାଙ୍କୁ ଭ୍ରମିତ କରାଯାଉଛି । କେନ୍ଦ୍ର ସରକାର ୧୯୯୯ ମସିହା ଏପ୍ରିଲ ପହିଲାରୁ ଆରମ୍ଭ କରିଥିଲେ ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ୱରୋଜଗାର ଯୋଜନା ଆରମ୍ଭ କଲେ । ସେତେବେଳେ ଅଙ୍ଗନଓ୍ବାଡି କର୍ମୀ ନିଜ କେନ୍ଦ୍ର ପରିସର ଅଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କଲେ । ଗୋଟିଏ ସେକ୍ଟର ଅଞ୍ଚଳରେ ଯେତିକି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠିତ ହୋଇଥିଲା, ସେହି ସମସ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବସାଇ ତାଙ୍କ ବୈଠକରେ ଅଙ୍ଗନୱାଡି କର୍ମୀ ଅଥବା ସହାୟିକା ଚୟନ ଭଳି ଇ.ସି ବା କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ବଛା ଯାଇ ବ୍ଳକ ସ୍ତରରେ ମହିଳା ସଶକ୍ତିକରଣର ଓ ଜୀବିକା ଅର୍ଜନ ପରିଚାଳନା ପାଇଁ ମହିଳା ମହାସଂଘକୁ କାର୍ଯ୍ୟଭାର ଦିଆଗଲା । ମାତ୍ର ଏମାନେ ନିର୍ବାଚିତ ଲୋକ ପ୍ରତିନିଧି ନୁହନ୍ତି ।

୨୦୦୮ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର କମ୍ୟୁନିଟି ବେସଡ ଅର୍ଗାନାଇଜେଶନ ବା ସିବିଓର ଟର୍ମ ନିର୍ଣ୍ଣୟ କଲେ । ୨ ବର୍ଷ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସିବିଓ ଭାବେ ଗ୍ରହଣ କରି ତାଙ୍କ ପରିଚାଳନା ସ୍ଵୟଂ ସହାୟକ ଗୋଷ୍ଠୀ ହାତରେ ଅର୍ପଣ କଲେ । ୨୦୦୮ ପରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ଦାୟିତ୍ବ ଏହି ଇ.ସି. ସଦସ୍ୟଙ୍କ ଉପରେ ନ୍ୟସ୍ତ ହୋଇଥିଲା । ୨୦୦୮ ପରେ ରାଜ୍ୟରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଆଶାନୁରୂପକ ବୃଦ୍ଧି ହେବାରୁ ରାଜ୍ୟ ସରକାର ଓଡିଶାରେ ଏନ୍. ଆର୍.ଏଲ୍.ଏମ୍. ପରିଚାଳନା ପାଇଁ ମିଶନ ଶକ୍ତି ନାମରେ ଏକ ସ୍ଵତନ୍ତ୍ର ବିଭାଗ ଗଠନ କଲେ । ୨୦୧୯ ମସିହାରୁ ଏମାନଙ୍କୁ ସିଟିଙ୍ଗ ଆଲାୱେନସ ବ୍ୟତିତ ଏକ ଫିକ୍ସଡ ଟ୍ରାଭେଲିଙ୍ଗ ଆଲାୟେନସ ମାସିକ ୧୦୦୦ ଟଙ୍କା ହାରରେ ଦିଆଯାଇଥିଲା । ଏହି ଇ.ସି.ମାନେ ରାଜ୍ୟରେ ଗ୍ରାମାଞ୍ଚଳରେ ୫ ଲକ୍ଷରୁ ଅଧିକ ଏବଂ ସହରାଞ୍ଚଳରେ ମିଶାଇ ୬ ଲକ୍ଷରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ ସହ ଗୋଷ୍ଠୀଗତ ହସ୍ତ ଶିଳ୍ପ, କୁଟୀର ଶିଳ୍ପ ଓ ବ୍ୟକ୍ତିଗତ କୁଟୀର ଶିଳ୍ପ ଓ ହସ୍ତ ଶିଳ୍ପ ବୃଦ୍ଧିରେ ପ୍ରମୁଖ ଭୁମିକା ନେଇଥିଲେ । ରାଜ୍ୟରେ ୭୦ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳତା କରାଇଥିଲେ ।

ରାଜ୍ୟ ସରକାର ଏମାନଙ୍କ କାର୍ଯ୍ୟ ସୁଗମ କରିବା ପାଇଁ ୨୦୨୩/୨୪ ଆର୍ଥିକ ବର୍ଷରେ ପ୍ରାୟ ୪୮ ହଜାର ଇ.ସି. ମହିଳାଙ୍କୁ ସ୍କୁଟର ଋଣ ବିନା ସୁଦ୍ଧରେ ଦେଇଛନ୍ତି । ୨୦୨୪ ମସିହା ମାର୍ଚ୍ଚରେ ତତ୍କାଳୀନ ବିଜେଡି ସରକାର ମାସିକ ଆଉ ୫ ଶହ ଟଙ୍କା ହାରରେ ଫିକ୍ସଡ଼ ଟ୍ରାଭେଲିଙ୍ଗ ଆଲାୱେନସ ବୃଦ୍ଧି କରିଥିଲେ । ନିର୍ବାଚନ ପରେ ମହିଳା ବିରୋଧୀ ବିଜେପି ସରକାର ଏକ ଲକ୍ଷ ୨୦ ହଜାରରୁ ଅଧିକ ଗ୍ରାମାଞ୍ଚଳ ଇ.ସି. ଏବଂ ୩୫ ହଜାରରୁ ଅଧିକ ସହରାଞ୍ଚଳ ଇସିଙ୍କୁ ରିଷ୍ଟ୍ରକ୍ଟରିଙ୍ଗ ଆଳରେ ହଟାଇ ସିମିତ ସଂଖ୍ୟକ ଅସ୍ଥାୟୀ ନୂତନ ଇ.ସି. ଚୟନ, ସୀମିତ ସଂଖ୍ୟକ କମ୍ୟୁନିଟି ସପୋର୍ଟ ଷ୍ଟାଫ ରଖି ମିଶନ ଶକ୍ତିକୁ ଧ୍ବଂସ କରିବାକୁ ନିଷ୍ପତି ନେଇଛନ୍ତି । ମିଶନ ଶକ୍ତି ମନ୍ତ୍ରୀ ଗତ ସପ୍ତାହରେ ବୟାନ ଦେଲେ, ମିଶନ ଶକ୍ତିରେ କୌଣସି ଦୁର୍ନୀତି ନାହିଁ, ଏହା ସଫଳ ଯୋଜନା । ଯୋଜନାକୁ ସଫଳ କରାଇଥିବା ସ୍କିମ୍ ୱାର୍କରଙ୍କୁ ହଟାଇବା ଏକ ବିଡମ୍ବନା ।"



ସେ ଆହୁରି ମଧ୍ୟ କହିଛନ୍ତି, "ବିଜେପି ବୟାନ ଦେଇଛି, ଏମାନେ ବିଜେଡ଼ିର ରାଜନୀତି କରୁଥିଲେ । ଏମାନେ ବିଜେଡ଼ିର ରାଜନୀତି କରିଥିଲେ ବିଜେପି କ୍ଷମତାରେ ବସିବା ସମ୍ଭବ ହୋଇନଥାନ୍ତା । ତେଣୁ ୮ ମସିହାରୁ ଅଚଳ ଥୁବା ଗାଇଡ ଲାଇନକୁ ରାଜନୈତିକ ପ୍ରତିହିଂସା ପାଇଁ ମହିଳା ବିରୋଧୀ ମନୁବାଦୀ ବିଚାରର ଆକ୍ରମଣ ପାଇଁ ଏହି ଦେଢ ଲକ୍ଷ ମିଶନ ଶକ୍ତି ଇ.ସି. ମହିଳାଙ୍କୁ ହଟେଇବା ପରିବର୍ତ୍ତେ ଆହୁରି ସଶକ୍ତ କରାଯାଉ । ନହେଲେ ୩୧୪ ବ୍ଲକରେ ବିଜେଡି ପ୍ରତିବାଦ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।



କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, 'ରାଜ୍ୟରେ ମା' ମାନେ ସୁରକ୍ଷିତ ନାହାନ୍ତି । ଗତ କିଛି ବର୍ଷରେ ୩୬ ହଜାର ମହିଳା ଓ ୮ ହଜାର ଶିଶୁ ନିଖୋଜ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ତଥ୍ୟ ଦେଇଛନ୍ତି । ରାଜ୍ୟରେ ନାରୀ ନିର୍ଯାତନା ବଢ଼ି ବଢ଼ି ଚାଲିଛି । ମିଶନ ଶକ୍ତି ମହିଳା ରାଜରାସ୍ତାରେ ବସିଛନ୍ତି । କଂଗ୍ରେସ ମଧ୍ୟ ପ୍ରତିବାଦ କରି ମହିଳାଙ୍କ ସୁରକ୍ଷା ଓ ନ୍ୟାୟ ଦାବି କରିଛି । ହେଲେ ସରକାର ଜାଣିଶୁଣି ଗୃହ ବନ୍ଦ କଲେ । ମହିଳା ଓ ଶିଶୁ ସୁରକ୍ଷିତ ନ ହେଲେ ରାଜ୍ୟ କେମିତି ଚାଲିଛି ।"



ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେପି ବିଧାୟକ ଅମର ନାୟକ । ଅମର କହିଛନ୍ତି, "ଗଣତନ୍ତ୍ରରେ ବିରୋଧୀ ଦଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଜ୍ୟବାସୀ ଓ ବିଧାୟକ ସାରା ରାଜ୍ୟ ପ୍ରଶ୍ନ ଉତ୍ତରକୁ ଅପେକ୍ଷା କରିଥାନ୍ତି । ନିଜ ଅଞ୍ଚଳ ପ୍ରସଙ୍ଗ ନେଇ ଆଲୋଚନା କରିବାକୁ ବିଧାୟକ ଅନେଇ ବସିଥାନ୍ତିସି। ବିରୋଧୀ ଗୃହ ଚଳାଇ ଦିଲେ ନାହିଁ । କିଟ ପ୍ରସଙ୍ଗ ହେଉ ବା ଅନ୍ୟ କେଉଁ ପ୍ରସଙ୍ଗ ହେଉ । ତାକୁ ଏଡାଇବାକୁ ବିଜେଡି ଭିନ୍ନ ଦିଗ ଦେଇଛନ୍ତି । ମୂଲତବିରେ ଆଣିଲେ ବିରୋଧୀ । ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ମହିଳାଙ୍କ ପାଇଁ ସରକାର ସମ୍ବେଦନଶୀଳ । ସହାୟିକାଙ୍କ ଦରମା ଦିଆଗଲା । ଅତୀତରେ ମହିଳାଙ୍କୁ ଧୂଆଁବାଣ କରୁଥିଲେ ବର୍ତ୍ତମାନର ବିରୋଧୀ ତଥା ତତ୍କାଳୀନ ବିଜେଡି ସରକାର । ବର୍ତ୍ତମାନ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି । କାରଣ ବିଜେଡି ପାଖରେ ଆଉ ପ୍ରସଙ୍ଗ ନାହିଁ । ତେଣୁ ବିଜେଡି ଜାଣିଶୁଣି ନିଜ ଏପରି କରୁଛନ୍ତି । କାରଣ ସେମାନେ ସଙ୍କଟରେ ପଡିଛନ୍ତି । ସେମାନେ ମହିଳାଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବାକୁ କିଛି କରି ନାହାନ୍ତି । ସୁଭଦ୍ରା ପରି ସବୁଠାରୁ ବଡ଼ ଯୋଜନା କରିଛନ୍ତି ମୋହନ ସରକାର । କୋଟିଏ ମହିଳାଙ୍କ ପାଖରେ ଏହା ବର୍ତ୍ତମାନ ସୁଦ୍ଧା ପହଂଚିଛି । ଏହା ସହାୟତା, ଋଣ ନୁହେଁ ।"



ଏହା ବି ପଢନ୍ତୁ- '୫ ବର୍ଷରେ ପଞ୍ଚାୟତିରାଜ ବିଭାଗରେ ୨୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି' - PANCHAYATI RAJ DEPARTMENT

ବିଧାନସଭାରେ ମିଶନଶକ୍ତି ତାତି-

ମିଶନଶକ୍ତି ଇସି ପୁର୍ନଗଠନକୁ ବିଜେଡିର ବିରୋଧ । ଆଜି ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ବିଧାୟକ ମାନେ ଏ ପ୍ରସଙ୍ଗ ଉଠାଇଥିଲେ । ଗୃହ ମଧ୍ୟଭାଗକୁ ଆସି ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ । ହାତରେ ଲିଫଲେଟ୍ ଧରି ପ୍ରତିବାଦ କରିଥିଲେ । ଗୃହରେ ଅଚଳାବସ୍ଥା ପାଇଁ ଅପରାହ୍ଣ 4 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି। ଏହାପରେ ବିଜେଡି ବିଧାୟକ ମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣ ଦେଇଥିଲେ।

ଆଜି ବିଧାନସଭା ଆରମ୍ଭରୁ ବିରୋଧୀଙ୍କ କଡା ଅଭିମୁଖ୍ୟ, ରାଜ୍ୟରେ ମହିଳାଙ୍କୁ ସଶକ୍ତ କରିବାକୁ ତତ୍କାଳୀନ ବିଜେଡି ସରକାର ମିଶନ ଶକ୍ତି ଯୋଜନା କରିଥିଲେ ଆଉ ଏବେ ବିଜେପି ସରକାର ତାକୁ ଦୁର୍ବଳ କରିବାକୁ ଯୋଜନା କରୁଛନ୍ତି । ଏହାର ତୀବ୍ର ପ୍ରତିବାଦ କରି ବିଜେଡି ସଦସ୍ୟମାନେ ଗୃହରୁ ବାହାରି ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ପରେ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ ପଦର୍ଶନ କରିଥିଲେ ।

ମିଶନଶକ୍ତି ଇ.ସି ପୁନର୍ଗଠନ ବନ୍ଦ କରିବା ଦାବିରେ ବିଜୁ ଜନତା ଦଳର ସଦସ୍ୟ ମାନେ ବିଧାନସଭା ହଟ୍ଟଗୋଳ ଓ ନାରାବାଜି କରିଥିଲେ ବିରୋଧୀ ବିଜେଡି । ଏହା ପରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇ ପ୍ରତିବାଦ କରିଥିଲେ ବିରୋଧୀ ସଦସ୍ୟ । ସୂଚନା ଥାଉ କି, ପ୍ରତି ପଂଚାୟତରେ ଥିବା ୧୦ ଜଣ ସ୍ୱୟଂ ସହାୟିକା ସଦସ୍ୟା ମାନଙ୍କୁ ନେଇ ଜଣେ ec ବା କାର୍ଯ୍ୟ ନିର୍ବାହୀ ରହିଛନ୍ତି । ସେମାନେ 2023ରୁ ମାସିକ ଏକ ହଜାର ଟଙ୍କା ପ୍ରୋତ୍ସାହନ ପାଉଥିଲେ।ଏବେ ବିଜେପି ସରକାର ଆସିବା ପରେ ec ଗୁଡିକ ପୁନର୍ଗଠନ କରିବାକୁ ଚାହୁଁଛନ୍ତି ଯାହାକୁ ବିରୋଧ କରୁଛି ବିଜେଡି।

ସେପଟେ ମୋହନ ସରକାର ଆସିବା ପରେ ec ମାନଙ୍କୁ ପୁନର୍ଗଠନ କରିବାକୁ ଚର୍ଚ୍ଚା ହେଉଥିବା ବେଳେ ତାକୁ ବିରୋଧ ଜାରି ଲୋୱାର ପିଏମଜି ରେ ଦୀର୍ଘ 6 ଦିନ ହେବ ଆନ୍ଦୋଳନ କରୁଛନ୍ତି ec ସଦସ୍ୟ ମାନେ ।

ଓଡ଼ିଶାର ଚାଷୀଙ୍କ ସଂଖ୍ୟା କେତେ ?

ଓଡ଼ିଶାରେ ଚାଷୀଙ୍କ ସଂଖ୍ୟା କେତେ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂ ଦେଓ । ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ, ୯ ଲକ୍ଷ ୫ ହଜାର ୧୮୪ ଭାଗଚାଷୀ, ୮ ଲକ୍ଷ ୮୭ ହଜାର ୨୭୨ ଜଣ କ୍ଷୁଦ୍ର ଚାଷୀ ଓ ୩୬ ଲକ୍ଷ ୩୬ ହଜାର ୬୫୮ ଜଣ ନାମମାତ୍ର ଚାଷୀ ଅଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା(PM KISAN) ରେ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ୩୧,୫୧,୭୦୦ ଚାଷୀ ଉପକୃତ ହୋଇଛନ୍ତି । ସେହିଭଳି CM KISAN ମାଧ୍ୟମରେ ୪୫,୫୭,୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩୯, ୩୦୩ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୫,୧୭,୦୦୦ ଚାଷୀ ଖରିଫରେ ଓ ୧.୮୩ ଲକ୍ଷ ଚାଷୀ ରବିରେ ପଞ୍ଜୀକରଣ କରିଛନ୍ତି ।

୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ:

ସୁନା କିଣୁଥିଲେ ସାବଧାନ ଓଜନ ମାପରେ ଠକୁଛନ୍ତି ସୁନା ଦୋକାନୀ । ଗତ ୫ ବର୍ଷରେ ୩୬ ଜଣ ବ୍ୟବସାୟୀ ଓଜନ ମାପ ଠକେଇରେ ଧରାପଡିଛନ୍ତି । ବିଧାନସଭାରେ ଆସିଛି ସାଙ୍ଘାତିକ ତଥ୍ୟ । ୪ ଲକ୍ଷ ୯୭ ହଜାର ୫୦୦ ଟଙ୍କାର ଜରିମାନା ଆଦାୟ ହୋଇଛି । ସେହିପରି ୮ ଜଣ ବଡ଼ ବ୍ୟବସାୟୀ ନକଲି ହଲମାର୍କରେ ସୁନା ବିକ୍ରି କରୁଥିବା ଅଭିଯୋଗରେ ଧରାପଡିବାରେ ୭ ଜଣଙ୍କ ଲାଇସେନ୍ସ ବାତିଲ ଓ ଜଣଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଲିଖିତ ଉତ୍ତର ରଖିଛନ୍ତି । BIS ହଲମାର୍କ (HUID) ଅଳଙ୍କାରକ୍ରୟକୁ ପ୍ରୋତ୍ସାହିତ କରିବା ପାଇଁ BIS ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଅଛି । ହଲମାର୍କ ସୁନାର ମାନକରେ ତ୍ରୁଟି ରୋକିବା ପାଇଁ, ଭାରତୀୟ ମାନକ ବ୍ୟୁରୋ (BIS) ନିୟମିତ ଭାବେ ବଜାରରୁ ହଲମାର୍କ ସୁନାଅଳଙ୍କାର ନମୁନା ସଂଗ୍ରହ କରି ସୁନାର ମାନକକୁ ପରୀକ୍ଷା କରିବା ପାଇଁ BIS ପରୀକ୍ଷାଗାରକୁ ପଠାଉଛି । ଯଦି ନମୁନା ପରୀକ୍ଷାରେ ବିଫଳ ହେଉଛି, ତାହାହେଲେ BIS Act, 2016 ଅନୁଯାୟୀ ପଦକ୍ଷେପ ନିଆଯାଉଛି ।ଓଡ଼ିଶାରେ ଭାରତୀୟ ମାନକ ବ୍ୟୁରୋ (BIS) ଦ୍ବାରା ନିମ୍ନଲିଖିତ ସୁନାଗହଣା ଦୋକାନରେ ସୁନାର ମାନକରେ ତ୍ରୁଟି ଧରାଯାଇଛି ଏବଂ ଆଇନଗତ ପଦକ୍ଷେପ ନିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details