ପୁରୀ: ଶ୍ରୀମନ୍ଦିର ନିକଟରେ ଥିବା ଏମାର ମଠର ଜମିରେ ନିର୍ମାଣ ହେବ ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର । ସେହିପରି ପୁରାତନ ରଘୁନନ୍ଦନ ପାଠାଗାରକୁ ମଧ୍ୟ ପୁନଃ ନିର୍ମାଣ କରାଯିବ । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଏମାର ମଠ ନିକଟରେ ମଧ୍ୟ ଖନନ କାର୍ଯ୍ୟ ଆରମ୍ଭ କରାଯାଇଛି । ସେପଟେ ଓବିସିସି (ଓଡିଶା ସେତୁ ଓ ନିର୍ମାଣ ନିଗମ ଲିଃ ) ପକ୍ଷରୁ ଆରମ୍ଭ ହୋଇଥିବା ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ । ଏମାର ମଠର ଚାରିପଟେ ହୋଇଥିବା ଜିପିଆରଏସ ସର୍ଭେ ରିପୋର୍ଟ ସାର୍ବଜନୀନ କରାଯାଇନଥିବା ବେଳେ ପୁଣି ଖନନ କାର୍ଯ୍ୟ ଆରମ୍ଭ ହେବାକୁ ନେଇ ଆପତ୍ତି ଉଠିଛି ।
ପ୍ରଥମେ ବେସମେଣ୍ଟ ପ୍ରସ୍ତୁତ କରାଯାଇ ଫାଉଣ୍ଡେସନ ପକାଯିବା ପରେ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ଏବଂ ରଘୁନନ୍ଦନ ପାଠାଗାର ନିର୍ମାଣ ହେବ । ଏମାର ମଠ ଏକ ଐତିହ୍ୟ ସମ୍ପନ୍ନ ମଠ ହୋଇଥିବା ବେଳେ ଏହି ମଠରେ ଅନେକ ଗୁପ୍ତ କୀର୍ତ୍ତିରାଜି ଓ ଗୁପ୍ତ ଧନ ମାଟି ତଳେ ଥିବା କୁହାଯାଉଛି । ପୂର୍ବରୁ ଏମାର ମଠରୁ ମୂଲ୍ୟବାନ ରୂପା ଇଟା ମିଳିଥିଲା । ପରିକ୍ରମା ପ୍ରକଳ୍ପ ଖନନ ବେଳେ ମାଟିତଳୁ ସିଂହ ମୂର୍ତ୍ତି ମଧ୍ୟ ମିଳିଥିଲା । ଏଣୁ ଏମାର ମଠର ମାଟି ତଳେ କ'ଣ ଐତିହ୍ୟ କୀର୍ତ୍ତିରାଜି ରହିଛି ସେନେଇ ଓବିସିସି ପକ୍ଷରୁ ହୋଇଥିବା ଜିପିଆରଏସ ସର୍ଭେ ରିପୋର୍ଟ ସାର୍ବଜନୀନ କରିବା ପାଇଁ ଦାବି ହୋଇଛି ।
ଏହା ବି ପଢନ୍ତୁ- ଏମାର ମଠ ଖନନ ସ୍ଥଳରେ ସରିଲା GPR ସର୍ଭେ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏମାର ମଠର କେବଳ ମନ୍ଦିର ଏବଂ ପୂଜା ସ୍ଥଳୀକୁ ଛାଡ଼ି ମଠର ଅନ୍ୟ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଥିଲା । ଉଚ୍ଛେଦ ସମୟରେ ୨୦୨୧ ମସିହାରେ ମଧ୍ୟ ରୂପା ଇଟା ଏମାର ମଠରୁ ଉଦ୍ଧାର କରାଯାଇଥିଲା । ତେବେ ଏହା ପୂର୍ବରୁ ମଧ୍ୟ ୫୨୨ ଖଣ୍ଡ ରୂପା ଇଟା ଏମାର ମଠରୁ ପ୍ରଶାସନ ଜବତ କରିଥିଲା । ଏଣୁ ଏମାର ମଠ ତଳେ ଅନେକ ଗୁପ୍ତ ଧନ ଥିବା ବିଶ୍ବାସ କରାଯାଉଥିବା ବେଳେ ଏହାକୁ ଠାବ କରି ଉଦ୍ଧାର ପାଇଁ ଦାବି ହୋଇ ଆସୁଛି । ଏମାର ମଠ ଉଚ୍ଛେଦ ପରେ ମାଟି ତଳେ ଗୁପ୍ତ ଧନ ଏବଂ ଐତିହ୍ୟ କୀର୍ତ୍ତିରାଜି ଅଛି କି ନାହିଁ ତାହା ଜାଣିବା ପାଇଁ ଓବିସିସି ୨୦୨୨ ମେ ମାସରେ ଗାନ୍ଧୀନଗର ଆଇଆଇଟି ସାହାଯ୍ୟରେ ମାଟିତଳର ତଥ୍ୟ ପାଇଁ ଓବିସିସି ଜିପିଆରଏସ ସର୍ଭେ କରିଥିଲା । ଏଥିପାଇଁ ୪୦ ଲକ୍ଷ ୬୦ ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥିଲା ।