ଭୁବନେଶ୍ବର: ଅଣସଂକ୍ରାମକ ରୋଗ ପାଇଁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଭିଯାନ । ୩୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ହେବ ସ୍ୱତନ୍ତ୍ର ଏନ୍ସିଡି ଯାଞ୍ଚ। ଘର ଘର ବୁଲି ପରୀକ୍ଷା କରିବେ ସ୍ବାସ୍ଥ୍ୟକର୍ମୀ । ଦେଶରେ ବୃଦ୍ଧି ପାଉଛି ଅଣସଂକ୍ରାମକ ରୋଗ । ତେବେ ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଶେଷ ଭାବରେ ଅଣ ସଂକ୍ରାମକ ରୋଗ ପରୀକ୍ଷଣ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ।
କେଉଁମାନଙ୍କ ହେବ ଅଣସଂକ୍ରାମକ ପରୀକ୍ଷା
ଓଡିଶାର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉପକେନ୍ଦ୍ରରେ ମହିଳା ସ୍ଵାସ୍ଥ୍ୟକର୍ମୀ ଓ ସି.ଏଚ୍.ଓମାନଙ୍କ ଦ୍ଵାରା ୩୦ ବର୍ଷରୁ ଅଧିକ ବୟସ୍କଙ୍କ ପରୀକ୍ଷା କରାଯିବ । ପାଖାପାଖି ୭୦ଲକ୍ଷ ଲୋକଙ୍କୁ ଏଭଳି ପରୀକ୍ଷଣ କରିବାକୁ ଲକ୍ଷ୍ୟ ରଖିଛି ସ୍ବାସ୍ଥ୍ୟବିଭାଗ ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ସତ୍ୟଜିତ ତ୍ରିପାଠୀଙ୍କ ଫୋନୋ (ETV Bharat Bharat)
କେଉଁ ରୋଗର ହେବ ପରୀକ୍ଷା ?
ବିଶେଷ ଭାବରେ ଏହି ପରୀକ୍ଷଣ ଅଭିଯାନରେ ମଧୁମେହ, ଉଚ୍ଚ ରକ୍ତଚାପ, ଏବଂ ତିନୋଟି ସାଧାରଣ କର୍କଟ ଯଥା- ମୁଖ, ସ୍ତନ ଏବଂ ଜରାୟୁ କର୍କଟ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଅଭିଯାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (AAMs) ଏବଂ ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ମାଧ୍ୟମରେ କାର୍ଯ୍ୟନ୍ବିତ ହେବ। ଯାହା ଅଣସଂକ୍ରାମକ ରୋଗ ନିରୋଧ ଏବଂ ନିୟନ୍ତ୍ରଣ ନିମନ୍ତେ ଜାତୀୟ କାର୍ଯ୍ୟକ୍ରମ (NP-NCD) ଅଧୀନରେ ରହିବ।
ଅଭିଯାନର ମୁଖ୍ୟ ଆକର୍ଷଣ:
୧) ଘର ଘର ବୁଲି ପ୍ରଚାର:- ବିଶେଷ ଭାବରେ ତାଲିମପ୍ରାପ୍ତ ଆଶାକର୍ମୀ, ଏଏନ୍ଏମ୍ ଏବଂ ଆଗଧାଡ଼ିର କର୍ମୀମାନେ ପରୀକ୍ଷଣ ବୃଦ୍ଧି କରିବା ପାଇଁ ଘରେ ଘରେ ଲୋକଙ୍କ ନିକଟରେ ପହଞ୍ଚିବେ।
୨) ଅତ୍ୟାବଶ୍ୟକ ଯୋଗାଣ:- ରାଜ୍ୟର ସମସ୍ତ ସ୍ବାସ୍ଥ୍ୟ ସେବା କେନ୍ଦ୍ରରେ ରକ୍ତଚାପ ମାପକ ଯନ୍ତ୍ର, ଗ୍ଲୁକୋମିଟର ଏବଂ ଆବଶ୍ୟକ ଔଷଧ ସମେତ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀର ଉପଲବ୍ଧତାକୁ ଯାଞ୍ଚ କରିବେ ସ୍ୱାସ୍ଥ୍ୟ କର୍ମୀ ।
୩) ପୋର୍ଟାଲରେ ଅପଲୋଡ:- ବିଶେଷ ଭାବରେ ପରୀକ୍ଷଣ, ଚିକିତ୍ସା ଏବଂ ଅନୁସରଣ ସମ୍ବନ୍ଧୀୟ ତଥ୍ୟ ପ୍ରତିଦିନ ଏନପି- ଏନସିଡି ପୋର୍ଟାଲରେ ଅପଲୋଡ଼ କରାଯିବ । ଯାହା ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ଵକୁ ସୁନିଶ୍ଚିତ କରିବ।
୪) ବ୍ଲକରେ ଅଧିକାରୀ ନିୟୋଜିତ:- ଅଭିଯାନର ନିରବଚ୍ଛିନ୍ନ କାର୍ଯ୍ୟକାରିତାକୁ ସୁଗମ କରିବା ପାଇଁ ବିଭିନ୍ନ କେନ୍ଦ୍ରରେ, ବ୍ଲକ, ଜିଲ୍ଲାସ୍ତରରେ ଅଧିକାରୀଙ୍କୁ ନିଯୁକ୍ତ କରାଯିବ।
୫) ଦୈନିକ ପ୍ରଗତି ସମୀକ୍ଷା:- ସମସ୍ତ ୩୦ଟି ଜିଲ୍ଲା ପ୍ରତିଦିନ ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟ ଏନସିଡି ସେଲ୍କୁ ଅପଡେଟ ପ୍ରଦାନ କରିବେ। ଯାହା ଦ୍ବାରା ନିରପେକ୍ଷ ନିରୀକ୍ଷଣ ଏବଂ ବୈଷୟିକ ସହାୟତା ମିଳିପାରିବ।
୬) ଯନ୍ତ୍ର ସହିତ ଉନ୍ନତ ସଂଯୋଗ:- ସଠିକ ଭାବରେ ଚିକିତ୍ସା ଏବଂ ଅନୁସରଣ ପ୍ରୋଟୋକଲ ସ୍ଥାପନ କରି, ଏହି ଅଭିଯାନ ଅଣସଂକ୍ରମକ ରୋଗ ସହ ଜଡିତ ଜଟିଳତାକୁ ହ୍ରାସ କରିବାକୁ ଚେଷ୍ଟା କରାଯିବ।
ଆୟୁଷ୍ମାନ ଭାରତ ପଦକ୍ଷେପ ଅଧୀନରେ ପ୍ରତିରୋଧୀ ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ଏବଂ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପାଇଁ ସାର୍ବଜନୀନ ପ୍ରବେଶ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ । ଏହି ସ୍ବତନ୍ତ୍ର ଅଭିଯାନ ଏକ ସୁସ୍ଥ ଏବଂ ଅଣସଂକ୍ରମକ ରୋଗମୁକ୍ତ ଓଡ଼ିଶା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ନାଗରିକଙ୍କୁ ସେମାନଙ୍କର ସ୍ବାସ୍ଥ୍ୟ ଏବଂ କଲ୍ୟାଣର ଦାୟିତ୍ୱ ନେବା ପାଇଁ ପ୍ରଚେଷ୍ଟା କରୁଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।
ଏହା ମଧ୍ୟ ପଢନ୍ତୁ ଶ୍ରୀମନ୍ଦିରରେ କାଳିଆ ପାଇଁ ଅଭାବ ଫୁଲ, ସେବାୟତ କହିଲେ ଉଦ୍ୟାନ ପାଇଁ ଜାଗା ଦେଉନି ପ୍ରଶାସନ
ଏହା ମଧ୍ୟ ପଢନ୍ତୁ ଦକ୍ଷିଣ ଓଡ଼ିଶାର ରେଳ ଭିତ୍ତିଭୂମି ପ୍ରକଳ୍ପକୁ ଗ୍ରୀନ ସିଗନାଲ; ପରିବହନ, କୃଷି, ଉତ୍ପାଦନ ଭଳି କ୍ଷେତ୍ରକୁ ଗୁରୁତ୍ବ
ଆଶାକର୍ମୀ ନୁହେଁ ବିଶେଷଜ୍ଞ ଟିମ ଆବଶ୍ୟକ
ସ୍ୱାସ୍ଥ୍ୟ ବିଶେଷଜ୍ଞ ସତ୍ୟଜିତ ତ୍ରିପାଠୀକହିଛନ୍ତି ଯେ, "ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଯେଉଁ ମାନେ ରୋଗ ବିଷୟରେ ଜାଣିପାରୁ ନଥିଲେ ଘରକୁ ଘର ବୁଲି ପରୀକ୍ଷା କରିବା ଦ୍ୱାରା ରୋଗ ଅଛି କି ନାହିଁ ଜଣାପଡ଼ିଥାଏ । କେବଳ ମଧୁମେହ ରୋଗ ନୁହେଁ ଏପରିକି ଉଚ୍ଚ ରକ୍ତ ଚାପ ଭଳି ଅନେକ ଅଣ ସଂକ୍ରାମକ ରୋଗ ରହିଛି ଯାହା ଦେହ ମଧ୍ୟରେ ଥିଲେ ମଧ୍ୟ ତାହା ଶୀଘ୍ର ଚିହ୍ନଟ ହେବାରେ ସାହାଯ୍ୟ କରିବ। କେଉଁଠି ଅଣସଂକ୍ରାମକ ରୋଗ ବ୍ୟକ୍ତି ନିଜେ ତଥ୍ୟ ନଦେଲେ ଆଶାକର୍ମୀ ଏହା ଚିହ୍ନ କରିବା କଷ୍ଟକର ହେବ । ଯେପର୍ଯ୍ୟନ୍ତ ଲୋକେ ତଥ୍ୟ ଦେବନହିଁ ସେପର୍ଯ୍ୟନ୍ତ ଜଣାପଡିବ ନାହିଁ ସେମାନେ କେଉଁ ରୋଗରେ ଆକ୍ରାନ୍ତ। ତଥ୍ୟ ଆଧାରରେ ରାଜ୍ୟରେ ଏକ ଶତକଡା ଆକଳନ କରାଯାଇପାରିବ । ଏଣୁ ଗାଁ ଠୁ ନେଇ ଜିଲ୍ଲା ସ୍ତରରେ ସଚେତନ କରାଯିବା ଉଚିତ । ସେଥିପାଇଁ ଜଣେ ବିଶେଷଜ୍ଞ ଟିମ ଦରକାର । ଯେଉଁମାନେ ପଞ୍ଚାୟତ ଠୁ ଜିଲ୍ଲା ସ୍ତରରେ ବୁଲି ସଠିକ ଭାବେ ପରୀକ୍ଷା କରି ତଥ୍ୟ ଆଣିପାରିବେ । ଏପରି କଲେ ହୁଏତ ସରକାରଙ୍କ ଏହି ପଦକ୍ଷେପର ଭଲ ଦିଗ ବାହାରି ପାରିବ’’ ।
ରାଜ୍ୟରେ ଅଭାବ ଭିତ୍ତିଭୂମି
ସେପଟେ ରୋଗୀଙ୍କ ସମ୍ପର୍କୀୟ ଆର୍ତତ୍ରାଣ ପାତ୍ର କହିଛନ୍ତି, ‘‘ରାଜ୍ୟରେ ଭିତ୍ତିଭୂମିର ଅଭାବ ରହିଛି । ରାଜ୍ୟ ସରକାରଙ୍କ ସେତିକି ଲୋକେ ନାହାନ୍ତି ଯେ ସେମାନେ ପରୀକ୍ଷା କରିବେ । ସହରାଞ୍ଚଳରେ ସ୍ଥିତି ଖରାପ ଗାଁ କଥା ନ କହିଲେ ଭଲ । ଏହି ପଦକ୍ଷେପ ସ୍ଵାଗତ ଯୋଗ୍ୟ ପଦକ୍ଷେପ ଅଟେ। କିନ୍ତୁ କେବଳ ଘର ଘର ବୁଲି ପରୀକ୍ଷଣ କରିଦେଲେ ହେବ ନାହିଁ। ଏହାରି ଭିତରେ ଔଷଧ, ସମସ୍ତ ମେଡିକାଲ ଜିନିଷପତ୍ର ସଠିକ ଭାବରେ ମହଜୁଦ ହୋଇ ରହିବା ଆବଶ୍ୟକ। ଏତେ କମ ଦିନ ମଧ୍ୟରେ ଅଧିକ ସଂଖ୍ୟକ ଲୋକଙ୍କର ପରୀକ୍ଷା କରିବା ଅସମ୍ଭବ। ଯାହା ଏତେ ସଂଖ୍ଯାରେ ଆଶାକର୍ମୀ ହୁଅନ୍ତୁ କିମ୍ବା ସ୍ୱାସ୍ଥ୍ୟ କର୍ମୀ ହୁଅନ୍ତୁ। ଏତେ ସଂଖ୍ୟକ ମାନବ ସମ୍ବଳ ଅଭାବ ରହିଛି। ଯାହା ଫଳରେ ସମ୍ଭବ ପର ନୁହେଁ’’ ବୋଲି କହିଛନ୍ତି।