ଭୁବନେଶ୍ବର: ଆସନ୍ତାକାଲିଠାରୁ (ବୁଧବାର) ରାଜ୍ୟରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଦେଶରେ ପ୍ରବେଶ କରି ସାରିଛି Human Metapneumovirus-HMPV ଭାଇରସ । ଯାହାକୁ ନେଇ ଭୟ ବଢିଛି । କିନ୍ତୁ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପାଇଁ କୌଣସି ଅସୁବିଧା ନାହିଁ । "ଆମ ରାଜ୍ୟରେ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି ଏବଂ ଆବଶ୍ୟକ ପଡିଲେ ଟେଷ୍ଟିଂ ସେଣ୍ଟର୍ ବଢ଼ାଯିବ" ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।
ଦେଶରେ ବର୍ତ୍ତମାନ ସୁଦ୍ଧା ୬ ଜଣ HMPV ସଂକ୍ରମିତ ହୋଇଥିବା ସୂଚନା ଦିଆଯାଇଛି । କର୍ଣ୍ଣାଟକ, ତାମିଲନାଡୁ ଏବଂ ଗୁଜୁରାଟ ପରେ ପଶ୍ଚିମବଙ୍ଗରେ HMPV ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହେବା ପରେ ଓଡି଼ଶାରେ ଭୟ ବଢ଼ିଛି । ଏହାକୁ ରାଜ୍ୟ ସରକାର ଗୁରୁତର ସହିତ ନେଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, "ଏଚଏମ୍ପିଭିକୁ ନେଇ କୌଣସି ଭୟ ନାହିଁ । ଏହାର ଚିହ୍ନଟ ଓ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବାବେଳେ ସଚେତନ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦିଆଯାଇଛି । "
ଓଡ଼ିଶାରେ ବର୍ତ୍ତମାନ ସେପରି କୌଣସି ସ୍ଥିତି ନାହିଁ:
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ରକହିଛନ୍ତି, ''ଭାରତରେ ଯେତିକିବି ଏହି ଭାଇରସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି କୌଣସିଟି ନୂଆ ନୁହେଁ । ବିଭିନ୍ନ ସମୟରେ ଚିହ୍ନଟ ହୋଇଥିଲେ, ଏବେ ସମସ୍ତେ ସୂଚନା ପାଉଛନ୍ତି । କାହାର ବି ଟ୍ରାଭେଲ ହିଷ୍ଟ୍ରି ନାହିଁ, ପୂର୍ବରୁ ଭାରତରେ ଏହି ଭାଇରସ ଅଛି । ୨୦୦୧ ମସିହାରେ ଏହି ଭୂତାଣୁ ପ୍ରଥମେ ଚିହ୍ନଟ ହୋଇଥିଲା । ବାହାରୁ ଆସିକି କେହି ଏଚଏମ୍ପିଭି ସଂକ୍ରମିତ ହେବା ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଆସିନାହିଁ । ଯଦି ମହାମାରୀ ପରି ପରିସ୍ଥିତି ଉପୁଜେ ତେବେ ପ୍ରିକସନ ନେବୁ, ବର୍ତ୍ତମାନ ସେମିତି କିଛି ସ୍ଥିତି ନାହିଁ । ଯେଉଁଠାରେ ଦେଖାଯାଇଛି ସେହି ରାଜ୍ୟରେ ଗାଇଡଲାଇନ୍ ଜାରି କରାଯାଇଛି । ଆମ ରାଜ୍ୟରେ କିଛି ଦେଖାଯାଇନାହିଁ ତେବେ ଆମର ମଧ୍ୟ ଗାଇଡଲାଇନ ଜାରି କରାଯାଇନାହିଁ । ଭାରତ ସରକାର ଯଦି ପ୍ରତି ରାଜ୍ୟ ପାଇଁ ଗାଇଡଲାଇନ ଜାରି କରିବେ ତେବେ ଆମେ ମଧ୍ୟ ରାଜ୍ୟରେ କରିବୁ । ''
ଟେଷ୍ଟିଂ ଚାଲିଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ରଙ୍କ କହିବା କଥା, " ଜାନୁଆରୀ ୮ରୁ ୧୦ ତାରିଖ ତିନି ଦିନିଆପ୍ରବାସୀ ଭାରତୀୟ ଦିବସରେ ଛୋଟ ପିଲା ଓ ବୟସ୍କ ଲୋକେ ସାମିଲ ହେଉ ନାହାନ୍ତି । ଭୁବନେଶ୍ବର ଏମ୍ସରେ(AIIMS) ଟେଷ୍ଟ କରାଯାଉଛି। ଏହା ସହ ଆଇସିଏମଆର(ICMR)ରେ ମଧ୍ୟ ଟେଷ୍ଟ କରାଯାଉଛି । NCDC ରେ କଣ୍ଟ୍ରୋଲ ରୁମ୍ ରହିଛି । ଏନେଇ ୨୪ ଘଣ୍ଟା ତଦାରଖ କରାଯାଉଛି । ଯଦି ପରିସ୍ଥିତିରେ କୌଣସି ଅସୁବିଧା ହୁଏ, ତେବେ ଟେଷ୍ଟିଂ ସେଣ୍ଟର ବଢ଼ାଯିବ ନେଇ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସେହିଭଳି କୌଣସି ପରିସ୍ଥିତି ନାହିଁ । ''