ଭୁବନେଶ୍ବର:ବିଭିନ୍ନ ରାଜ୍ୟରେ ଚିହ୍ନଟ ହେଉଛନ୍ତିHMPV ଆକ୍ରାନ୍ତ । ଏହାରି ଭିତରେ ରାଜ୍ୟରେ HMPV ରୋଗୀ ଚିହ୍ନଟ ନେଇ ଚର୍ଚ୍ଚା ହେଉଥିଲା । ଖୋର୍ଦ୍ଧା କାଇପଦର ଅଞ୍ଚଳରେ HMPV ରୋଗୀ ଚିହ୍ନଟ ଖବରରେ ସତ୍ୟତା ନାହିଁ । ଏଯାଏଁ ରାଜ୍ୟରେ କେହି HMPV ଆକ୍ରାନ୍ତ ଚିହ୍ନଟ ହୋଇନଥିବା ସ୍ପଷ୍ଟ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
- 'ରାଜ୍ୟରେ HMPV ଆକ୍ରାନ୍ତ ନାହାନ୍ତି'
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି," ବର୍ତ୍ତମାନ ସୁଦ୍ଧା ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ରାଜ୍ୟରେ HMPVର କୌଣସି ସୂଚନା ନାହିଁ । ଏବେ ସୁଦ୍ଧା ରାଜ୍ୟରୁ କେହି HMP ଭୂତାଣୁରେ ସଂକ୍ରମିତ ହୋଇଥିବା ରିପୋର୍ଟ ଆସିନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ଯେତିକି ନମୁନା HMPV ପରୀକ୍ଷା ପାଇଁ ଯାଇଛି, ସବୁ ନେଗେଟିଭ୍ ଆସିଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । ସାଧାରଣ ଥଣ୍ଡା ଜ୍ବର ଭଳି ଏହାର ଲକ୍ଷଣ । ଏହି ସିଜିନରେ ସାଧାରଣ ଭାବେ ଥଣ୍ଡା ଜ୍ବର ହୁଏ, କିନ୍ତୁ ରୋଗୀ ସଂଖ୍ୟା ଏତେ ଅଧିକ ହୋଇନାହିଁ, ତେଣୁ ଭୟ କରିବାର ଆବଶ୍ୟକତା ନାହିଁ ।"
No Confirm Cases of HMPV in Odisha (ETV Bharat Odisha) - 'ଟେଷ୍ଟ ପାଇଁ ଯାଉଛି ସାମ୍ପୁଲ'
"ବିଭିନ୍ନ ସମୟରେ ଟେଷ୍ଟ ପାଇଁ ଯାଉଛି ସାମ୍ପୁଲ। ବିଭିନ୍ନ ହସ୍ପିଟାଲ ଓ RMRCରେ ହେଉଥିବା ଟେଷ୍ଟରୁ କୌଣସି ପଜିଟିଭି କେସ୍ ଆସିନାହିଁ । ବର୍ତ୍ତମାନ ସୁଧା ରାଜ୍ୟରେ କୌଣସି ରାଜ୍ୟରେ HMPV ଆକ୍ରାନ୍ତ ନାହାନ୍ତି" ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।
HMPV ସାଧାରଣ ଭାବରେ ବୟସ୍କ ଏବଂ ଶିଶୁମାନଙ୍କୁ ପ୍ରଭାବିତ କରିଥାଏ । ବୟସ୍କ ଲୋକଙ୍କଠାରେ ଲକ୍ଷଣ ଗୁଡ଼ିକ ଅତି ଗୁରୁତର ଭାବରେ ଦେଖାଯାଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କ କ୍ଷେତ୍ରରେ ସାଧାରଣତଃ କାଶ, ନାକ ବନ୍ଦ, ନାକରୁ ପାଣି ବାହାରିବା, ଗଳାରେ ଯନ୍ତ୍ରଣା ହେବା ଏବଂ ନିଶ୍ୱାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ ହେବା ଭଳି ଲକ୍ଷଣ ଦେଖାଯାଏ । ଏହା ସହିତ ଜ୍ୱର ଏବଂ ଥକ୍କା ପଣ ଅନୁଭୂତ ହୋଇଥାଏ । ବିଶେଷ ଭାବରେ ଶିଶୁମାନଙ୍କଠାରେ HMPV ସାଧାରଣତଃ ସାମାନ୍ୟ ଥଣ୍ଡା ଭଳି ଲକ୍ଷଣଠାରୁ ଆରମ୍ଭ କରି ଗୁରୁତର ଶ୍ୱାସକ୍ରିୟା ଲକ୍ଷଣ ସୃଷ୍ଟି କରିଥାଏ। ସାଧାରଣ ଲକ୍ଷଣଗୁଡ଼ିକ ମଧ୍ୟରେ କାଶ, ନାକରୁ ପାଣି ବୋହିବା, ନାକ ବନ୍ଦ ହୋଇଯିବା ଏବଂ ଜ୍ୱର ଅନ୍ତର୍ଭୁକ୍ତ । ଶିଶୁଙ୍କଠାରେ ଚିଡିଚିଡା ଅନୁଭବ, କମ୍ ଖାଦ୍ୟ ଖାଇବା ଏବଂ ଅଳସୁଆ ଲାଗିବା ଭଳି ଲକ୍ଷଣ ଦେଖାଯାଇଥାଏ। ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ରୋଙ୍କିଓଲାଇଟିସ୍ କିମ୍ବା ନିମୋନିଆ ହୋଇପାରେ। ପ୍ରିମ୍ୟାଚ୍ୟୁର୍ ଶିଶୁ, ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟା ଥିବା ଶିଶୁ କିମ୍ବା ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ ଥିବା ଶିଶୁମାନଙ୍କ କ୍ଷେତ୍ରରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଆଶଙ୍କା ଅଧିକ ଥାଏ। ତେବେ ଶିଶୁମାନଙ୍କ କ୍ଷେତ୍ରରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭୂତ ହେଲେ ତୁରନ୍ତ ଡାକ୍ତରାଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ଆବଶ୍ୟକ ।
ଏହା ବି ପଢନ୍ତୁ...HMPV ଭାଇରସକୁ ଡରିବାର ନାହିଁ, ଆମେ ପ୍ରସ୍ତୁତ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଏହା ବି ପଢନ୍ତୁ...'HMPV' ଟାର୍ଗେଟରେ ଶିଶୁ, ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେ କେମିତି ରହିବେ ସୁରକ୍ଷିତ ?
ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ପରାମର୍ଶ ଦେଇଛନ୍ତି ଯେ, ହ୍ୟୁମାନ ମେଟାନିମୋ ଭାଇରସ (HMPV)କୁ ଏଡାଇବା ପାଇଁ ବିଶେଷ ଭାବରେ ପରିଷ୍କାର ପରିଚ୍ଛନ୍ନତା ଆବଶ୍ୟକ । ସାର୍ବଜନୀନ ବା ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକୁ ଯିବା ପରେ କିମ୍ବା କୌଣସି ସ୍ଥାନକୁ ଛୁଇଁବା ପରେ ଅତି କମରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ସାବୁନ ଏବଂ ପାଣିରେ ହାତ ଧୋଇ ଦିଅନ୍ତୁ । ସଂକ୍ରମିତ ଲୋକଙ୍କ ପାଖରୁ ଦୂରତା ଅବଲମ୍ୱନ କରନ୍ତୁ । ଯଦି ଆପଣ ଅସୁସ୍ଥ ଅଛନ୍ତି ତେବେ ସ୍କୁଲ କିମ୍ବା କାମକୁ ଯିବାରୁ ଦୂରେଇ ରୁହନ୍ତୁ । ଡୋର୍ ହ୍ୟାଣ୍ଡେଲ ଏବଂ ଫୋନ୍ ଭଳି ବାରମ୍ବାର ସ୍ପର୍ଶ କରାଯାଉଥିବା ଜିନିଷଗୁଡ଼ିକୁ ଜୀବାଣୁମୁକ୍ତ କରିବା ଉଚିତ୍ । କାଶିବା କିମ୍ବା ଛିଙ୍କିବା ସମୟରେ ଟିସୁ ବ୍ୟବହାର କରନ୍ତୁ ଏବଂ ଏହାକୁ ତୁରନ୍ତ ଫୋପାଡ଼ି ଦିଅନ୍ତୁ । ଶିଶୁ, ବୟସ୍କ ଏବଂ ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କୁ ଭିଡ଼ ସ୍ଥାନରୁ ଦୂରରେ ରଖନ୍ତୁ । ସୁସ୍ଥ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ପର୍ଯ୍ୟାପ୍ତ ନିଦ ସହିତ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରନ୍ତୁ । ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହିତ ପରାମର୍ଶ ନିଅନ୍ତୁ ।
ଇଟିଭି ଭାରତ, ଭୁବନେଶ୍ବର