ଓଡିଶା

odisha

ETV Bharat / state

ନବୀନଙ୍କ ଅମଳରେ ବଜେଟରେ ଆସିଥିଲା ଏହି ନୂଆ ଯୋଜନା, ଯାହା ଥିଲା ଦେଶରେ ପ୍ରଥମ - BUDGET INITIATIVES IN NAVEEN TENURE - BUDGET INITIATIVES IN NAVEEN TENURE

NEW INITIATIVES IN NAVEN PATNAIK BUDGET: ନବୀନଙ୍କ ଶାସନ ସମୟରେ ବଜେଟରେ ଆସିଥିଲା ଏହି ନୂଆ ଯୋଜନା, ଯାହା ଥିଲା ଦେଶରେ ପ୍ରଥମ । ଓଡିଶାକୁ ଦେଇଥିଲା ଦେଶରେ ପ୍ରଥମ ରାଜ୍ୟର ମାନ୍ୟତା । ଅଧିକ ପଢନ୍ତୁ

ନବୀନଙ୍କ ଅମଳରେ ବଜେଟରେ ଆସିଥିଲା ଏହି ନୂଆ ଯୋଜନା, ଯାହା ଥିଲା ଦେଶରେ ପ୍ରଥମ
ନବୀନଙ୍କ ଅମଳରେ ବଜେଟରେ ଆସିଥିଲା ଏହି ନୂଆ ଯୋଜନା, ଯାହା ଥିଲା ଦେଶରେ ପ୍ରଥମ (ETV Bharat Odisha)

By ETV Bharat Odisha Team

Published : Jul 25, 2024, 4:52 PM IST

Updated : Jul 25, 2024, 6:17 PM IST

ହାଇଦ୍ରାବାଦ:ଆଜି ବିଧାନସଭାରେ ଆଗତ ହେବାକୁ ଯାଉଛି ମୋହନ ମାଝୀ ନେତୃତ୍ବାଧୀନ ‘ଭାରତୀୟ ଜନତା ପାର୍ଟି’ ସରକାରର ପ୍ରଥମ ବଜେଟ୍‌ । ଏହି ବଜେଟର କ’ଣ ରୂପରେଖ ରହିବ, ନବୀନ ସରକାରର ବଜେଟ ଠାରୁ ଚଳିତ ବଜେଟରେ କେତେ ନୂତନତ୍ବ ରହିବ ? ଭାରତୀୟ ଜନତା ପାର୍ଟିର ନିର୍ବାଚନୀ ଇସ୍ତାହାର ପୂରଣ କରିବା ଦିଗରେ ଏହି ବଜେଟ ଏକ ଆର୍ଥିକ ରୋଡମ୍ୟାପ ପ୍ରଦାନ କରିବା ନା କିଛି ନିର୍ଦ୍ଦିଷ୍ଟ ସମ୍ବେଦନଶୀଳ ବର୍ଗର ଉତ୍ଥାନ ପାଇଁ ଏହି ବଜେଟର ସିଂହଭାଗ ବ୍ୟୟବରାଦ ଯିବ, ତାକୁ ସେନେଇ ଉତ୍କଣ୍ଠା ରହିଛି । ଏହାରି ମଧ୍ୟରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ 24ବର୍ଷ ଶାସନରେ ବଜେଟର କିଛି ରୋଚକ ତଥ୍ୟ ଆମେ ଆପଣଙ୍କ ସାମ୍ନାରେ ରଖୁଛୁ । ବଜେଟରେ ନବୀନ ଏମିତି କିଛି ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଥିଲେ, ଯାହା ସମଗ୍ର ଦେଶରେ ଓଡିଶାକୁ ପ୍ରଥମ ରାଜ୍ୟ ଭାବେ ସ୍ବୀକୃତି ଦେଇଥିଲା । ନଜର ପକାନ୍ତୁ ସେପରି କିଛି ଯୋଜନା, କାର୍ଯ୍ୟକ୍ରମ ଓ ଏହାର ବ୍ୟୟବରାଦ ଉପରେ ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ETV Bharat Odisha)

2022-23 ବଜେଟରେ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’:-

ନିର୍ବାଚନୀ ବର୍ଷର ଠିକ ପୂର୍ବ ଆର୍ଥିକ ବର୍ଷ 2022-23ରେ ନବୀନ ପଟ୍ଟନାୟକ ସରକାରର ବାର୍ଷିକ ବଜେଟରେ ଆସିଥିଲା ବହୁଚର୍ଚ୍ଚିତ ରାଜ୍ୟ ମେଗା ସ୍ବାସ୍ଥ୍ୟବୀମା ଯୋଜନା ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ (BSKY)। ସରକାରୀ ହସ୍ପିଟାଲରେ ‘ଓପିଡି’ରୁ ନେଇ ସର୍ଜରୀ ଓ ଆସିୟୁ ପର୍ଯ୍ୟନ୍ତ ସମସ୍ତଙ୍କୁ ଦେୟମୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଏହାକୁ ଶୁଭାରମ୍ଭ କରାଯାଇଥିଲା । ସେହିବର୍ଷ ବଜେଟରେ ଏହି ଯୋଜନା ପାଇଁ ରେକର୍ଡ ପରିମାଣର 51,683 କୋଟି ଟଙ୍କାର ବ୍ୟୟବରାଦ କରିଥିଲେ ନବୀନ ସରକାର । ଏହା ଥିଲା ରାଜ୍ୟର ମୋଟ ଜିଡିପିର ପ୍ରାୟ 6 ପ୍ରତିଶତ ।

ପ୍ରାଦେଶିକ ସରକାର ସ୍ତରରେ ଏପରି ମେଗା ସ୍ବାସ୍ଥ୍ୟବୀମା ଯୋଜନା ପ୍ରାୟତଃ କୌଣସି ରାଜ୍ୟରେ କାର୍ଯ୍ୟକାରୀ କରାଯାଇନଥିଲା । ଯାହା ଓଡିଶାକୁ ଏହି ଧାରାରେ ପ୍ରଥମ ରାଜ୍ୟର ସ୍ବୀକୃତି ଦେଇଥିଲା । ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଏପରିକି ମୋଦି ନେତୃତ୍ବାଧୀନ କେନ୍ଦ୍ର ସରକାର ଆରମ୍ଭ କରିଥିବା ବିଶ୍ବର ସର୍ବବୃହତ୍ତ ମେଗା ସ୍ବାସ୍ଥ୍ୟବୀମା ଯୋଜନା ‘ଆୟୁଷ୍ମାନ ଭାରତ’କୁ ନବୀନ ସରକାର ରାଜ୍ୟରେ କାର୍ଯ୍ୟକାରୀ କରିନଥିଲେ । ‘ବିଏସକେଓ୍ବାଇ’, ଆୟୁଷ୍ମାନ ଭାରତ ଠାରୁ ଢେର ଅଧିକ ସଂଗଠିତ ଓ ପ୍ରଭାବୀ ଯୋଜନା ବୋଲି ରାଜ୍ୟ ସରକାର କହିଥିଲେ । କେନ୍ଦ୍ର-ରାଜ୍ୟ ମଧ୍ୟରେ ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ଯୋଜନା ନବୀନଙ୍କ ଲୋକପ୍ରିୟତାର ଆଉ ଏକ ଚାବିକାଠି ବୋଲି ମଧ୍ୟ ବିଚାର କରାଯାଏ ।

ବଜେଟ 2022-23 ରେ ଷ୍ଟାବେଲାଇଜେସନ ଫଣ୍ଡ:-

ଆର୍ଥିକବର୍ଷ 2022-23 ରେ ବଜେଟରେ ନବୀନ ସରକାର ଆଉ ଏକ ପ୍ରମୁଖ ଇନିସିଏଟିଭ ହାତକୁ ନେଇଥିଲେ । ଏହା ଥିଲା ବଜେଟ ସ୍ଥିରତା ପାଣ୍ଠି (BSF)। ଯାହା ଦେଶର ଯେକୌଣସି ରାଜ୍ୟ ଅପେକ୍ଷା ଓଡିଶାର ଥିଲା ପ୍ରଥମ ପଦକ୍ଷେପ । ଅପ୍ରତ୍ୟାଶିତ ରାଜସ୍ୱ ଅଭାବ କିମ୍ବା ଆର୍ଥିକ ମାନ୍ଦାବସ୍ଥା ସମୟରେ ନିଅଣ୍ଟିଆ ବଜେଟ ସ୍ଥିତିକୁ ମୁକାବିକା କରିବା ପାଇଁ ଅତିରିକ୍ତ ରାଜସ୍ୱ ମାଧ୍ୟମରେ ଏକ ପାଣ୍ଠି ଗଠନ କରିଥିଲେ ନବୀନ ସରକାର । ଏପରି ନୂଆ ଆର୍ଥନୈତିକ ବିଚାର ସହ ସନ୍ତୁଳିତ ବଜେଟ୍‌ ଆଣିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ମଧ୍ୟ ନବୀନଙ୍କ ଶାସନକୁ ଚର୍ଚ୍ଚାକୁ ଆଣିଥିଲା ।

2020-21 ବଜେଟ(ପୋଷଣ ବଜେଟ):-

କୋଭିଡର ପ୍ରଥମ ଲହର ପରବର୍ତ୍ତୀ ସମୟରେ 2020-21 ଆର୍ଥିକବର୍ଷରେ ନବୀନ ସରକାରଙ୍କ ବଜେଟକୁ ‘ପୋଷଣ ବଜେଟ’ ବା ‘ନ୍ୟୁଟ୍ରେସନ ବଜେଟ’ ଶୀର୍ଷକ ସହ ଉପସ୍ଥାପିତ କରାଯାଇଥିଲା । ମହାମାରୀର ପ୍ରଥମ ଲହରର ଭୟାବହତା ପରେ ଏହିବର୍ଷ ବଜେଟକୁ ପୋଷଣ-କୈନ୍ଦ୍ରିକ କରାଯାଇଥିଲା । ମହିଳା, ଗର୍ଭବତୀ, ଶିଶୁ ଓ ସମ୍ବେଦନଶୀଳ ବର୍ଗଙ୍କ ପୋଷଣ କୈନ୍ଦ୍ରିକ ଯୋଜନା ଓ ପ୍ରୋଗ୍ରାମ ପାଇଁ ଏଥିରେ ରେକର୍ଡ ପରିମାଣର ବ୍ୟୟବରାଦ ହୋଇଥିଲା । ଏହି ଆଭିମୁଖ୍ୟ ସହ ମହିଳା ଓ ଶିଶୁବିକାଶ ଯୋଜନା ସହ ଜଡିତ ଯୋଜାନକୁ ମଧ୍ୟ ବ୍ୟୟବରାଦ ରାଶି ବୃଦ୍ଧି କରାଯାଇଥିଲା । ବଜେଟ ଦଲିଲର ଶୀର୍ଷକ ମଧ୍ୟ ରଖାଯାଇଥିଲା ‘ନ୍ୟୁଟ୍ରେସନ-ବଜେଟ -2020-21’ । କୋଭିଡ ପରବର୍ତ୍ତୀ ସମୟରେ ଏପ୍ରକାର ନୂଆ ଭିଜନକୁ ମଧ୍ୟ ଦେଶରେ ପ୍ରଥମ ବୋଲି ଗ୍ରହଣ କରାଯାଇଥିଲା ।

2018-19 ରେ ଓଡିଶାର ହକି ସ୍ପନସରସିପ (ETV Bharat Odisha)

2018-19 ବଜେଟରେ ହକି ସ୍ପନସରସିପ:-

ନିର୍ବାଚନୀ ବର୍ଷରେ ନବୀନ ସମଗ୍ର ବିଶ୍ବରେ ଜଣେ କ୍ରୀଡାପ୍ରେମୀ ମୁଖ୍ୟମନ୍ତ୍ରୀ ଭାବେ ପରିଚୟ ସୃଷ୍ଟି କରିଥିଲେ । ଏହାର ମୁଖ୍ୟ କାରଣ ଥିଲା ବର୍ଷ 2018 ରେ ଓଡିଶାରେ ‘ହକି ବିଶ୍ବକପ’ ଆୟୋଜନ । ସେହିବର୍ଷ ବଜେଟରେ ରାଜ୍ୟ ସରକାର ହକି ପ୍ରମୋସନକୁ ବଜେଟ ବ୍ଯୟବରାଦରେ ମଧ୍ୟ ସ୍ଥାନ ଦେଇଥିଲେ । 5ବର୍ଷ ପାଇଁ ଓଡିଶାରେ କନିଷ୍ଠ, ବରିଷ୍ଠ, ମହିଳା ଓ ପୁରୁଷ ବର୍ଗର ସମସ୍ତ ଟିମର ସ୍ପନରସିପ ପାଇଁ ‘ହକି-ଇଣ୍ଡିଆ’ ସହ ଚୁକ୍ତିବଦ୍ଧ ହୋଇଥିଲା । ଏହାଥିଲା କୌଣସି ଜାତୀୟ କ୍ରୀଡା ପରିଚାଳନା ସଂସ୍ଥା ଓ କୌଣସି ରାଜ୍ୟ ସରକାର ମଧ୍ୟରେ ପ୍ରଥମ ଐତିହାସିକ ଚୁକ୍ତି । ଯାହା ନବୀନଙ୍କୁ କ୍ରୀଡାକ୍ଷେତ୍ରର ଉନ୍ନତି ପାଇଁ ପ୍ରତିବଦ୍ଧ ରାଜନେତା ଭାବେ ଭିନ୍ନ ପରିଚୟ ଓ ଲୋକପ୍ରିୟତା ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 25, 2024, 6:17 PM IST

ABOUT THE AUTHOR

...view details