ଭୁବନେଶ୍ବର:ପୁଣି ଅଶାନ୍ତ ରାଜଧାନୀ । ସୁଧ କାରବାରକୁ ନେଇ ମହାଭାରତ । ଟଙ୍କା କାରବାରକୁ କେନ୍ଦ୍ରକରି ପଦ୍ମକେଶରୀପୁରରେ ଗୋଷ୍ଠୀ ସଂଘର୍ଷ । ମରଣାତ୍ମକ ଆକ୍ରମଣ ହୋଇଥିବା ବେଳେ ବୋମା ମଧ୍ୟ ଫୁଟିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତକୁ ଆଣିଛି ।ଏହି ଘଟଣାର ଅଭିଯୁକ୍ତମାନେ ଫେରାର ଥିବାବେଳେ ପୋଲିସ ୧୦ ଜଣଙ୍କୁ ଅଟକ ରଖିଛି ।
ସୂଚନାଯୋଗ୍ୟ, ସୁଧ କାରବାରକୁ ନେଇ ଗୋଷ୍ଠୀ ସଂଘର୍ଷ । ଗାଁର ଉଭୟ ଗୋଷ୍ଠୀ ମଧ୍ୟରେ ବୋମାମାଡ ସହିତ ପଥରମାଡ ହୋଇଛି । ରାଜଧାନୀ ସ୍ଥିତ ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର ଅଞ୍ଚଳରେ ଏହି ସୁଧ କାରବାର ବା ମହାଜନୀ କାରବାର କେଉଁ ଅମଳରୁ ଚାଲି ଆସୁଥିବାବେଳେ କେତେ ଯେ ଧାରକର୍ତ୍ତା ବା ଶ୍ରମିକ, ମୁଲିଆ ଏହି ଜମିଦାରଙ୍କ ଦ୍ବାରା ଶୋଷଣ ହେଉଛନ୍ତି ।ଏଭଳି ସ୍ଥଳେ ଆଜି ସୁଧ ଟଙ୍କା ଫେରସ୍ତକୁ ନେଇ ସନାତନ ଦାସ ଓ ବୋହୁ ନିରୁପମା ଦାସ ଲହୁଲୁହାଣ ହୋଇ ଗୁରୁତର ହୋଇଥିବା ବେଳେ ଆହୁରି କେତେ ଜଣ ଏଠାରେ ଏଭଳି ଶୋଷିତ ହେଉଥିବା ଅଭିଯୋଗ ହୋଇଛି ।
ଏଠାରେ ସୁଧ ଦେଉଥିବା ଲୋକଟି ମୁଲଲାଗି ଦିନକୁ ଦି ଓଳି ବହୁତ କଷ୍ଟରେ ପରିବାର ପ୍ରତିପୋଷଣ କରୁଛି । ହେଲେ ସୁଧ ନେଉଥିବା ଲୋକଟି ନିରୀହ ଶ୍ରମିକ ଶ୍ରେଣୀର ଟଙ୍କାରେ କୋଠା ପରେ କୋଠା କରିଥିବା ଦେଖିବାକୁ ମିଳିଛି । ଆଉ ସେହି ସୁଧ ଟଙ୍କା ପାଇଁ ମଣିଷ ମାରିବାକୁ ବି ପଛାଉ ନାହାନ୍ତି ଋଣଦାତା । ଖାଲି ନିରୁପମା ଦାସ କି ସନାତନ ନୁହେ ଗାଁର ଅନେକ ଲୋକ ଏଭଳି ଶୋଷଣର ଶିକାର ହୋଇଥିବା ଅଭିଯୋଗ ହୋଇଛି ।