ବରଗଡ଼:ରାଜ୍ୟ ସରକାର ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦେଉଛନ୍ତି । ହେଲେ ଏହି ସରକାରୀ ଔଷଧଗୁଡିକ ରୋଗୀଙ୍କ କାମରେ ଲାଗିବା ବଦଳରେ ହସ୍ପିଟାଲରେ ଖତ ଖାଉଥିବା ନଜରକୁ ଆସିଛି । ହସ୍ପିଟାଲଗୁଡିକରେ ରହିଥିବା ଷ୍ଟୋରମାନଙ୍କରେ ସର୍ଜିକାଲ ସାମଗ୍ରୀ ସହିତ ବ୍ୟାପକ ମାତ୍ରାରେ ଔଷଧ ଓ ଇଞ୍ଜେକ୍ସନ ଗଚ୍ଛିତ ରହିଛି, ହେଲେ ସେହି ସାମଗ୍ରୀଗୁଡିକ ସେପରି ପଡି ରହି ନଷ୍ଟ ହେଉଛି କିନ୍ତୁ ବ୍ୟବହାର ହୋଇପାରୁନି । ଲକ୍ଷାଧିକ ଟଙ୍କାର ଔଷଧ ଏକ୍ସପାରୀ ହୋଇ ପଡିରହୁଛି । ଯାହାକି ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅବହେଳା ବୋଲି ଜଳ ଜଳ ବାରି ହୋଇଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ।
ବରଗଡ ସହରରେ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ 10 କିଲୋମିଟର ଦୂର ସ୍ଥାନୀୟ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁଲ୍ଲାକୁ ସ୍ଥାନାନ୍ତରିତ କରାଗଲା ପରେ ସେଠାରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ 7 ମହଲା ବିଶିଷ୍ଟ ବିରାଟ କୋଠାଘର ନିର୍ମିତ ହୋଇଯାଇଛି ସତ, ଯେତେ ସାମଗ୍ରୀ ଆବଶ୍ୟକ ସମସ୍ତ ପ୍ରକାରର ସାମଗ୍ରୀ ଗଦା ଗଦା ପଡିରହିଛି, ମାତ୍ର ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେତିକି ଡାକ୍ତର, ଷ୍ଟାଫ ନର୍ସ , ଟେକ୍ନିସିଆନ ଆଦି ମାନବ ସମ୍ବଳ ଦରକାର ସେତିକି ନାହାନ୍ତି । ଦିନ 12ଟା ପରେ ଆଉ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ରହୁନାହାନ୍ତି । ଯାହାଫଳରେ ଦୂରଦୂରାନ୍ତରୁ ଆସୁଥିବା ବହୁ ରୋଗୀ ଅଯଥାରେ ହଇରାଣ ହେଉଛନ୍ତି ।
ଅନେକ ଗରିବ ରୋଗୀ ପଇସା ଅଭାବ କାରଣରୁ ସରକାରୀ ହସ୍ପିଟାଲରେ ଡାକ୍ତର ଦେଖାଇ ଔଷଧ ନେବାକୁ ଆସୁଥିବା ବେଳେ କିନ୍ତୁ ଡାକ୍ତର ଲେଖୁଥିବା ଅଧିକାଂଶ ଔଷଧ ବିତରଣ କେନ୍ଦ୍ରରେ ନଥିବା କୁହାଯାଉଛି । ଯାହାଫଳରେ ଗରିବ ରୋଗୀମାନେ ବାଧ୍ୟ ହୋଇ ଅନ୍ୟତ୍ର ଔଷଧ କିଣିବାକୁ ଯାଇ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି । ଅନ୍ୟପଟେ 7 ମହଲା ବିଶିଷ୍ଟ ବିରାଟ ହସ୍ପିଟାଲର 6 ନମ୍ବର ମହଲାରେ ଲକ୍ଷ ଲକ୍ଷ ଟଙ୍କାର ଔଷଧ ଖତ ଖାଉଛି । ଏହି 6 ମହଲା ବିଲ୍ଡିଂରେ ଅନେକ ଏକ୍ସପାରୀ ଔଷଧ ଏଣେତେଣେ ପଡିରହିଥିବା ବେଳେ ବ୍ୟବହାର ଉପଯୋଗୀ ଭିଟାମିନ ଶିରପ, ଟାବେଲେଟ ଓ ଇଞ୍ଜେକ୍ସନଗୁଡିକ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି |