ଭୁବନେଶ୍ବର: ଜନତା ମୈଦାନରେ ଆଜିଠୁ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ’ ଆରମ୍ଭ ହୋଇଛି । ତିନିଦିନିଆ ସମ୍ମିଳନୀର ପ୍ରଥମ ଦିନରେ ‘ଯୁବ ପ୍ରବାସୀ ଭାରତୀୟ ଦିବସ’ ଉଦଘାଟିତ୍ ହୋଇଛି । ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ.ଏସ. ଜୟଶଙ୍କର, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ, କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖାଡସେ, ନ୍ୟୁଜ ଓ୍ୱିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଦେବ ପ୍ରଗଡ ଯୋଗ ଦେଇଛନ୍ତି ।
- ପ୍ରବାସୀମାନେ ଭାରତର ସାଂସ୍କୃତିକ ରାଜଦୂତ: ମୁଖ୍ୟମନ୍ତ୍ରୀ
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି," ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ସମାରୋହ ଆମ ପାଇଁ ଜୀବନର ଏକ ଅଭୁଲା ସ୍ମୃତି ହୋଇରହିବ । ଆଗାମୀ ଦିନରେ ସମ୍ପର୍କର ସେତୁ ଆହୁରି ସୁଦୃଢ ହେବ । ଏହି ଦିବସ ଆୟୋଜନ ମାଧ୍ୟମରେ ଆମେ ବିଶ୍ୱର ୨୦୦ଟି ଦେଶରେ ରହୁଥିବା ୩୦ ନିୟୁତରୁ ଅଧିକ ଭାରତୀୟଙ୍କ ଅସାଧାରଣ ଅବଦାନ ପାଇଁ ଖୁସି ବ୍ୟକ୍ତ କରୁଛୁ । ପ୍ରବାସୀ ଭାରତୀୟ ଆମର ସାଂସ୍କୃତିକ ରାଜଦୂତ ଓ ଭାରତର ଗୌରବକୁ ପ୍ରତିଫଳିତ କରୁଛନ୍ତି । ଦେଶ ବହାରେ ସେମାନଙ୍କ ଉତ୍କର୍ଷରେ ଆମେ ଗର୍ବିତ । ପ୍ରବାସୀ ଭାରତୀୟମାନେ ବିଜ୍ଞାନ ଓ କାରିଗରୀ, ବୈଶ୍ୱିକ ସହଯୋଗ ଓ ସରକାରୀ ନୀତି ନିର୍ଦ୍ଧାରଣରେ ସେମାନଙ୍କ ସଫଳତା ପ୍ରଦର୍ଶନ କରିଆସିଛନ୍ତି ।
- ଓଡିଶାରେ ପର୍ଯ୍ୟାପ୍ତ ସମ୍ଭାବନା, ବିକାଶରେ ସାମିଲ ହୁଅନ୍ତୁ ପ୍ରବାସୀ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶାର ବିକାଶ ଯାତ୍ରାରେ ସାମିଲ ହେବା ପାଇଁ ଆମନ୍ତ୍ରଣ ଜଣାଇଛନ୍ତି । ସେ କହିଛନ୍ତି, "ଓଡ଼ିଶାରେ ଟେକ୍ନୋଲୋଜି, ଅକ୍ଷୟ ଶକ୍ତି, ଭିତ୍ତିଭୂମି ବିକାଶ, ଶିକ୍ଷା ଓ ପର୍ଯ୍ୟଟନ ଇତ୍ୟାଦି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ଏ ସବୁରେ ପୁଞ୍ଜି ନିବେଶ, ସହଭାଗିତା ସାଙ୍ଗକୁ ଓଡ଼ିଶା ସହିତ ସାସ୍କୃତିକ ବିନିମୟରେ ଯୋଡ଼ି ହେବା ଦରକାର । ଉଦ୍ୟୋଗପତି ଗୋପୀଚାନ୍ଦ ହିନ୍ଦୁଜା ଓ ଏଲ. ଏନ, ମିତ୍ତଲ, କର୍ପୋରେଟ ଲିଡର ଇନ୍ଦିରା ନୁୟୀ, ସୁନ୍ଦର ପିଚାଇ ଓ ସତ୍ୟ ନାଡେଲା, ବୈଜ୍ଞାନିକ ଭେଙ୍କଟ ରାମକ୍ରୀଷ୍ଣନ ଏବଂ ଫେସନ ଡିଜାଇନର ବିଭୁ ମହାପାତ୍ରଙ୍କ ପରି ବ୍ୟକ୍ତିତ୍ୱବୃନ୍ଦ ବିଶ୍ୱସ୍ତରରେ ଭାରତର ଗୌରବ ବୃଦ୍ଧି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ଆସିବେ ଅତିଥି: ରଙ୍ଗୀନ ଆଲୁଅରେ ଝଲସୁଛି ପୁରୀ, କାଲିଠୁ ବିଚ୍ ଫେଷ୍ଟିଭାଲ - PRAVASI BHARATIYA DIVAS ପ୍ରବାସୀ ଭାରତୀୟ ଦିବସ ପାଇଁ କଟକଣା, ଏହି ସବୁ ରାସ୍ତାରେ ଯାତାୟତ ମନା - TRAFFIC ADVISORY |
- ଜନ୍ମମାଟି ପ୍ରତି ପ୍ରବାସୀଙ୍କର ସର୍ବଦା ଆତ୍ମୀୟତା ଥାଏ: ଜୟଶଙ୍କର
କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ.ଜୟଶଙ୍କର କହିଛନ୍ତି,"ପ୍ରବାସୀ ଭାରତୀୟମାନେ ସେମାନଙ୍କର ଜନ୍ମମାଟି ଭାରତ ସହିତ ସବୁବେଳେ ଆତ୍ମୀୟତା ରଖି ଆସିଛନ୍ତି । ବିଶ୍ୱର ଯେଉଁ ଦେଶରେ ରହିଥାନ୍ତୁ ନା କାହିଁକି ଭାରତର ବିକାଶ ପାଇଁ ସେମାନେ ସର୍ବଦା ଇଚ୍ଛୁକ ରହିଥାନ୍ତି । ପ୍ରବାସୀ ଭାରତୀୟମାନେ କୃତ୍ରିମ ବୁଦ୍ଧିମତା, ଇଲେକ୍ଟ୍ରୋନିକ ଯାନ, ଡ୍ରୋନ, ବୈକ୍ଷୟିକ ଜ୍ଞାନ କୈଶଳ, କାରିଗରୀ, ମହାକାଶ ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରୁଛନ୍ତି । ଭାରତ ସହ ସେମାନଙ୍କର ସହଭାଗିତା ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାରେ ଉଲ୍ଲେଖନୀୟ ଯୋଗଦାନ ହେବ ।
ଏହା ମଧ୍ୟ ପଢନ୍ତୁ :- ଆସିଲେଣି ପ୍ରବାସୀ, ଚିନ୍ତା ବଢାଉଛି ନୂଆ ଭାଇରସ୍: କେନ୍ଦ୍ରର ସତର୍କତା ସହ ହେବ ଆୟୋଜନ |
- ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରୁ ଅନୁଭବ ନେଇ ସ୍ବଦେଶ ଫେରିଥିଲେ: ମାଣ୍ଡବ୍ୟ
କେନ୍ଦ୍ର ଯୁବ ବ୍ୟାପାର ଓକ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି, "୧୧୦ ପୂର୍ବେ ଜାତିର ଜନକ ମହାତ୍ମାଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିଲେ । ବର୍ଣ୍ଣ ବୈଷମ୍ୟ, ମାନବାଧିକାର, ବିକାଶ ବାଧକତା ଇତ୍ୟାଦି ସମସ୍ୟାର ସମାଧାନରେ ବିପୁଳ ଅଭିଜ୍ଞତା ଆହରଣ କରି ଆସିଥିବା ଗାନ୍ଧିଙ୍କ ନେତୃତ୍ୱରେ ଦେଶର ସ୍ୱାଧୀନତା ସମ୍ଭବ ହୋଇଥିଲା । ସେହିପରି ପ୍ରବାସୀ ଭାରତୀୟମାନେ ସେମାନଙ୍କର ଅନୁଭବ ଓ ଅଭିଜ୍ଞତା ଆଧାରରେ ଏକ ‘ବିକଶିତ ଭାରତ’ର ନିର୍ମାଣରେ ଅଂଶୀଦାର ହୋଇପାରିବେ ।"
- ‘ବିକଶିତ ଭାରତ’ର ଭିଜନରେ ସହାୟକ ହେବ ଏହି ସମ୍ମିଳନୀ: କେନ୍ଦ୍ରମନ୍ତ୍ରୀ ମାର୍ଘେରିଟ
ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଘେରିଟା କହିଛନ୍ତି, "ଏହି ସମ୍ମିଳନୀ ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ ବୈଷୟିକ ଜ୍ଞାନକୌଶଳ ସାଙ୍ଗକୁ ପୋଷଣୀୟ ବିକାଶ ଲକ୍ଷ୍ୟର ଉପାଦାନଗୁଡ଼ିକର ବିସ୍ତାର ପୂର୍ବକ ବିକଶିତ ଭାରତର ରୋଡମ୍ୟାପକୁ ସମ୍ପୂର୍ଣ୍ଣ ରୂପାୟିତ କରିବ । ନ୍ୟୁଜ୍ ଓ୍ୱିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାରତୀୟ ବଂଶୋଦ୍ଭବ ଡଃ. ପ୍ରଗଡ ନିଜ ସଫଳ ଯାତ୍ରା ସଂପର୍କରେ ଉଲ୍ଲେଖ କରିଛନ୍ତି । ତାଙ୍କ ସଂଗଠନ ଅନେକ ସୋପାନ, ନେତୃତ୍ୱ ଓ ଡିଜିଡାଲ ଅଭିନବତ୍ୱ ଗ୍ରହଣ କରି ଆଜି ବିଶ୍ୱର ଅନ୍ୟତମ ବହୁଳ ପ୍ରସାରିତ ପ୍ରକାଶନ ସଂସ୍ଥା ଭାବରେ ଆଦୃତି ଅର୍ଜନ କରିଛି । ପ୍ରବାସୀ ଭାରତୀୟ ଦିବସ ଆୟୋଜନ, ଭାରତ ଓ ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସଂପର୍କର ସେତୁକୁ ଦୃଢ କରିଛି ବୋଲି ସେ କହିଛନ୍ତି । ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖାଡସେ ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟ, ବିଭିନ୍ନ ରାଜ୍ୟରୁ ଆଗତ ବୁଦ୍ଧିଜୀବୀ, ଗବେଷକ, ସାମାଜିକ କର୍ମୀ ଓ ଉଦ୍ୟୋଗୀବୃନ୍ଦ ଉପସ୍ଥିତ ଥିଲେ ।